ପାଣି ପଞ୍ଚାୟତ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଜିଲ୍ଲା ପ୍ରଦକ୍ଷଣ ଭବନରେ ପାଣି ପଞ୍ଚାୟତ ପକ୍ଷ-୨୦୨୬ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ଯେ ରାଜ୍ୟସରକାରଙ୍କ ନିଷ୍ପତି କ୍ରମେ ଚଳିତ ଜାନୁଆରୀ ୬ ତାରିଖ ଠାରୁ ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ-୨୦୨୬ ଡିଭିଜନ ଓ ଜିଲ୍ଲାସ୍ତରୀୟ ଭାବେ ପାଳନ କରାଯିବ। ପାଣି ପଞ୍ଚାୟତର ସୁଫଳ ଓ ଏହାର କାର୍ଯ୍ୟକାରିତା ନିମନ୍ତେ ଥିବା ଯୋଜନାଗୁଡିକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଯେଉଁ ସଚେତନତାର ଆବଶ୍ୟକତା ରହିଛି ସେଥିପାଇଁ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି, କୃଷି, ମସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ପ୍ରଦର୍ଶନୀ ମଣ୍ଡପମାନ ଖୋଲା ଯାଇ ସଚେତନ କରାଯିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ଏହାବ୍ୟତୀତ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରଚନା, ବକୃତା, କୁଇଜ଼ ଓ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଡିଭିଜନ ସ୍ତରରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ୨୫୦୦,୨୦୦୦ ଓ ୧୫୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ସେହିପରି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ୩୦୦୦, ୨୫୦୦ ଓ ୨୦୦୦ ଅର୍ଥରାଶି ସହ ପ୍ରମାଣପତ୍ର ପ୍ରଦାନ କରି ପୁରସ୍କୃତ କରାଯିବ। ଜାନୁଆରୀ ୧୩ ତାରିଖରେ ଜଣ୍ଟିଲୋ ଡାକବଙ୍ଗଳାଠାରେ ଜିଲ୍ଲାସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ ସମାରୋହରେ ଜିଲ୍ଲାର ପାଣିପଞ୍ଚାୟତ ସଦସ୍ୟମାନେ ଯୋଗ ଦେବେ। ଜିଲ୍ଲା ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ୧୩ ତାରିଖ ସନ୍ଧ୍ୟାରେ ଜିଲ୍ଲାସ୍ତରୀୟ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି। ଜାନୁଆରୀ୬ତାରିଖରେ ପାଣିପଞ୍ଚାୟତ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଜିଲ୍ଲାର ସମସ୍ତ ବ୍ଲକ ସଦର ମହକୁମା ଓ ମୁଖ୍ୟ ସେଚାଞ୍ଚଳ ଆଦି ଗସ୍ତ କରି ସଚେତନତା ବାର୍ତ୍ତା ବଣ୍ଟନ କରିବ। ରାଜ୍ୟସରକାରଙ୍କ କୃଷି, ଉଦ୍ୟାନ କୃଷି, ମତ୍ତିକା ସରଂକ୍ଷଣ, ମସ୍ୟ ଓ ପ୍ରାଣୀସମ୍ପଦ ସମ୍ପର୍କିତ ଯୋଜନା ଓ ପାଣିପଞ୍ଚାୟତର ଉପକାରିତା ସମ୍ପର୍କରେ ଲୋକକଳା ମାଧ୍ୟମରେ ଜିଲ୍ଲାସ୍ତରୀୟ ସମାରୋହରେ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଜିଲ୍ଲାର ଶ୍ରେଷ୍ଠ ବିବେଚିତ କୃଷକ ଜାନୁଆରୀ ୨୦ ତାରିଖରେ ରାଜ୍ୟସ୍ତରୀୟ ସମାରୋହରେ ସମ୍ବର୍ଦ୍ଧିତ ହେବେ। ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ଉକ୍ତ ବୈଠକରେ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ, ଜିଲ୍ଲା ମୁଖ୍ୟକୃଷି ଅଧିକାରୀ ସୁରେଶ ଚନ୍ଦ୍ର ମଲ୍ଲିକ, ଉଠା ଜଳସେଚନ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସ୍ୱାଇଁ, ଏଡିଭିଓ ଡାକ୍ତର ମନିଷ କୁମାର ସିଂହ, ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂହ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିୟାରସିଂହ, କୃଷି, ଶିକ୍ଷା, ଉଦ୍ୟାନ କୃଷି, ଉଠା ଜଳସେଚନ, ମୃତ୍ତିକା ସରଂକ୍ଷଣର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


