ଦିଗପହଣ୍ଡି ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଉଠାଦୋକାନୀଙ୍କ ବିକ୍ଷୋଭ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବସଷ୍ଟାଣ୍ଡ ରାସ୍ତା ପାର୍ଶ୍ବରେ ରହିଥିବା ଉଠା ଦୋକାନୀଙ୍କୁ ଥଇଥାନ ନିମନ୍ତେ ସୋମବାର ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣାପଡିଛି । ଖବରନୁଯାୟୀ , ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ରାସ୍ତା କଡ଼ରେ କିଛି ବ୍ୟବସାୟୀ ନିଜସ୍ଵ ଦୋକାନ ଗୃହ ନଥିବାରୁ ସେମାନେ ଦୀର୍ଘ ବର୍ଷ ଧରି ଠେଲାଗାଡି ଦ୍ବାରା ବ୍ୟବସାୟ କରି ପରିବାର ପୋଷଣ କରି ଆସୁଛନ୍ତି । ଏଭଳି ସମୟରେ ଦିଗପହଣ୍ଡି ବସଷ୍ଟାଣ୍ଡରେ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଗତ ଦୁଇଦିନ ପୂର୍ବେ ଏନ୍ ଏସି ପ୍ରଶାସନ ପକ୍ଷରୁ ରାସ୍ତାରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା । ଅପରପକ୍ଷରେ ଦିଗପହଣ୍ଡିରେ ଭେଣ୍ଡିଙ୍ଗ ଜୋନ ନଥିବାରୁ ବ୍ୟବସାୟୀ ମାନେ କେଉଁଠି ନିଜର ବ୍ୟବସାୟ କରି ପରିବାର ଚଳାଇବେ ତାହାକୁ ନେଇ ବର୍ତ୍ତମାନ ଚିନ୍ତା ପ୍ରକଟ କରିଛନ୍ତି । ଏପରିକି ବ୍ୟବସାୟ ମାନେ ଜୀବିକା ହରାଇବା ସହ ପରିବାର କିଭଳି ପୋଷଣ କରିବେ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହାକୁ ନେଇ ଉଠା ଦୋକାନୀ ସଂଘ ସଭାପତି ପରେଶ ଚନ୍ଦ୍ର ରଥଙ୍କ ନେତୃତ୍ୱରେ ସଂପାଦକ ଭବାନୀ ଶଙ୍କର ପଣ୍ଡା ସମେତ ଅରୁଣ କୁମାର ଚୌଧୁରୀ , ଶଙ୍କର ପାତ୍ର , ସଞ୍ଜୟ ସ୍ବାଇଁ , ସନ୍ତୋଷ ସାହୁ , ସିମାଞ୍ଚଳ ବେହେରା , ବଳିଆ ସାହୁ , ବିଷିକେସନ ସାହୁ , ବାବୁଲା ବେହେରା ସମେତ ବହୁ ସଦସ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ଭେଣ୍ଡିଙ୍ଗ ଜୋନ ନିର୍ମାଣ ପର୍ଯ୍ୟନ୍ତ ବ୍ୟବସାୟୀଙ୍କୁ ରାସ୍ତା କଡ଼ରେ ବ୍ୟବସାୟ କରିବା ପାଇଁଁ ଦାବି ପ୍ରଦାନ କରିଛନ୍ତି । ଏନେଇ କାର୍ଯ୍ଯ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କ ସହ ଯୋଗାଯୋଗ କରିବାରୁ ଆଗାମୀ ୨୦୨୬ ଜୁଲାଇ ସୁଦ୍ଧା ଦିଗପହଣ୍ଡି ସହରରେ ୪୦ ଗୋଟି ଦୋକାନ ଗୃହ ନିର୍ମାଣ କରାଯାଇ ବ୍ୟବସାୟୀଙ୍କୁ ଥଇଥାନ କରାଯିବ ଏବଂ ପୁରୁଣା ବସଷ୍ଟାଣ୍ଡରେ କିଛି ବ୍ୟବସାୟୀ ରାସ୍ତା ଉପରେ ଠେଲା ଗାଡି ରଖି ବ୍ୟବସାୟ କରିବା ଦ୍ବାରା ବିଭିନ୍ନ ସମୟରେ ଟ୍ରାଫିକ ଭଳି ସମସ୍ୟା ସୃଷ୍ଟି ହୋଇ ଆସୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ।


