ଦୁହୁରିଆରେ ଅଣ୍ଡରପାସକୁ ନେଇ ଜନଅସନ୍ତୋଷ: ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଦୁହୁରିଆ ନିକଟରେ ଦୁଇଟି ଅଣ୍ଡରପାସ ନିର୍ମାଣ କରିବାକୁ ଯୋଜନା ହୋଇଥିବା ବେଳେ ଠିକାସଂସ୍ଥା ଗୋଟିଏ ଅଣ୍ଡରପାସ ନିର୍ମାଣ କରି ଚୁପ ହୋଇ ବସିଛି। ଏହାଦ୍ୱାରା ଭବିଷ୍ୟତରେ ବହୁ ଦୁର୍ଘଟଣା ଘଟିବ। ଯେଉଁଥିରେ ଅନେକ ଲୋକଙ୍କ ପ୍ରାଣହାନୀ ଘଟିବ। ଏହି ସମସ୍ୟାକୁ ଜିଲ୍ଲା ପ୍ରଶାସନ ହୃଦୟଙ୍ଗମ କରି ଠିକାସଂସ୍ଥା ସହ ବାରମ୍ବାର ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ ସୁଧା ଠିକାସଂସ୍ଥା ଏହାକୁ କର୍ଣ୍ଣପାତ କରୁନାହିଁ। ଏହାକୁ ନେଇ କେନ୍ଦ୍ରାପଡାର ବୁଦ୍ଧିଜିବୀମାନେ ଜାତୀୟ ରାଜପଥର ଆଞ୍ଚଳିକ କତ୍ତୃପକ୍ଷଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଅଭିଯୋଗରେ ଉଲ୍ଲେଖ ରହିଛି ଠିକାସଂସ୍ଥା ଦୁଇଟି ଅଣ୍ଡରପାସ ନିର୍ମାଣ କରିବେ ବୋଲି କହିବାରୁ ସ୍ଥାନୀୟ ଦୋକାନୀମାନେ କ୍ୟାବିନ ଉଠାଇ ଦେଇଥିଲେ। ସ୍ଥାନୀୟ ଯୁବକମାନେ ନିଜର ପେଟପାଟଣା କଥାକୁ ଅଗ୍ରାଧିକାର ନଦେଇ ସାମାଜିକ ମଙ୍ଗଳ କଥା ଚିନ୍ତାକଲେ। କିନ୍ତୁ ଠିକାସଂସ୍ଥା ନିଜର କର୍ତ୍ତବ୍ୟ ଭୁଲିଗଲା। ଗୋଟିଏ ଅଣ୍ଡରପାସ ନିର୍ମାଣ ହୋଇଥିବାରୁ ଗାଡି ମଟର ଗୁଡିକ ଚାନ୍ଦବାଲିରୁ କେନ୍ଦ୍ରାପଡା ଦେଇ କଟକ ଯିବା ସୁବିଧା ହେବ। କିନ୍ତୁ କଟକରୁ ଯେଉଁ ଗାଡି ମଟର ଗୁଡିକ କେନ୍ଦ୍ରାପଡା ଦେଇ ଚାନ୍ଦବାଲି ଅଭିମୁଖେ ଯିବ ସେଥିପାଇଁ ଆଉ ଏକ ଅଣ୍ଡରପାସ ନିର୍ମାଣର ଆବଶ୍ୟକତା ରହିଛି। ଆଉ ଏକ ଅଣ୍ଡରପାସ ନିର୍ମାଣ ନହେଲେ କଟକରୁ ଆସୁଥିବା ଗାଡିମଟର ଗୁଡିକ ଦୁର୍ଘଟଣାର ସମ୍ମୁଖୀନ ହେବ। ଏଠାରେ ସୂଚନା ଯୋଗ୍ୟ ଯେ କଟକ-ଚାନ୍ଦବାଲି ରାସ୍ତା ୬ଲେନ ବିଶିଷ୍ଟ ହେବା ପାଇଁ ସରକାରୀ ମଞ୍ଜୁରୀ ମିଳିଥିବାରୁ ଏଠାରେ ଅନ୍ୟ ଏକ ଅଣ୍ଡରପାସ ନିର୍ମାଣ ହେବାର ଯଥେଷ୍ଟ ଆବଶ୍ୟକ ରହିଛି। ଗୋଟିଏ ଅଣ୍ଡରପାସ ନିର୍ମାଣ ହୋଇଥିବାରୁ କଟକ ଜିଲ୍ଲାରୁ ଆସୁଥିବା ଗାଡି, ଜଗତସିଂହପୁର ଜିଲ୍ଲାରୁ ଆସୁଥିବା ଗାଡି, ଯାଜପୁର ଜିଲ୍ଲାରୁ ଆସୁଥିବା ଗାଡି ଓ ଭଦ୍ରକ ଜିଲ୍ଲାରୁ ଆସୁଥିବା ଗାଡି ଗୋଟିଏ ସ୍ଥାନରେ ପରସ୍ପରକୁ ଅତିକ୍ରମ କରିବେ। ଫଳରେ ଗୋଟିଏ ଛକରେ ଚାରି ଜିଲ୍ଲାର ଗାଡି ପରସ୍ପର ମଧ୍ୟରେ ସମସ୍ୟା ସୃଷ୍ଟି କରିବେ। ଏହି ସମସ୍ୟାର ସମାଧାନ କରିବାକୁ ହେଲେ ଆଉ ଏକ ଅଣ୍ଡରପାସ ନିର୍ମାଣର ଆବଶ୍ୟକତା ରହିଛି। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଏଠାରେ ଅଣ୍ଡରପାସ ନିର୍ମାଣ କରାଯିବା ପୂର୍ବରୁ ପ୍ରଶାସନ ଓ ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟରେ ଦାବି କରାଯାଇଥିଲା। ଏହାକୁ ପ୍ରଶାସନ ହୃଦୟଙ୍ଗମ କରି ଠିକାସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲା ଏଠାରେ ଦୁଇଟି ଅଣ୍ଡରପାସ ନିର୍ମାଣ କରିବା ପାଇଁ। ଠିକାସଂସ୍ଥା ମଧ୍ୟ ଦୁଇଟି ଅଣ୍ଡରପାସ ନିର୍ମାଣ କରିବାକୁ ସହମତି ପ୍ରକାଶ କରିଥିଲା। ହେଲେ ଏବେ ଠିକାସଂସ୍ଥା ନିଜ ପ୍ରତିଶୃତିରୁ ଓହରି ଯାଉଛି। ଏହାଦ୍ୱାରା ଜନସାଧାରଣଙ୍କ ଜୀବନ ବିପଦରେ ପଡିବ। ଯଦି ଠିକାସଂସ୍ଥା ଖୁବଶୀଘ୍ର ଆଉ ଏକ ଅଣ୍ଡରପାସ ନିର୍ମାଣ ନକରେ ତାହାହେଲେ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ବୁଦ୍ଧିଜିବୀମାନେ ଜାତୀୟ ରାଜପଥ କତ୍ତୃପକ୍ଷଙ୍କୁ ଭେଟି ଆଲୋଚନା କରିବା ସହିତ ଦାବିପତ୍ର ପ୍ରଦାନ କରିଛନ୍ତି। ଆଲୋଚନାରେ ବରିଷ୍ଠ ଆଇନଜୀବୀ ବିଜୟ କୁମାର ପରିଡା, ଦେବାଶିଷ ଦାସ, ସନାତନ ମୁଦୁଲି, ସ୍ୱୟଂପ୍ରକାଶ ଦାସ, ଗିରିଧାରୀ ପଟ୍ଟନାୟକ, ପ୍ରଶାନ୍ତ ସେଠୀ, ବିଶ୍ୱପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ