କଟକ ଜିଲ୍ଳା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି: ଫେବୃଆରୀ ୧୭ରୁ ଆରମ୍ଭ ହେବ ଜନଗଣନା
କଟକ, (ଓ୍ବାଇଏନଏସ): ଜନଗଣନା ଭଳି ମହତ୍ କାର୍ଯ୍ୟକ୍ରମକୁ ନିଷ୍ଠାପର ଭାବେ ସମ୍ପାଦନ କରିବା ନିମନ୍ତେ ଆଜି କଟକ ଜିଲ୍ଳାରେ ଜନଗଣନା ସମ୍ପର୍କିତ ପ୍ରଥମ ବୈଠକ ଜିଲ୍ଳାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳାର ସମସ୍ତ ତହସିଲଦାର, ବିଡିଓ ଓ ବିଭାଗୀୟ ଅଧିକାରୀ ତଥା କର୍ମଚାରୀ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତାଲିମ ନେଇ ସମ୍ପୂର୍ଣ୍ଣ ଜନଗଣନା ପଦ୍ଧତି ଉପରେ ଅବଗତ ହେବେ ଓ ପରେ ଏହି ଅଧିକାରୀମାନେ ଘରକୁ ଘର ଯାଇ ଗଣନା କରିବାକୁ ଥିବା କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ତାଲିମ ଦେଇ ଜନଗଣନା କାର୍ଯ୍ୟ ଶତ ପ୍ରତିଶତ ସଠିକ୍ ଓ ସୂଚାରୁରୂପେ ସମ୍ପାଦନ ଉପରେ ପ୍ରାଧାନ୍ୟ ଦିଆଯାଇଛି । ପ୍ରତ୍ୟେକ ଘରର ମୁରବୀମାନେ ନିଜ ପରିବାର ସମ୍ବନ୍ଧରେ ଉଚିତ୍ ଓ ସଠିକ୍ ତଥ୍ୟ ପ୍ରଦାନ କରି ୨୦୨୭ ଜନଗଣନା କାର୍ଯ୍ୟକୁ ସ୍ୱଚ୍ଛତାର ସହ ସମ୍ପାଦନ ଦିଗରେ ସହଯୋଗ କରି ରାଷ୍ଟ୍ର ନିର୍ମାଣରେ ସହଭାଗୀ ହେବାକୁ ଅନୁରୋଧ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଘରଗୁଡିକ ପରିଗଣନା କରାଯିବ । ନିୟୋଜିତ କର୍ମଚାରୀମାନେ ଘରକୁ ଘର ଯାଇ ଗଣନା କାର୍ଯ୍ୟ ସୁନିଶ୍ଚିତ କରିବେ । ଏହି ଘର ଗଣନା ସମୟରେ ଯଦି କୌଣସି ଘର ବାଦ୍ ପଡିଯାଏ ତେବେ ସେମାନେ ଦୃଷ୍ଟି ଆକର୍ଷଣ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି । ଫେବୃଆରୀ ୧୭ ତାରିଖରୁ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ । ଏହାପରେ ବାସ୍ତବ ଗଣନାକାର୍ଯ୍ୟ ଆରମ୍ଭ ହେବ । ରାଜ୍ୟର ତାଲିମପ୍ରାପ୍ତ ମାଷ୍ଟର ଟ୍ରେନରମାନେ ଜିଲ୍ଳାସ୍ତରୀୟ ମାଷ୍ଟର୍ ଟ୍ରେନର ମାନଙ୍କୁ ତାଲିମ ପ୍ରଦାନ କରିସାରିଛନ୍ତି । ଏହି ଜିଲ୍ଳାସ୍ତରୀୟ ମାଷ୍ଟର ଟ୍ରେନରମାନେ ବ୍ଲକ୍ ସ୍ତରୀୟ ମାଷ୍ଟର ଟ୍ରେନରମାନଙ୍କୁ ତାଲିମ୍ ପ୍ରଦାନ କରିବେ ଓ ସେମାନେ ପରିଗଣନାକାରୀମାନଙ୍କୁ ତାଲିମ୍ ଦେବେ । ଜନଗଣନା ଦ୍ୱାରା ଜିଲ୍ଳାର ବାସ୍ତବ ଜନସଂଖ୍ୟା ଜଣାପଡିବ । ଏହି ସର୍ଭେ ସମୟରେ ପରିଗଣନାକାରୀମାନେ ବିଭିନ୍ନ ପ୍ରଶ୍ନ ପଚାରିବେ । ଯାହାଦ୍ୱାରା ଜନଗଣନା ସମ୍ପନ୍ଧିତ ବିଭିନ୍ନ ବାସ୍ତବ ତଥ୍ୟ ଜଣାପଡିବ । ଦେଶରେ ୨୦୨୭ ଜନଗଣନାକୁ ସୁଚାରୂ ରୂପେ ସମ୍ପାଦନ ନିମନ୍ତେ କାର୍ଯ୍ୟ ଆରମ୍ଭ ହୋଇଛି । ଦେଶରେ ସର୍ବଶେଷ ଜନଗଣନା ୨୦୧୧ ମସିହାରେ ସମ୍ପାଦିତ ହୋଇଥିଲା । ୧୮୭୨ ମସିହାରେ ପ୍ରଥମ ଜନଗଣନା ହୋଇଥିବା ବେଳେ ୨୦୨୭ ଜନଗଣନା ହେବ ଷୋଡଶ ଜନଗଣନା । ପ୍ରଥମ ଥର ପାଇଁ ଏହି ଜନଗଣନା ସମ୍ପୁର୍ଣ୍ଣ ଭାବେ ଡିଜିଟିକରଣ ମାଧ୍ୟମରେ କରାଯିବ । ଚଳିତ ଥରର ଜନଗଣନା ଜାତିଭିତିକ ଜନଗଣନା ହେବ ବୋଲି ଜଣାପଡିଛି । ୧୯୩୧ ମସିହାରେ ଶେଷ ଥର ପାଇଁ ଜାତିଭିତିକ ଜନଗଣନା କରାଯାଇଥିଲା । ଜନଗଣନା ଭଳି ମହତ୍ କାର୍ଯ୍ୟକ୍ରମକୁ ନିଷ୍ଠାପର ଭାବେ ସମସ୍ତ ଅଧିକାରୀ ଓ କର୍ମଚାରୀ ସମ୍ପାଦନ କରି ରାଷ୍ଟ୍ରର ଗୌରବ ବୃଦ୍ଧି କରିବେ । ଆଜି କଟକ ଜିଲ୍ଳାର ଜନଗଣନା କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀମାନଙ୍କ ତାଲିମ୍ ତଥା ସମୀକ୍ଷା କାର୍ଯ୍ୟକ୍ରମରେ ଜିଲ୍ଳପାଳ ଶ୍ରୀ ଦତାତ୍ରୟ ଭାଉସାହେବ ଶିନ୍ଦେ, ଅତିରିକ୍ତ ଜିଲ୍ଳାପାଳ ଶ୍ରୀ କମଲଜିତ୍ ଦାସ, ଅତିରିକ୍ତ ଜିଲ୍ଳାପାଳ ଡଃ ଦିବ୍ୟଲୋଚନ ମହାନ୍ତ, ଉପଜିଲ୍ଳାପାଳ ଶ୍ରୀ ପ୍ରହ୍ଲାଦ ନାରାୟଣ ଶର୍ମା, ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ପ୍ରଣବ କୁମାର ବେହେରା, ଡେପୁଟି କଲେକ୍ଟର ନିର୍ବାଚନ ନୁରୀ ପରବିନ୍, ଯୁଗ୍ମ ନିର୍ଦ୍ଦେଶକ (ରାଜ୍ୟ ଜନଗଣନା ପରିଚାଳନା କେନ୍ଦ୍ର) ଶ୍ରୀ ହେମନ୍ତ କୁମାର ସିଂହ, ସହକାରୀ ନିର୍ଦ୍ଦେଶକ (ରାଜ୍ୟ ଜନଗଣନା ପରିଚାଳନା କେନ୍ଦ୍ର) ମିଲିତା ଦତା ପ୍ରମୁଖ ଉପସ୍ଥିତ ଥିବାବେଳେ ଜିଲ୍ଳାର ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ତାଲିମ୍ ଗ୍ରହଣ କରିଥିଲେ ।


