ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ମାମଲା: ମାମଲା ରୁଜ୍ଜୁ କରି ଚୁପ ବସିଛି ପୁଲିସ

ହାଟଡିହି (ଓ୍ବାଇଏନଏସ): ବାଲେଶ୍ଵର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ସମଗ୍ର ରାଜ୍ୟକୁ ହୁଲୁସ୍ତୁଲ କରୁଥିବା ବେଳେ କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ ବ୍ରାହ୍ମଣୀକଳା ଠାକୁରାଣୀ ବିଦ୍ୟାପୀଠର  ପ୍ରଧାନଶିକ୍ଷକ ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ମାଟ୍ରିକ ପରୀକ୍ଷାରେ ଏ-୧ ରେ କୃତକାର୍ଯ୍ୟ କରାଇଦେବି ବୋଲି କହି ଦୁଷ୍କର୍ମ ଉଦ୍ୟମ କରିବା ଘଟଣା ଦେଢ଼ ମାସ ବିତିଯାଇ ଥିଲେ ବି ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇନି। ଅନ୍ଯ ପକ୍ଷରେ ଶିକ୍ଷା ବିଭାଗ ମଧ୍ଯ ଏନେଇ କୌଣସି ତଦନ୍ତ କରିନି। ତେଣୁ ଘଟଣାକୁ ଚାପିଦେବକୁ କେଉଁଠି ନା କେଉଁଠି ଉଦ୍ୟମ ଚାଲିଥିବା ଆଲୋଚନା ହେଉଛି। ଛାତ୍ରୀ ଜଣକ ଅନେକ ଦିନ ଧରି ସ୍କୁଲ ଆସିନଥିବା ବେଳେ ଗତ ୬/୭ଦିନ ହେଲା ଛାତ୍ରୀ ଜଣକ ସ୍କୁଲ କୁ ଯାଉଛନ୍ତି। ଥାନାରେ ଅଭିଯୋଗ ହେବା ଦିନଠାରୁ ଅଭିଯୁକ୍ତ ପ୍ରଧାନଶିକ୍ଷକ ଜଣକ ଫେରାର ହୋଇଯାଇଥିବା ପୋଲିସ କହୁଛି। ଏହା ଏକ ସମ୍ବେଦନଶୀଳ ଘଟଣା ହେଇଥିଲେ ବି ପୋଲିସ ଏହାକୁ ଗୁରୁତର ସହ ନେଇ ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ପର୍ଯ୍ୟନ୍ତ ତଦନ୍ତ କରାଗଲା ନାହିଁ। ଗତ ଜୁନ ମାସରେ ଜିଲ୍ଲା ଶିକ୍ଷା ଅଧିକାରୀ ସ୍କୁଲ ଛୁଟି ଖୋଲିବା ପରେ କମିଟି ଗଠନ କରାଯାଇ ତଦନ୍ତ କରାଯିବ ବୋଲି କହିଥିବା ବେଳେ ଆଜି ପର୍ଯ୍ୟନ୍ତ ତଦନ୍ତ ହେଲାନି। ଆଜି ଏସମ୍ପର୍କରେ ପଚାରିବାରୁ ଆସନ୍ତା କାଲି ତଦନ୍ତ କରାଯିବ ବୋଲି ଜିଲ୍ଳା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ  ନନ୍ଦିପଦା ଥାନା ବ୍ରାହ୍ମଣୀକଳା ସ୍ଥିତ ତାରିଣୀ ଠାକୁରାଣୀ ବିଦ୍ୟାଳୟ ପରିସରରେ ଦୁଇଜଣ ଶିକ୍ଷକ ଛୁଟିଦିନରେ କିଛି ଛାତ୍ର ଛାତ୍ରୀଙ୍କୁ କୋଚିଂ ଦେଉଥିଲେ। ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ଗତ ମେ ମାସ ୨୪ ତାରିଖ କୋଚିଂ ପାଇଁ ଯାଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗିରଥୀ କବି ଛାତ୍ରୀ ଜଣକୁ ପାଣି ଗ୍ଲାସେ ଆଣିବାକୁ ଡାକିଥିଲା। ଛାତ୍ରୀ ଜଣକ ଅଫିସ୍ ରୁମ୍ କୁ ପାଣି ନେଇଯିବାରୁ ପ୍ରଧାନ ଶିକ୍ଷକ ଜଣକ ତାକୁ ମୋ କଥା ଯଦି ମାନିବୁ ତେବେ ତୋତେ ଏ -୧ ରେ ପାସ କରାଇ ଦେବି ବୋଲି କହି ସମ୍ବେଦନଶୀଳ ଅଙ୍ଗରେ ହସ୍ତ ସଞ୍ଚାଳନ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲା। ଛାତ୍ରୀ ଜଣକ କାନ୍ଦି କାନ୍ଦି ଘରକୁ ପଳାଇ ଆସି ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲା। ପ୍ରଥମେ ଗାଁ ରେ ବୈଠକ ବସି ସମାଧାନ ପାଇଁ ଉଦ୍ୟମ ହୋଇଥଲା। କିନ୍ତୁ କିଛି ସୁଫଳ ନମିଳିବାରୁ ପରିବାର ଲୋକେ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ନନ୍ଦିପଦା ପୋଲିସ ଥାନା କେସ ନଂ ୧୪୬/୨୦୨୫ରେ ମାମଲା ରୁଜ୍ଜୁ କରିଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିନି। ଯାହାକୁ ନେଇ ପୁଲିସର କାର୍ଯ୍ଯ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଜଣେ ଅପରାଧୀଙ୍କୁ ଗିରଫ କରିବାରେ ପୁଲିସ ଟାଳଟୁଳ ନୀତି ଅବଲମ୍ବନ କରିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ