କଟକ ଜିଲ୍ଳାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
କଟକ, (ଓ୍ବାଇଏନଏସ): ଜିଲ୍ଳାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଜିଲ୍ଳା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଦ୍ୱାରା ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲ୍ଳାପାଳ ତଥା ଜିଲ୍ଳା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ସାଧାରଣତନ୍ତ୍ର ଦିବସକୁ ଉତ୍ସାହର ସହ ସରସ ସୁନ୍ଦର ଭାବେ ପାଳନ କରାଯିବା ତଥା ଜାତୀୟ ଉତ୍ସବର ସଫଳ ଆୟୋଜନ ନିମନ୍ତେ ସମ୍ପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀ ନିଷ୍ଠାର ସହ ଦାୟିତ୍ୱ ନିର୍ବାହ କରିବା ସହ ପୂର୍ଣ୍ଣ ସହଯୋଗ କରିବା ପାଇଁ ଜିଲ୍ଲାପାଳ ବୈଠକରେ ନିର୍ଦ୍ଦେଶ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ସାଧାରଣତନ୍ତ୍ର ଦିବସର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସମ୍ବନ୍ଧରେ ଆଲୋକପାତ କରିବା ସହ ବିଭାଗୀୟ ଅଧିକାରୀମାନେ କାର୍ଯ୍ୟକ୍ରମର ସର୍ବସଫଳତା ଦିଗରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ଚଳିତବର୍ଷ ଐତିହାସିକ ବାରବାଟୀ ଷ୍ଟାଡିୟମରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବା ନିମନ୍ତେ ସ୍ଥିର କରାଯାଇଛି । ଚଳିତଥର ପ୍ରଥମଥର ପାଇଁ ପରେଡରେ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବିଭାଗକୁ ସାମିଲ କରାଯିବା ପାଇଁ ଜିଲ୍ଳାପାଳ ପ୍ରସ୍ତାବ ଦେଇଛନ୍ତି । ଏଥିସହ ପରେଡରେ ଭାଗନେଇଥିବା ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଉତମ ପ୍ରଦର୍ଶନ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ ବିଭାଗର ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରାଯିବ । କଟକର ଗର୍ବ ଓ ଗୌରବ ବାଲିଯାତ୍ରାକୁ ନେଇ ଚଳିତଥର ଏକ ସ୍ୱତନ୍ତ୍ର ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରାଯିବାକୁ ସ୍ଥିର କରାଯାଇଛି । ଏଥିସହ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯିବ । ଏଥିସହ ପ୍ରଥମଥର ପାଇଁ ପୁସ୍ତକ ପ୍ରଦର୍ଶନୀ ଆୟୋଜନ ନିମନ୍ତେ ସ୍ଥିର କରାଯାଇଛି । ଇଣ୍ଡୋର ଷ୍ଟାଡିୟମଠାରେ ଆୟୋଜିତ ଏହି ପୁସ୍ତକ ପ୍ରଦର୍ଶନୀରେ ପ୍ରତି ରକ୍ତଦାତାଙ୍କୁ ଉପହାର ସ୍ୱରୂପ ଏକ ପୁସ୍ତକ ପ୍ରଦାନ କରାଯିବ । ପ୍ରତିବର୍ଷ ଭଳି ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ, ବତ୍କୃତା ଓ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଜିଲ୍ଳା ଶିକ୍ଷା ଅଧିକାରୀଙ୍କ ନେତୃତ୍ୱରେ ଏହି ପ୍ରତିଯୋଗୀତା କରାଯାଇ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ଜିଲ୍ଳାସ୍ତରୀୟ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନମାନଙ୍କୁ ଏହି ଜାତୀୟ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ । ସମ୍ବର୍ଦ୍ଧନା ନିମନ୍ତେ ଆବେଦନ କରୁଥିବା ବ୍ୟକ୍ତିବିଶେଷ ବା ଅନୁଷ୍ଠାନ ସମ୍ପୃକ୍ତ ବିଭାଗ ଅଧୀନରେ ଆସନ୍ତା ୧୭ ତାରିଖ ସୁଦ୍ଧା ଆବେଦନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି । କଟକ ମହାନଗର ନିଗମ ଆୟୁକ୍ତ ସୁଶ୍ରୀ କିରନଦୀପ କୌର ସହୋତା ଓ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ଶିବ ଟପୋଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସାଧାରଣତନ୍ତ୍ର ଦିବସର ସମସ୍ତ କାର୍ଯ୍ୟ ସମ୍ପାଦିତ ହେବାକୁ ନିଷ୍ପତି ନିଆଯାଇଛି । ଆଜିର ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ, ଅତିରିକ୍ତ ଜିଲ୍ଲାପାଳ ଡଃ ଦିବ୍ୟଲୋଚନ ମହାନ୍ତ, ଅତିରିକ୍ତ ଜିଲ୍ଳାପାଳ ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ର, କଟକ ସଦର ଉପଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓଙ୍କ ସମେତ ବିଭିନ୍ନ ବିଭାଗୀୟ ମୁଖ୍ୟ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।


