ଗାନ୍ଧୀ ଜୟନ୍ତୀରେ ନିଶାମୁକ୍ତ ସମାଜର ଶପଥ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଗାନ୍ଧୀ ଜୟନ୍ତୀ ଅବସରରେ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତର ଗୁଣ୍ଡୁଚିବଟ ପରିସରରେ ନିଶା ନିବାରଣ ଅଭିଯାନର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସଭାପତି ଦ୍ରୈାପଦୀ ରାଉତଙ୍କ ପରିଚାଳନାରେ ଆୟୋଜିତ ଉକ୍ତ ସଭାରେ ଜିଲ୍ଲା ସମ୍ପାଦକ ଆଦିକନ୍ଦ ରାଉଳ ମୁଖ୍ୟ ଅତିଥି ଓ ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ଦାସ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଗାନ୍ଧିଜୀଙ୍କ ସ୍ୱପ୍ନର ଭାରତବର୍ଷ ଗଠନ କରିବା ପାଇଁ ନିଶା ମୁକ୍ତ ସମାଜର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହିତ ରାଜ୍ୟ ସରକାର ବନ୍ଦ ପଡ଼ିଥିବା ୭୦ ଟି ମଦ ଦୋକାନକୁ ପୁଣି ଖୋଲିବା ଓ ୩ ଟି ନୂଆ ମଦ ଭାଟି ପ୍ରତିଷ୍ଠା କରିବା ପାଇଁ ନିକଟରେ ନେଇଥିବା ସମାଜ ବିରୋଧୀ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବା ସହିତ ସରକାର ଲୋକଙ୍କୁ ଭୁଆଁ ବୁଲେଇବା ଛାଡ଼ି ତାଙ୍କର ନିର୍ବାଚନ କାଳୀନ ପ୍ରତିଶ୍ରୁତି ଅନୁଯାୟୀ ଯଥାଶୀଘ୍ର ନିଶା ନିବାରଣ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଦାବି କରିଥିଲେ। ଅମରେନ୍ଦ୍ର କୁମାର ଦାସ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସ୍ନେହଲତା ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ। ଏଥିରେ ରାଜେଶ ସ୍ୱାଇଁ, ଲୋପାମୁଦ୍ରା ସାହୁ, ଯମୁନା ରାଉତ, ସୁଷମା ସାମଲ, ରିନାବାଳା ନାୟକ ପ୍ରମୁଖ ଶତାଧିକ ମହିଳା ଆଲୋଚନାରେ ଅଂଶଗ୍ରହଣ କରି ଏକ ନିଶାମୁକ୍ତ ସମାଜ ଗଠନ ପାଇଁ ଶପଥ ନେଇଥିଲେ।