ସ୍ୱାଧିନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ
କେନ୍ଦୁଝର, (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ୭୯ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଶନିବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାଳିକ ଆଗାମୀ ସ୍ୱାଧିନତା ଦିବସକୁ ଜାତୀୟ ଭାବନା ସହ ବିପୁଳ ଆନନ୍ଦ ଉଲ୍ଲାସ ଓ ଉତ୍ସାହ ଉଦ୍ଦୀପନା ସହିତ ପାଳନ କରିବା ପାଇଁ ସମସ୍ତଙ୍କର ସକ୍ରିୟ ସହଯୋଗ କାମନା କରିଛନ୍ତି ।ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସାର୍ଥକ ରାୟ ପ୍ରସ୍ତୁତି ବୈଠକର ସଂଯୋଜନା କରିବା ସହିତ କାର୍ଯ୍ୟସୂଚୀ ସଂପର୍କରେ ବିବରଣୀ ପ୍ରଦାନ କରି ଆଲୋଚନା ଆରମ୍ଭ କରିଥିଲେ । ପ୍ରସ୍ତୁତି ବୈଠକର ନିଷ୍ପତି ଅନୁୟାୟୀ ସ୍ୱାଧୀନତା ଦିବସ ଅବସରରେ ପ୍ରତ୍ୟୁଷରେ ରାମଧୂନ୍ ପ୍ରଚାର, ସକାଳେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତଫେରୀ, ସକାଳ ୭ ଘଟିକାରୁ ଘ୭.୩୦ମି. ମଧ୍ୟରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ତଥା ଶିକ୍ଷାନୁଷ୍ଠାନମାନଙ୍କରେ ଜାତୀୟ ପତାକା ଉତୋଳନ, ସକାଳ ଘ୮.୪୫ମି. ସମୟରେ ମହାପୁରୁଷମାନଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ସକାଳ ଘ୯.୧୫ମି. ସମୟରେ କେନ୍ଦୁଝର ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ ସମାରୋହରେ ଜାତୀୟ ପତାକା ଉତୋଳନ, ସମ୍ମିଳିତ ଆନୁଷ୍ଠାନିକ ପ୍ୟାରେଡ୍ ଏବଂ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ୟାରେଡ୍ରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମିଷ୍ଟାନ୍ନ ବଂଟନ, ଅପରାହ୍ନରେ କେନ୍ଦୁଝର ଅଡିଟୋରିୟମ୍ଠାରେ କବିତା ପାଠୋତ୍ସବ, ପ୍ରଦର୍ଶନୀ ଫୁଟବଲ ମ୍ୟାଚ ଏବଂ ସନ୍ଧ୍ୟାରେ କେନ୍ଦୁଝର ଅଡିଟୋରିୟମ୍ଠାରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସ୍ୱାଧୀନତା ଦିବସ ଦିନ ପୂର୍ବାହ୍ନ ଘ୯.୧୫ ମି. ସମୟରେ ଜିଲ୍ଲାସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିବେ । ସମ୍ମିଳିତ ପ୍ୟାରେଡ୍କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆଗାମୀ ଅଗଷ୍ଟ ମାସ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୮ ଘଟିକା ସମୟରେ ପ୍ୟାରେଡ୍ ଅଭ୍ୟାସ ଅନୁଷ୍ଠିତ ହେବ ବୋଲି ସ୍ଥିରିକୃତ ହୋଇଛି। ସ୍ୱାଧୀନତା ଦିବସ ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ବର୍ଗରେ ପ୍ରବନ୍ଧ, ବକ୍ତୃତା, ଦେଶାତ୍ମବୋଧକ ସଙ୍ଗୀତ, ଚିତ୍ରକଳା, କୁଇଜ, ଦୃଷ୍ଟିଶକ୍ତିବାଧିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମ୍ୟୁଜିକ୍ ଚେୟାର, ଛାତ୍ରୀ ଓ ମହିଳାମାନଙ୍କ ମଧ୍ୟରେ ଝୋଟି ପ୍ରତିଯୋଗିତା ଆୟୋଜନ କରାଯିବାକୁ ନିଷ୍ପତି ନିଆଯାଇଛି । ଏତଦ୍ ବ୍ୟତୀତ ସ୍ୱାଧୀନତା ଦିବସ ସମାରୋହର ସୁପରିଚାଳନା ନିମନ୍ତେ ଆଇନ ଶୃଙ୍ଖଳା, ଟ୍ରାଫିକ୍ କଂଟ୍ରୋଲ୍, ଆଶୁ ଚିକିତ୍ସା, ପାନୀୟ ଜଳ ଯୋଗାଣ ଓ ପରିମଳ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଆଦି ପ୍ରସଙ୍ଗ ସମ୍ପର୍କରେ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତିର୍ମୟ ଭୁକ୍ତାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଗଣମାଧ୍ୟମର ପ୍ରତିନିଧି, ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନର କର୍ମକର୍ତା, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତା ଯୋଗ ଦେଇଥିଲେ ।