କାର୍ଯ୍ୟରେ ଅବହେଳା ଯୋଗୁଁ ପ୍ରଧାନଶିକ୍ଷକ ନିଲମ୍ବିତ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା )’: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ପି.ଗୋବିନ୍ଦପୁର କ୍ଷେତ୍ରୀ ସାହୁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏସ.ଗଣେଶ ରେଢିଙ୍କୁ କାର୍ଯ୍ୟରେ ଅବହେଳା ନେଇ ପରିଚାଳନା କମିଟି ତାଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି । ପ୍ରଧାନଶିକ୍ଷକ ଦୀର୍ଘ ଦିନ ହେଲା ଅନୁପସ୍ଥିତ ଅଛନ୍ତି । ଶିକ୍ଷାବର୍ଷ ୨୦୨୪-୨୫ରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ, ଟି ସାର୍ଟ, ଟ୍ରାଉଜର୍ ବଣ୍ଟନ କରାଯାଇ ପାରିଲାନାହିଁ I ପ୍ରଧାନଶିକ୍ଷକ ଏହି ଟଙ୍କା ଆତ୍ମସାତ କରିଥିବା ସନ୍ଦେହ କରାଯାଉଛି। ଏଣୁ ପରିଚାଳନା କମିଟି ସଭ୍ୟ ଏହାର ତଦନ୍ତ ଦାବି କରିଛନ୍ତି I ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ର ଦିବାକର ଦଳାଇଙ୍କ ନାମକୁ ଓଡ଼ିଶା ମାଧ୍ୟମିକ ବୋର୍ଡ଼ କଟକରେ ପଞ୍ଜୀକରଣ ନ କରାଇବା ଫଳରେ ସେ ୨୦୨୬ ହାଇସ୍କୁଲ ବାର୍ଷିକ ପରୀକ୍ଷା ଦେବାରୁ ବଞ୍ଚିତ ହବାକୁ ଯାଉଛନ୍ତି। ସେହିଭଳି, ବିଦ୍ୟାଳୟର ଗଣିତ ଶିକ୍ଷକଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ୨୦୧୩ରୁ ୨୦୧୯ ପଯ୍ୟନ୍ତ ଡେପୁଟେସନ୍‌ରେ ସରକାରୀ ଉଚ୍ଚ ବିଦ୍ୟାଳୟ କଟାମାକୁ ପଠାଇବା ଫଳରେ ସେ ଏହି ବିଦ୍ୟାଳୟରେ ୧୫ ଦିନ ଓ କଟାମା ବିଦ୍ୟାଳୟରେ ୧୫ ଦିନ କାମ କରୁଥିଲେ | କିନ୍ତୁ, ପ୍ରତିମାସରେ କେବଳ ୧୫ ଦିନର ଦରମା ବିଲ୍ ପଠାଇବା ଫଳରେ, ସେ ଅନେକ ଦିନର ଦରମା ନପାଇ ଅର୍ଥାଭାବରେ ପଡ଼ିଥିବା ଜଣାପଡ଼ିଛି। ସେହିଭଳି, ବର୍ଷକୁ ଚାରିଥର ବୈଠକ ଡକାଯିବା କଥା କିନ୍ତୁ ନୂତନ ପରିଚାଳନା କମିଟି ଗଠନ ପରଠାରୁ କୌଣସି ବୈଠକ ଡକାଯାଇନାହିଁ । ପ୍ରଧାନଶିକ୍ଷକ ଦୀର୍ଘଦିନ ହେଲା ଅନୁପସ୍ଥିତ ରହିବାରୁ ପରିଚାଳନା କମିଟି ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ | ଏଣୁ, ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତଦନ୍ତ କରି କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ପ୍ରମାଣ ନଷ୍ଟ ପାଇଁ ପ୍ରଧାନ ଶିକ୍ଷକ ଚଳିତ ବର୍ଷ ଜାନୁଆରି ୪ ତାରିଖରେ ବିଦ୍ୟାଳୟକୁ ଆସି ଉପସ୍ଥାନ ଖାତାଟିକୁ କୁଆଡ଼େ ଲୁଚାଇ ଦେଇଥିଲେ. ସେହିଭଳି, ସେ ବିଦ୍ୟାଳୟର ଆର୍ଥିକ କାରବାର, ରିଜୋଲ୍ୟୁସନ, କ୍ୟାସବୁକ୍ ଆଦି ସମ୍ବନ୍ଧରେ କମିଟିକୁ ନ ଜଣାଇବାକୁ କେନ୍ଦ୍ର କରି ତାଙ୍କ ଦାୟିତ୍ବହୀନତା ଲାଗି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ପରିଚାଳନା କମିଟି ସଭାପତି ବାଳକୃଷ୍ଣ ପ୍ରଧାନ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ