ନାତି କାନ୍ଧରେ କଟକରୁ ପୁରୀ କାଉଡ଼ି ଯାତ୍ରା

କଟକ,(ଓ୍ବାଇଏନଏସ): ମାନସିକ ଥିଲା ପୁଅଟିଏ ହେଲେ କାଉଡି ଦେବେ ତା କାନ୍ଧରେ । ଏନେଇ ଅନେକ ବାର ଆମେ ଶୁଣିଛି । ବିଶେଷ କରି ଶ୍ରାବଣ ମାସରେ ମାନସିକଧାରୀ ମାନେ ଦେବଦେବଙ୍କ ପାଖଙ୍କୁ ଯାଆନ୍ତି ଜଳଲାଗି କରିବାକୁ । କିଏ ମାନସିକ ପୂରଣ ହେଲା ପରେ ଯାଆନ୍ତି ତ ଆଉ କିଏ ମାନସିକ କରି ଯାଆନ୍ତି ଶୈବପୀଠ । କାନ୍ଧରେ ବାହୁଙ୍ଗୀ ଧରି ଦୁଇଟି ଢାଳରେ ପାଣି ନେଇ ଖାଲି ପାଦରେ ଚାଲି ଚାଲି ଜଳଲାଗି କରିବାକୁ ଯାଆନ୍ତି । ସେ ପାଖ ହେଉ ବା ମାଇଲ ମାଇଲ ଦୂର । ବାବାଙ୍କ ପାଖକୁ ଧାଇଁ ଯାଆନ୍ତି ଭକ୍ତ । ଶ୍ରାବଣ ମାସ ଚାଲୁଥିବାରୁ ରାସ୍ତାରେ ଲାଗିଲାଣି କାଉଡ଼ିଆଙ୍କ ଭିଡ । ସୋମବାରରେ ମହାଦେବଙ୍କୁ ଜଳଲାଗି କରିବେ କାଉଡ଼ିଆ । ଶୁକ୍ରବାର କଟକ ରାସ୍ତାରେ ଦେଖିବାକୁ ମିଳିଥିଲା ଭିନ୍ନ ଚିତ୍ର । ତେବେ ପାଣିଭାର ନେଇ ଯାଉଥିବା ବ୍ୟକ୍ତିଙ୍କ କାନ୍ଧରେ ପାଣି ଭାର ଥିଲା । ତା ସହ କାନ୍ଧରେ ଥିଲା ବୁଢୀ ମାଆର ଭାର । ଅର୍ଥାତ୍ ୭୦ ବର୍ଷୀୟ ଜେଜେମା’ ଭାବେନୀ ସ୍ୱାଇଁକୁ ୩୪ ବର୍ଷୀୟ ନାତି ଅର୍ଜ୍ଜୁନ ସ୍ୱାଇଁ ଓ ୨୮ ବର୍ଷୀୟ ନାତୁଣୀବୋହୂ ମାମିନା ସ୍ୱାଇଁ କାନ୍ଧରେ ବୋହି ଗଡ଼ଗଡ଼ିଆ ଘାଟରୁ ଶ୍ରୀଲୋକନାଥଙ୍କ ପୀଠକୁ ଯାତ୍ରା ଆରମ୍ଭ କରିଛନ୍ତି । ତେବେ ସିଲଭର ସିଟିରେ ଏହି ଦୃଶ୍ୟକୁ ପ୍ରଶଂସା କରିଥିଲେ ଦେଖଣାହାରୀ । ପୁରୀ ଜିଲ୍ଲା ପିପିଲି ବ୍ଲକ୍‌ର ତେଇଶପୁର ଗ୍ରାମରେ ଅର୍ଜ୍ଜୁନଙ୍କ ଘର । ଶୁକ୍ରବାର ସପରିବାର ଗଡ଼ଗଡ଼ିଆ ଘାଟରୁ ରୀତିନୀତି ଅନୁସାରେ ପାଣି ଉଠାଇ ଥିଲେ । ଦମ୍ପତିଙ୍କର ମାନସିକ ଥିଲା ପୁଅ ହେଲେ ଜେଜେମା’ଙ୍କୁ କାନ୍ଧରେ ବୋହି ଶ୍ରୀ ଲୋକନାଥଙ୍କ ପୀଠକୁ ଯିବୁ । ଆଉ ମାନସିକ ପୂରଣ ହେବା ପରେ ଅର୍ଜ୍ଜୁନ ଓ ପତ୍ନୀ ଭାର ସାହାଯ୍ୟରେ ଜେଜେ ମା’ଙ୍କୁ କାନ୍ଧେଇ କଟକ ଗଡ଼ଗଡ଼ିଆରୁ ପୁରୀ ଲୋକନାଥଙ୍କ ପୀଠକୁ ନେଇଛନ୍ତି । ଅର୍ଜ୍ଜୁନଙ୍କ କହିବା କଥା ପ୍ରଥମେ ତାଙ୍କର ଗୋଟିଏ ଝିଅ ହେଲା । ପ୍ରଭୁ ଲୋକନାଥଙ୍କ ପାଖରେ ମାନସିକ କରିଥିଲି । ଯଦି ଆପଣଙ୍କ କୃପାରୁ ମୋର ଗୋଟେ ପୁଅ ହେବ ତେବେ ମୁଁ ଏବଂ ମୋ ପତ୍ନୀ ଭାରରେ ଚାଲିଚାଲି ମୋ ଜେଜେମା’ଙ୍କୁ ଗଡ଼ଗଡ଼ିଆରୁ ଲୋକନାଥ ଯାଏଁ ନେବୁ । ମାନସିକ ପୂରଣ ହେବା ପରେ ଏବେ ଜେଜେ ମା’ଙ୍କୁ ନେଉଛୁ । ୧୫ ଦିନ ଭିତରେ ଜେଜେମା’ଙ୍କୁ ଲୋକନାଥଙ୍କ ପୀଠରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛୁ । ମୋର ଏହି କାର୍ଯ୍ୟରେ ମୋ ବାପା-ମା’ଙ୍କର ଆଶୀର୍ବାଦ ରହିଛି । ସେହିପରି ମାମିନା କହିଛନ୍ତି ଯେ, ପୁଅଟିଏ ପାଇଁ ଆମେ ଦୁହେଁ ଠାକୁରଙ୍କୁ ଅନେକ ଗୁହାରି କରିଥିଲୁ । ମୋ ସ୍ୱାମୀ ମାନସିକ କରିଥିଲେ । ମାନସିକ କରିବାର ତିନି ବର୍ଷ ପରେ ଆମର ଏକ ପୁତ୍ର ସନ୍ତାନ ହେଲା । ୮ ବର୍ଷ ପରେ ଆମେ ସ୍ୱାମୀ-ସ୍ତ୍ରୀ ଜେଜେମା’ଙ୍କୁ ଭାରରେ ନେଉଛୁ। ଏଥିରେ ମୁଁ ବହୁତ୍‌ ଖୁସି ଅଛି । ଜେଜେମା’ ଭାବେନୀ କହିଛନ୍ତି, କେଉଁ ଜନ୍ମରେ କେଉଁ ପୁଣ୍ୟ କରିଥିଲି ଯେ, ଏ ଜନ୍ମରେ ଶ୍ରବଣ କୁମାର ପରି ନାତି ଓ ନାତୁଣୀବୋହୂ ପାଇଛି । ମୋତେ କାନ୍ଧରେ ବୋହି ସେମାନେ ନିଜର ମାନସିକ ପୂର୍ଣ୍ଣ କରୁଛନ୍ତି । ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା ଠାକୁର ସେମାନଙ୍କୁ ଘଣ୍ଟ ଘୋଡ଼େଇ ରଖିବା ସହିତ ସବୁ ଜନ୍ମରେ ମୋତେ ଏପରି ନାତି ଓ ନାତୁଣୀବୋହୂ ମିଳୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ