ବିଭିନ୍ନ ଦାବୀ ନେଇ ଅଖିଳ ଭାରତ କୃଷକ ସଭାର ଗଣ ଧାରଣା
ଛତ୍ରପୁର, (ଓ୍ବାଇଏନଏସ): ସମସ୍ତ ଧାନ ମଣ୍ଡି ଖୋଲିବା, ଚାଷି ଓ ଭାଗଚାଷିଙ୍କୁ ଯଥାଶୀଘ୍ର “ଟୋକେନ୍” ପ୍ରଦାନ କରି ଧାନ କ୍ରୟ କରିବା, କଟଣି – ଛଟଣି” ବିରୁଦ୍ଧରେ ଦୃଢ ପଦକ୍ଷେପ ନେବା ସମେତ ୭ ଦଫା ଦାବୀ ନେଇ ଅଖିଳ ଭାରତ କୃଷକ ସଭା ଗଞ୍ଜାମ ଜିଲ୍ଲା ପରିଷଦ ପକ୍ଷରୁ ଆଜି ଆନ୍ଦୋଳନ କୁ ଓଲ୍ହାଇଛନ୍ତି । ଜିଲ୍ଲା ସଭାପତି ଶ୍ରୀହର୍ଷ ରଥ ଙ୍କ ନେତୃତ୍ୱ ରେ ଚାଷୀ ଓ ଭାଗ ଚାଷୀ ମାନେ ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଗଣ ଧାରଣା ଦେଇଥିଲେ । ନଚେତ ଆଗାମୀ ଦିନ ରେ ବଡ଼ ଧରଣ ର ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏନେଇ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଏକ ଲିଖିତ ଦାବୀ ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଗଞ୍ଜାମଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି ଙ୍କୁ ପ୍ରଦାନ କରାଯାଇଛି l ଜିଲ୍ଲାରେ ପ୍ରସ୍ତାବିତ ସମସ୍ତ ଧାନ ବିକ୍ରୟ କେନ୍ଦ୍ର (ମଣ୍ଡି), ଏ ଯାବତ୍ ଖୋଲାଯାଇପାରିନାହିଁ । ଏବଂ ସମସ୍ତ ପଞ୍ଜିକୃତ ଚାଷି ଏବଂ ଭାଗଚାଷିଙ୍କ ନିକଟରେ “ଟୋକେନ୍” ପହଂଚି ପାରିନାହିଁ । ଏଣୁ ଜଣେ ଚାଷି କେତେ ପରିମାଣର ଧାନ ବିକ୍ରୟ କରିପାରିବ ଏବଂ କେଉଁ ସମୟରେ ଦେବ, ତାହା ଜାଣି ନପାରି ଆଂଶକିତ ହୋଇ ରହିଛି । ଭାଗଚାଷି ଙ୍କ ସଂପର୍କରେ ପ୍ରତ୍ୟେକ୍ଷ ତଦନ୍ତ କରାନଯାଇ, ଜମି ମାଲିକଙ୍କ ଠାରୁ ଫୋନ୍ ରେ ମତାମତ ନପାଇଲେ, ଭାଗଚାଷି ଧାନ ବିକ୍ରୟ କରି ପାରିବ ନାହିଁ ବୋଲି ପ୍ରଚାରିତ ଖବର ଯୋଗୁଁ, ଜିଲ୍ଲାର ଭାଗଚାଷି ଚିନ୍ତାରେ ଅଛନ୍ତି । ଅନ୍ୟପକ୍ଷରେ, ଅମଳ ସମୟରୁ ଚାଷି, ନିଜ ସଂଗୃହୀତ ଅଖାରେ ଧାନ ବୋଝେଇ କରି ମାସ ମାସ ଧରି ସାଇତି ରଖିଥିବା ବେଳେ, ବର୍ତମାନ ଝୋଟ ଅଖା ରେ ଧାନ ମଣ୍ଡିକୁ ଆଣିବା ନିମନ୍ତେ ବାଧ୍ୟ କରାଯାଉଥୁବା ଶୁଣିବାକୁ ମିଳୁଛି । ଧାନ ବିକ୍ରୟ ନିମନ୍ତେ ସରକାରଙ୍କ ଯୋଜନା, ନିୟମ ଓ କଟକଣା ନେଇ, ଚାଷି ପୂର୍ବରୁ ଅବଗତ ହୋଇନପାରି, ଚିନ୍ତିତ ଓ ଆଶଂକାଗ୍ରସ୍ଥ ହୋଇ ରହିଛି । ଏଣୁ ଅବିଳମ୍ବେ ସମସ୍ତ ମଣ୍ଡି ଖୋଲାଯାଇ ଧାନ କ୍ରୟ ପ୍ରକ୍ରିୟାକୁ ତ୍ବରାନୀତ କରାଯାଉ । “କଟଣି – ଛଟଣି” ବିରୁଦ୍ଧରେ ଦୃକ ପଦକ୍ଷେପ ନିଆଯାଉ l ସମସ୍ତ ଚାଷି ଓ ଭାଗଚାଷିଙ୍କୁ ଯଥାଶୀଘ୍ର “ଟୋକେନ୍” ପ୍ରଦାନ କରାଯାଉ। ଏ ସଂପର୍କରେ ଚାଷି ଅବଗତ ହେବା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଉ । ଜଣେ ଚାଷିର ସମସ୍ତ ଟୋକେନ୍ ଏକକାଳୀନ ପ୍ରଦାନ କରାଯାଉ । ଭାଗଚାଷିଙ୍କ ଚାଷଜମି ଅନୁଧାନ କଲାବେଳେ, ଆବଶ୍ୟକ ସ୍ଥଳେ ଜମିମାଲିକଙ୍କ ସହ ପ୍ରତ୍ୟକ୍ଷ ଯୋଗାଯୋଗ କରି ନିଷ୍ପତି ନିଆଯାଉ ।ମଣ୍ଡି ବ୍ୟତିତ, ପ୍ରତ୍ୟେକ ରାଜସ୍ୱ ଗ୍ରାମରେ, ସ୍ଥାନୀୟ ଚାଷି ମାନଙ୍କ ଠାରୁ ଏକକାଳିନ ସମସ୍ତ ଧାନ କ୍ରୟ ନିମନ୍ତେ ଯୋଜନା ଦିଆଯାଇ, ସେମାନଙ୍କୁ ଅଯଥା ଖର୍ଚ୍ଚାନ୍ତରୁ ରକ୍ଷା କରାଯାଉ ।ଚଳିତ ବର୍ଷ ଚାଷି ମାନଙ୍କ, ଝୋଟ ଅଖାରେ ଧାନ ଦେବା ନିମନ୍ତେ ବାଧ୍ୟ କରାନଯାଉ । ଧାନ ବିକୟ ଏବଂ ବୀମା ସଂପର୍କିତ ସମସ୍ତ ସୂଚନା, ଚାଷିଙ୍କୁ ପ୍ରଦାନ ଏବଂ ଅଭିଯୋଗର ସମାଧାନ ନିମନ୍ତେ, ପ୍ରତ୍ୟେକ ବ୍ଲକରେ ଏକ ସତନ୍ତ୍ର ପ୍ରକୋଷ୍ଠ ଖୋଲାଯାଉ । ଧାନ ବିକ୍ରୟ ନିମନ୍ତେ, ଚାଷିମାନଙ୍କ ପାଇଁ ଥିବା ସରକାରୀ ନିର୍ଦ୍ଦେଶ, ନିୟମ ଓ କଟକଣା ସଂପର୍କରେ, ଚାଷି ପଞ୍ଜିକରଣ ସମୟରେ ହିଁ, ଚାଷିକୁ ଲିଖିତ ଆକାରରେ ଜଣାଇ ଦିଆଯାଉ । ଏବଂ ଖବରକାଗଜରେ ବିଜ୍ଞାପନ ଜରିଆରେ ସୂଚିତ କରାଯାଉ ବୋଲି ଉକ୍ତ ଦାବୀ ପତ୍ର ଦର୍ଶାଯାଇଛି । ପ୍ରାରମ୍ଭ ରେ ଚାଷୀ ମାନେ ନିଜଦାବୀ ପୂରଣ ନିମନ୍ତେ ସ୍ଥାନୀୟ ଲକ୍ଷ୍ମଣ ଠାରୁ ଏକ ଶୋଭାଯାତ୍ରା ରେ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରେ ପହଁଚି ଥିଲେ । ଏହି କାର୍ଯ୍ୟକ୍ରମ ରେ ସାଙ୍ଗଠନିକ ସମ୍ପାଦକ ନୀଳକଣ୍ଠ ଦାଶ, ସିପିଆଇ ଜିଲ୍ଲା ସହ – ସମ୍ପାଦକ ପ୍ରଦୀପ ସେଠି, ରଂକନାଥ ସ୍ୱାଇଁ, ଶରତ ପଟ୍ଟନାୟକ, ଏସ. କ୍ରିଷ୍ଣା ରେଡ୍ଡୀ, ସିମାଞ୍ଚଳ ସାହୁ, ସିଏଚ. ଜନାର୍ଦନ ରେଡ୍ଡୀ, ଡି. ଆଦିନାରାୟଣ ରେଡ୍ଡୀ,ରାଜେନ୍ଦ୍ର ନାହାକ, ଏସ. ତ୍ରିନାଥ ରେଡ୍ଡୀ,ବିଦେଶୀ ନାହାକ, ପଞ୍ଚାନନ ସ୍ୱାଇଁ,କୈଳାଶ ପାତ୍ର, ଏନ. ସୁକାନ୍ତ ଆଚାରୀ ଙ୍କ ସମେତ ବହୁ ଚାଷୀ ମାନେ ସାମିଲ ଥିଲେ।


