୧୦ଦଫା ଦାବି ପୁରଣ ନ ହେଲେ ବ୍ଳକ ସମ୍ମୁଖରେ ଧାରଣା କରାଯିବ ବୋଲି ଜନପ୍ରତିନିଧିଙ୍କ ଚେତାବନୀ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ବାରମ୍ବାର ଜନପ୍ରତିନିଧିମାନଙ୍କ ଦ୍ୱାରା ଅଭିଯୋଗ କରାଯାଉଥିଲେ ମଧ୍ୟ ତାହାର କୌଣସି ସମାଧାନ ହୋଇପାରୁନାହିଁ। ଯାହାଫଳରେ ବ୍ଳକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମମାନ ପ୍ରଭାବିତ ହେଉଛି। ବାରମ୍ବାର ଏସଂପର୍କରେ ଉଚ୍ଚ ପ୍ରଶସାନିକ ଅଧିକାରୀଙ୍କୁ ଜଣାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ତେଣୁ ବ୍ଳକର ସମସ୍ତ ପଂଚାୟତ ପ୍ରତିନିଧିମାନଙ୍କର ମିଳିତ ସ୍ୱାକ୍ଷରରେ ଏସଂକ୍ରାନ୍ତରେ ଏକ ଦାବିପତ୍ର ବିଡିଓ ନିରଞ୍ଜନ ପରିଡାଙ୍କୁ ପ୍ରଦାନ କରାଯାଇଛି। ଆଗାମୀ ୭ଦିନ ମଧ୍ୟରେ ଏହି ଦାବି ଗୁଡିକ ପୁରଣ ନହେଲେ ପ୍ରତିନିଧିମାନଙ୍କ ଦ୍ୱାରା ପ୍ରଥମେ ଗଣତାନ୍ତ୍ରିକ ଉପାୟରେ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପରେ ଆନ୍ଦୋଳନାତ୍ମକପନ୍ଥା ଗ୍ରହଣ କରାଯିବ ବୋଲି ଦାବିପତ୍ରରେ ଚେତାବନୀ ଦିଆଯାଇଛି। ୧୦ଦଫା ଦାବି ଗୁଡିକ ମଧ୍ୟରେ ବ୍ଳକର ବିଭିନ୍ନ ପଂଚାୟତରେ ପଡି ରହିଥିବା ଜିଆଇଏ ପ୍ରକଳ୍ପ ଗୁଡିକ କାର୍ଯ୍ୟାଦେଶ ଦିଆଯାଇ ପଂଚାୟତ ସମିତି ନିଷ୍ପତି ଅନୁସାରେ କାର୍ଯ୍ୟକାରୀ କରିବା, ପଂଚାୟତ ସମିତି ସଭ୍ୟମାନଙ୍କର ହାତପାଣ୍ଠି ଖର୍ଚ୍ଚ କରିବା ବିଳମ୍ବ ସମ୍ବନ୍ଧେ, ଅନ୍ତ୍ୟୋଦୟ ଗୃହ ଯୋଜନାରେ ହୋଇଥିବା ଅନିୟମିତତା ସମ୍ବନ୍ଧେ, ପଂଚାୟତ ସମିତି ସହିତ ପରାମର୍ଶ ନକରି ବିଭିନ୍ନ ପଂଚାୟତରେ ୩/୪ ମାସ କାର୍ଯ୍ୟ କରିଥିବା ପିଇଓଙ୍କୁ ସରକାରୀ ନିୟମ ବିରୁଦ୍ଧରେ ବଦଳି କରି ପଂଚାୟତ କାର୍ଯ୍ୟକୁ ମନ୍ଦ ଉଦ୍ଦେଶ୍ୟରେ ବନ୍ଦ କରିବା, ବିଗତ ପଂଚାୟତ ସମିତି ଗୁଡିକରେ ନିଆଯାଇଥିବା ନିଷ୍ପତି ଗୁଡିକ କାର୍ଯ୍ୟକାରୀ କରୁନଥିବା ଅଧିକାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ପଂଚାୟତ ସମିତି ବିନା ଅନୁମତିରେ ଭାଉଚର ମାଧ୍ୟମରେ ହେଉଥିବା ଖର୍ଚ୍ଚ ଗୁଡିକର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦ୍ୱାରା ତଦନ୍ତ ପାଇଁ ସୁପାରିଶ, ବ୍ଳକର ବିଗତ ଦିନରେ ପାଳନ ହୋଇଥିବା ଜାତୀୟ ପଂଚାୟତିରାଜ ଦିବସ, ସୁଭଦ୍ରା ଯୋଜନା ଓ ଅନ୍ତ୍ୟୋଦୟ ଗୃହ ଯୋଜନା ନିମନ୍ତେ ବ୍ଳକସ୍ତରୀୟ ସମାବେଶ ଆୟୋଜନ ହୋଇଥିବା ଖର୍ଚ୍ଚରେ ବିଧିବଦ୍ଧ ତଦନ୍ତ, ବ୍ଳକର କୌଣସି କାର୍ଯ୍ୟକ୍ରମରେ ଜନପ୍ରତିନିଧିମାନଙ୍କୁ ଚିଠି ମାନଙ୍କରେ ଅବଗତ କରାଯାଇ ନଥିବା, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପୂନ୍ନ ହେଉଥିଲେ ମଧ୍ୟ ବିଲ ପ୍ରଦାନରେ ଅହେତୁକ ବିଳମ୍ବ, ଗ୍ରାମପଂଚାୟତ ଗୁଡିକର ବିଭିନ୍ନ ଅର୍ଥରାଶି ବ୍ଳକ କାର୍ଯ୍ୟାଳୟରେ ପଡି ରହିଥିଲେ ମଧ୍ୟ ତାହା ଗ୍ରାମ ପଂଚାୟତକୁ ହସ୍ତାନ୍ତର ନକରିବା ଆଦି ଦାବି ରହିଛି। ବିଡିଓଙ୍କ ସମେତ ଉକ୍ତ ଦାବିପତ୍ରର ନକଲ ମୁଖ୍ୟ ଶାସନ ସଚିବ ଓଡିଶା ସରକାର, ପଂଚାୟତିରାଜ ଓ ପାନୀୟଜଳ ବିଭାଗ, ସଚିବ,ଜିଲାପାଳ ଜଗତସିଂହପୁର, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲା ପରିଷଦ ଜଗତସିଂହପୁରକୁ ଆଦିଙ୍କ ଅବଗତ ନିମନ୍ତେ ପଠାଯାଇଛି। ଏହି ଦାବିପତ୍ରରେ ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଉପାଧ୍ୟକ୍ଷ ସୁଜିତ୍ କୁମାର ପୁହାଣ, ଘୋଡାଂଶ ସମିତି ସଭ୍ୟ ତରୁଣକାନ୍ତ ବାରିକ, ଡାବର ସମିତି ସଭ୍ୟ ସୁବଳ ବେହେରା, ଡାବର ସରପଂଚ ବବିତା ସ୍ୱାଇଁ, ରୋହିଆ ସରପଂଚ ହେମଲତା ମହାନ୍ତି, କୋରୁଅ ସରପଂଚ ସଂଧ୍ୟାରଣୀ ବେହେରା, ଶିଖର ସରପଂଚ କବିତା ନାୟକ, ଡେରିକି ସରପଂଚ ପ୍ରଶାନ୍ତ ଜେନା ଆଦିଙ୍କ ସ୍ୱାକ୍ଷର ରହିଛି। ଏସଂପର୍କରେ ବିଡିଓ ପରିଡାଙ୍କୁ ପଚାରିବାରେ ପଂଚାୟତ ପ୍ରତିନିଧିଙ୍କ ସମସ୍ୟା ବିଷୟରେ ତାଙ୍କ ସହ ଆଲୋଚନା କରାଯିବ ବୋଲି କହିଥିଲେ।