ଆସିକା ସରକାରୀ ବିଦ୍ୟାଳୟରେ ଅନୁଷ୍ଟିତ ହେଲା ପିଟିଏମ୍‌

ଆସିକା  (ୱାଇଏନ୍‍ଏସ୍‍):  ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ରାଜ୍ୟ ସରକାର ଏକ ଯୁଗାନ୍ତକାରୀ ପ୍ରୟାସ ସ୍ୱରୁପ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ଗୁଡିକରେ ୨୦୨୫-୨୬ ଶିକ୍ଷାବର୍ଷର ଚତୁର୍ଥ ଅଭିଭାବକ-ଶିକ୍ଷକ/ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟି/ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ଶନିବାର ଅନୁଷ୍ଟିତ ହୋଇଯାଇଛି। ବିଦ୍ୟାଳୟ ଗୁଡିକରେ ଅନୁଷ୍ଟିତ ହୋଇଥିବା ଏହି ବୈଠକରେ ସମସ୍ତ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି (ଏସ୍‌ଏମ୍‌ସି), ସ୍କୁଲ ପରିଚାଳନା ଓ ଉନ୍ନୟନ କମିଟି (ଏସ୍‌ଏମ୍‌ଡିସି) ସଦସ୍ୟମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ୧୩ଟି କ୍ଳଷ୍ଟରର ୧୬୦ଟି ପ୍ରାଥମିକ, ଉଚ୍ଚପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଗୁଡିକରେ ଏହି ପିଟିଏମ୍ ବୈଠକ ଅନୁଷ୍ଟିତ ହୋଇଥିଲା । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତି, ସହକାରୀ ଗୋଷ୍ଟୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଓ ଭଂଜ ବେହେରା ଙ୍କ ପରାମର୍ଶକ୍ରମେ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଛାତ୍ରୀଙ୍କ ଅଭିଭାବକ, ଏଏମ୍‍ସି, ଏଏସ୍‍ମ୍‍ଡିସିର ସଦସ୍ୟମାନେ ଏହି ଅଭିଭାବକ-ଶିକ୍ଷକ ବୈଠକରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ନିରାପଦ ପରିବେଶ ସୃଷ୍ଟି, ବାଳିକା ମାନଙ୍କର ସୁରକ୍ଷା ଓ ନିରାପତ୍ତା ପାଇଁ ସଚେତନତା ଏବଂ କର୍ମକ୍ଷେତ୍ରରେ ମହିଳାମାନଙ୍କ ପାଇଁ ସୁରକ୍ଷାକୁ ସୁନିଶ୍ଚିତ କରିବା, ଆସ ସ୍କୁଲ ଯିବା ଅଭିଯାନ କାର୍ଯ୍ୟକ୍ରମର ସଫଳ ରୂପାୟନ, ବିଦ୍ୟାଳୟରେ ପରିଷ୍କାର ଏବଂ ପରିଚ୍ଛନ୍ନତା, ବିଦ୍ୟାର୍ଥୀମାନଙ୍କର କ୍ୟାରିୟର୍‍ ଗଠନରେ ପିତାମାତାଙ୍କର ଭୂମିକା, ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ନିମନ୍ତେ ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ଏବଂ ଅଭିଭାବକ ଓ ଶିକ୍ଷକମାନଙ୍କର ଭୂମିକା, ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ବିଦ୍ୟାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ଓ ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମୀକୁ ସୁଦୃଢ କରିବା, ବିକଶିତ ଭାରତ ଓ ବିକଶିତ ଓଡିଶା ଗଠନରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କ ଭୂମିକା, ଶିକ୍ଷା ମାଧ୍ୟମରେ ବିଦ୍ୟାର୍ଥୀଙ୍କ ବୌଦ୍ଧିକ ଏବଂ ସହବୌଦ୍ଧିକ ଗୁଣାବଳୀର ବିକାଶ, ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶରେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦାୟିତ୍ୱ ଏବଂ କର୍ତ୍ତବ୍ୟ ସମେତ ବିଭିନ୍ନ ଶିକ୍ଷା କଲ୍ୟାଣକାରୀ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ବର୍ଷକୁ ଚାରିଥର ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହେବା ପାଇଁ ଶୈକ୍ଷିକ କ୍ୟାଲେଣ୍ଡରର ଉଲ୍ଲେଖ ରହିଥିଲା ବେଳେ ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ତଥା ଗୋଷ୍ଠୀ ଓ ବିଦ୍ୟାଳୟରେ ଏକ ନିରନ୍ତର ସଂପର୍କ ସ୍ଥାପନ କରିବା ଓ ଛାତ୍ରଛାତ୍ରୀମାନଙ୍କ ଶିକ୍ଷଣ ଦକ୍ଷତାକୁ ଉପଲବ୍ଧିକୁ ନିଶ୍ଚିତ କରିବାର ଏହା ଏକ ମାଧ୍ୟମ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ କେନ୍ଦୁପଦର, ନିମିନା, ବାଲିସିରା, କେ.ନୁଆଁପଲ୍ଲୀ, ଗଙ୍ଗାପୁର, ଆସିକା ଏନ୍‍ଏସି, ବାବନପୁର, ଭେଟନଇ, ବଡଖୋଲି, ହରିଡାପଦର, କାଳଷଣ୍ଢପୁୁର, ନଳବଣ୍ଟା, ଖାରିଆ କ୍ଳଷ୍ଟର ଅଧୀନସ୍ଥ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟରେ ଶନିବାର ଏହି ଚତୁର୍ଥ ଅଭିଭାବକ ଶିକ୍ଷକ/ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା/ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ