ଆଜିଠାରୁ ରାଜ୍ୟରେ ପୁଣି ପିୟୁସିସି ଯାଞ୍ଚ୍ କଡ଼ାକଡ଼ି

କଟକ, (ଓ୍ବାଇଏନଏସ): ଆସନ୍ତା ଏପ୍ରିଲ ୨ତାରିଖରୁ ରାଜ୍ୟରେ ପୁଣି ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ (ପିୟୁସିସି) ଯାଞ୍ଚ୍ କଡ଼ାକଡ଼ି କରାଯିବ । ଯେଉଁମାନେ ଗାଡ଼ିର ପିୟୁସିସି କରିନଥିବେ ସେମାନଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷରେ ଯେଉଁମାନଙ୍କ ଗାଡ଼ି ଉପରେ ଟ୍ରାଫିକ୍ ଉଲ୍ଲଂଘନ ପାଇଁ ଜରିମାନା କରାଯାଇଥିଲା ସେମାନଙ୍କ ପାଇଁ ପରିବହନ ବିଭାଗ ପକ୍ଷରୁ ଏକ ଓଟିଏସ୍ (ୱାନ୍ ଟାଇମ୍ ସେଟଲ୍ମେଣ୍ଟ) ସ୍କିମ୍ ଲାଗୁ କରାଯାଇଥିଲା । ଯେଉଁମାନେ ଧାର୍ଯ୍ୟ ସମୟ ମଧ୍ୟରେ ଜରିମାନାର ୫୦% ଅର୍ଥ ଦେବେ ସେଥିରେ ମୋଟ ଜରିମାନା ଅର୍ଥ କଟିଯିବ ବୋଲି କୁହାଯାଇଥିଲା । ଏହି ଅବଧି ମଧ୍ୟ ମଙ୍ଗଳବାର ଶେଷ ହୋଇଛି । ତେବେ ୫ମାସ ତଳୁ ଏହ ଓଟିଏସ୍ ସ୍କିମ୍ ଲାଗୁ ହୋଇଥିଲାବେଳେ ଇତିମଧ୍ୟରେ ମାତ୍ର ୨୫% ଜରିମାନା ଅର୍ଥ ଆଦାୟ ହୋଇପାରିଛି । ଅର୍ଥାତ ପ୍ରାୟ ୧୩୦୦ କୋଟି ଟଙ୍କାର ଜରିମାନା ଅର୍ଥରୁ ମାତ୍ର ଦେଢ଼ ଶହ କୋଟି ଟଙ୍କା ଆଦାୟ ହୋଇଛି । ତେଣୁ ଜରିମାନା ଅର୍ଥକୁ ଅଧିକରୁ ଅଧିକ ଆଦାୟ ପାଇଁ ଏସ୍ଟିଏ ପକ୍ଷରୁ ରାଜ୍ୟ ପରିବହନ ବିଭାଗକୁ ପ୍ରସ୍ତାବ ଦିଆଯାଇଛି । ପ୍ରାୟ ଗୋଟିଏ ମାସ ପାଇଁ ପୁନର୍ବାର ଏହି ଅବଧି ବୃଦ୍ଧି ହେବ ବୋଲି ଜଣାପଡ଼ିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜରିମାନା ପଇଠ କରିବାକୁ ଲୋକ ଆଗ୍ରହ ଦେଖାଉଛନ୍ତି । କିନ୍ତୁ ଜରିମାନା ଅର୍ଥ କେଉଁଠି, କାହାକୁ ଏବଂ କେଉଁ ପ୍ରକ୍ରିୟାରେ ଦିଆଯିବ ତାହାକୁ ନେଇ ସେମାନେ ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି । ପରିବହନ ବିଭାଗ ଓ ପୁଲିସ ଦ୍ୱାରା ମାଧ୍ୟମରେ ଚାଲାଣ କଟାଯାଉଥିବାବେଳେ ଏହାର ପଇଠ ମାଧ୍ୟମ ଅଲଗା ହୋଇଥିବାରୁ ସମସ୍ୟା ହେଉଛି । ସେହିପରି ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟରେ ଗତ ୨୧ ତାରିଖରୁ ଚାଲିଥିବା ସ୍ୱତନ୍ତ୍ର ଚଢ଼ଉ ଅଭିଯାନ ଆଜି ଶେଷ ହେଉଥିଲା । କିନ୍ତୁ ପୁନର୍ବାର ଏହି ଅଭିଯାନକୁ ଆସନ୍ତା ଏପ୍ରିଲ ୧୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଅଭିଯାନରେ ମୋଟର ଭେଇକିଲ୍ ନିୟମର ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । କେବଳ ଦୁଇ ଚକିଆ ନୁହେଁ ବସ୍, ଟ୍ରକ୍ ଭଳି ଭାରୀଯାନଗୁଡ଼ିକୁ ମଧ୍ୟ ଯାଞ୍ଚ୍ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ