ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ମାମଲା:ପୁଲିସ କାର୍ଯ୍ୟାନୁଷ୍ଠାନରେ ବିଳମ୍ୱଜୁ ନେଇ ଅସନ୍ତୋଷ
ହାଟଡିହି (ପାର୍ଥ ସୌରଭ ସା): ହାଟଡିହି ବ୍ଲକ ବ୍ରାହ୍ମଣୀକଳା ହାଇସ୍କୁଲର ପ୍ରଧାନଶିକ୍ଷକ ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ଘଟଣା ମାସେ ବିତିଯାଇ ଥିଲେ ମଧ୍ଯ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇନି। ସେହିପରି ଶିକ୍ଷା ବିଭାଗ ମଧ୍ଯ ଏନେଇ କୌଣସି ତଦନ୍ତ କରିନି। ତେଣୁ ଘଟଣାକୁ ଚାପିଦେବକୁ କେଉଁଠି ନା କେଉଁଠି ଉଦ୍ୟମ ଚାଲିଥିବା ଆଲୋଚନା ହେଉଛି। ଶିକ୍ଷକ ଜଣକ ଅଭିଯୋଗ ହେବା ଦିନଠାରୁ ଫେରାର ହୋଇଯାଇଥିବା ପୋଲିସ କହୁଛି। କିନ୍ତୁ ବର୍ତ୍ତମାନ ଅତ୍ୟାଧୁନିକ ଟେକ୍ନୋଲଜି ବ୍ୟବହାର କରି ପୁଲିସ କେତେ ବଡ଼ ବଡ଼ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସଫଳ ହେଉଥିବା ବେଳେ ଏପରି କୁତ୍ସିତ ଶିକ୍ଷକଙ୍କୁ ଗିରଫ କରିବାରେ କାହିଁକି ଟାଳଟୁଳ ନୀତି ଅବଲମ୍ବନ କରୁଛି ତାକୁ ନେ଼ଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୫ଦିନ ହେଲା ସ୍କୁଲ ଖୋଲାଯାଇ ଥିଲେ ମଧ୍ଯ ପୀଡିତା ଛାତ୍ରୀ ଜଣକ ଆଜି ପର୍ଯ୍ୟନ୍ତ ସ୍କୁଲ କୁ ଆସି ନଥିବା ଜଣା ଯାଇଛି। ଅଭିଯୁକ୍ତ ଶିକ୍ଷକ ଜଣକ ଛୁଟିରେ ଥିବା ସହକାରୀ ଶିକ୍ଷକ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ନନ୍ଦିପଦା ଥାନା ବ୍ରାହ୍ମଣୀକଳା ସ୍ଥିତ ତାରିଣୀ ଠାକୁରାଣୀ ବିଦ୍ୟାଳୟ ପରିସରରେ ଦୁଇଜଣ ଶିକ୍ଷକ ଛୁଟିଦିନରେ କିଛି ଛାତ୍ର ଛାତ୍ରୀଙ୍କୁ କୋଚିଂ ଦେଉଥିଲେ। ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ଗତ୨୪ ତାରିଖ କୋଚିଂ ପାଇଁ ଯାଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗିରଥୀ କବି ଛାତ୍ରୀ ଜଣକୁ ପାଣି ଗ୍ଲାସେ ଆଣିବାକୁ ଡାକିଥିଲା। ଛାତ୍ରୀ ଜଣକ ଅଫିସ୍ ରୁମ୍ କୁ ପାଣି ନେଇଯିବାରୁ ପ୍ରଧାନ ଶିକ୍ଷକ ଜଣକ ତାକୁ ମୋ କଥା ଯଦି ମାନିବୁ ତେବେ ତୋତେ ଏ -୧ ରେ ପାସ କରାଇ ଦେବି ବୋଲି କହି ସମ୍ବେଦନଶୀଳ ଅଙ୍ଗରେ ହସ୍ତ ସଞ୍ଚାଳନ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲା। ଛାତ୍ରୀ ଜଣକ କାନ୍ଦି କାନ୍ଦି ଘରକୁ ପଳାଇ ଆସି ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲା। ପରିବାର ଲୋକେ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ନନ୍ଦିପଦା ପୋଲିସ ଥାନା କେସ ନଂ ୧୪୬/୨୦୨୫ରେ ମାମଲା ରୁଜ୍ଜୁ କରିଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିନି। ଯାହାକୁ ନେଇ ପୁଲିସର କାର୍ଯ୍ଯ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ ଅଭିଯୁକ୍ତ ଶିକ୍ଷକ ଜଣକ ଗିରଫଦାରିରୁ ଏଡ଼ାଇବା ପାଇଁ ବିଭିନ୍ନ ରାଜନେତାଙ୍କ ଆଶ୍ରୟ ନେଇଥିବା ଆଲୋଚନା ହେଉଛି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଜଣେ ଅପରାଧୀଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା ଏସ.ପି ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।