ବୈତରଣୀ ନଦୀର ସୁରକ୍ଷା ଜରୁରୀ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ବୈତରଣୀ ବଂଚାଓ ଯାତ୍ରା ଶେଷ ଆଜି ଶେଷ ହୋଇଛି । ବୈତରଣୀ ନଦୀର ଉତ୍ପତି ସ୍ଥଳ ଗୋନାସିକାରୁ ଏହି ଯାତ୍ରା ଆରମ୍ଭ ହୋଇ କାନପୁର ଡ୍ୟାମ୍‌ରେ ଶେଷ ହୋଇଛି । ଆଜି ଦ୍ୱିତୀୟ ଦିନରେ ଜଳ ପୁରୁଷ ଡ଼ ରାଜେନ୍ଦ୍ର ସିଂ ଏବଂ ତାଙ୍କ ସହିତ ଆସିଥିବା ବିଭିନ୍ନ ବର୍ଗର ଲୋକ ଝୁମ୍ପୁରା ବ୍ଲକ ବସନ୍ତପୁର ପଂଚାୟତ ଭାଲୁଆକୁଦର ନିକଟରେ ବୈତରଣୀ ନଦୀ ଜଳସ୍ରୋତକୁ ଅଟକାଇ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଇନ୍‌ଟେକ ୱେଲ କରି ସ୍ଲରି ପାଇପ ଲାଇନରେ ପାଣି ଶୋଷୁଥିବା ଦେଖିବାକୁ ପାଇଥିଲେ । ଖରାଦିନରେ ନଦୀ ଜଳ ବ୍ୟବହାର ନ କରିବାକୁ ଚୁକ୍ତି ଥିଲେ ମଧ୍ୟ ମିତ୍ତଲ କମ୍ପାନୀ ଏଥିରେ ଚୁକ୍ତି ଖିଲାପ କରୁଥିବା ସ୍ଥାନୀୟ ଲୋକ କହିଥିଲେ । ବୈତରଣୀ ନଦୀର ଉପରମୁଣ୍ଡରେ ମିତ୍ତଳ କମ୍ପାନୀ ପାଣି ଶୋଷୁଥିବାରୁ ଜଳ ମୁଣ୍ଡରେ ଜଳସ୍ରୋତ କମୁଛି । ମାର୍ଚ୍ଚ ମାସରୁ ଜୁନ ମାସ ପର୍ଯ୍ୟନ୍ତ ବୈତରଣୀ ନଦୀରୁ ପାଣି ନ ନେବା ପାଇଁ ଜଳ ସମ୍ପଦ ବିଭାଗର କଡା ନିୟମ ଥିଲେ ହେଁ ଏହି କମ୍ପାନୀ ଲକ୍ଷ ଲକ୍ଷ କ୍ୟୁସେକ ବୈତରଣୀ ନଦୀ ଜଳ ବ୍ୟବହାର କରୁଛି । କମ୍ପାନୀମାନଙ୍କର ପାଣି ଉପରେ କୌଣସି ହକ୍ ନାହିଁ । ଏହି ବୈତରଣୀ ନଦୀ ବଂଚିଲେ ମଣିଷ ଓ ପ୍ରକୃତି ବଂଚିବ । ସ୍ଲରି ପାଇପ ଲାଇନରେ କମ୍ପାନୀମାନେ ଲୁହାଗୁଣ୍ଡ ପରିବହନ ପାଇଁ ପାଣି ବ୍ୟବହାର କରିବା ଆଦିବାସୀ,ଜଙ୍ଗଲ,ଜମି,ନଦୀ ଓ ପ୍ରକୃତି ପ୍ରତି ଅନ୍ୟାୟ କରୁଛନ୍ତି । ବୈତରଣୀ ନଦୀର ଜଳ ଉପରେ ଚାଷୀଙ୍କ ଅଧିକାର ରହିଛି । ଚାଷ ପାଇଁ ନଦୀରେ ବନ୍ଧ କରାଯାଉଛି କିନ୍ତୁ ଏହି ପାଣିକୁ କମ୍ପାନୀମାନେ ଲୁଟ କରୁଛନ୍ତି । ନାବାର୍ଡ ଅର୍ଥରେ ଚାଷୀଙ୍କ ପାଇଁ ଜଳସେଚନ ପ୍ରକଳ୍ପ ନିର୍ମାଣ ହେଉଛି । ଚାଷ ପାଇଁ ହେଉଥିବା ଖର୍ଚ୍ଚରେ ନିର୍ମାଣ ହେଉଥିବା ବନ୍ଧରୁ ଶିଳ୍ପକୁ ପାଣି ଦେବା ଅପରାଧ ବୋଲି ଜଳ ପୁରୁଷ ରାଜେନ୍ଦ୍ର ସିଂ କହିଛନ୍ତି । ଚାଷୀଙ୍କ ପାଇଁ ପାଣିର ଆବଶ୍ୟକତା ଥିବାବେଳେ କମ୍ପାନୀ ମାନେ ପାଣି ନେଉଥିବାରୁ ବୈତରଣୀ ଶୁଷ୍କ ହୋଇଯାଇଛି । ଏଥିପାଇଁ ଏଠାରେ ଚାଷୀମାନେ ଏକତ୍ର ହୋଇ ନିଷ୍ପତ୍ତି ନେଇ ସଂକଳ୍ପ କରିଛନ୍ତି । ସେହି ସଂକଳ୍ପରେ ସେ ମଧ୍ୟ ସାମିଲ ହେବେ ବୋଲି କହିଛନ୍ତି । ବୈତରଣୀ ନଦୀକୁ ନ୍ୟାୟ ଦେବା ପାଇଁ ସେମାନଙ୍କର ଲଢେଇ କୁ ମୁଁ ସମର୍ଥନ କରୁଛି । ସ୍ଲରିରେ ଲୁହାପଥର ଗୁଣ୍ଡ ପରିବହନ ପାଇଁ ସମୁଦ୍ର କିମ୍ବା ଅନ୍ୟ ପାଣିର ବ୍ୟବହାର କରାଯାଇପାରିବ କିନ୍ତୁ ବୈତରଣୀ ନଦୀର ସ୍ୱଚ୍ଛ ପାଣିକୁ ପିଇବା ଏବଂ ଚାଷ ପାଇଁ ବ୍ୟବହାରରେ ଲଗା ନଯାଇ ସ୍ଲରି ଯୋଗେ ଲୁହାପଥର ଗୁଣ୍ଡ ପରିବହନରେ ବ୍ୟବହାର ହେଉଛି । ଫଳରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଏହାଦ୍ୱାରା ନଦୀର ସଭ୍ୟତା ଏବଂ ସଂସ୍କୃତି ନଷ୍ଟ ହେଉଛି । ସେସବୁ ସୁରକ୍ଷା ପାଇଁ ପାଣି ପଂଚାୟତର ନିଷ୍ପତ୍ତି  ସହ ସେ ସମର୍ଥନ କରିଛନ୍ତି । ଏହି ଅବସରରେ ବିଭିନ୍ନ ଲୋକଙ୍କ ସହିତ ଆଲୋଚନା କରି ବୈତରଣୀ ନଦୀର ସୁରକ୍ଷା ପାଇଁ ସଂଗଠିତ ହୋଇ କାମ କରିବାକୁ ସକଳ୍ପ ନେଇଥିଲେ । ଏହାପରେ କାନପୁର ଡ୍ୟାମ ଏରିଆ ମଧ୍ୟରେ ଚାଲିଥିବା ଇନଟେକ ୱେଲ ପରିଦର୍ଶନ କରିଥିଲେ । ଅପରାହ୍ନରେ ଯୋଡା  ପିଛଲାଘାଟ ଠାରେ ଟାଟା କମ୍ପାନୀ  ସୁନା ନଦୀ ତଟରେ ଇନଟେକ ୱେଲ କରି ପାଣି ନେଉଥିବା ଦେଖିଥିଲେ ଏବଂ ସ୍ଥାନୀୟ ଲୋକଙ୍କ ସମସ୍ୟା ନେଇ ପଚାରି ବୁଝିଥିଲେ । ପରେ ପରେ ବଡବିଲର ବିଭିନ୍ନ କମ୍ପାନୀ କାରୋ ନଦୀରୁ ପାଣି ନେଉଥିବା ସ୍ଥାନ ବୁଲି ଦେଖିଥିଲେ । ଏହି ଯାତ୍ରାରେ ମହାନଦୀ ବଂଚାଓ ଅଭିଯାନର ଆବାହକସୁଦର୍ଶନଦାସ,ସୁନା,କାରୋ,ବୈତରଣୀ ବଂଚାଓ ଅଭିଯାନର କନଭେନର ଅଶୋକ ଠକ୍କର ପ୍ରମୁଖ ସାମିଲ ହୋଇଥିଲେ । ଚିରସ୍ରୋତା ବୈତରଣୀ ନଦର ଜଳ ଦିନକୁ ଦିନ ହ୍ରାସ ପାଉଥିବାରୁ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହେଉଥିବା ଗ୍ରାମବାସୀମାନେ କହିଥିଲେ । ବୈତରଣୀ ନଦୀ ଉପରେ କେନ୍ଦୁଝର ଜିଲ୍ଲା ସମେତ ମୟୁରଭଞ୍ଜ,ଯାଜପୁର ଏବଂ ଭଦ୍ରକ ଜିଲ୍ଲାର ଲକ୍ଷ ଲକ୍ଷ ଲୋକ ନିର୍ଭରଶୀଳ ଥିବାର ବୈତରଣୀ ନଦୀର ସୁରକ୍ଷା ପାଇଁ ସରକାର ଏବେ ଠାରୁ ପଦକ୍ଷେପ ନ ନେଲେ ଆଗାମି ଦିନରେ ଜଳସଙ୍କଟ ଉତ୍କଟ ହେବ ବୋଲି ମହାନଦୀ ବଂଚାଓ ଅଭିଯାନର ଆବାହକ ସୁଦର୍ଶନ ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ