ଅନ୍ଧାରରେ ପୁରୀ କୋଣାର୍କ ବେଳାମାର୍ଗ : ଲାଇଟ୍ ଲାଗିଛି ହେଲେ ଜଳୁନି ଆଲୁଅ
କୋଣାର୍କ (ଗଣେଶ ଚନ୍ଦ୍ର ବେହେରା) : ଚନ୍ଦ୍ରଭାଗା ଠାରୁ ଇକୋ ରିଟ୍ରେଟ୍ ହେଉଥିବା ରାସ୍ତାରେ ଲାଗିଥିବା ଷ୍ଟ୍ରିଟ ଲାଇଟ୍ ଗୁଡ଼ିକ ଜଳୁ ନଥିବାର ବେଳାମାର୍ଗ ଅନ୍ଧାରେ ରହୁଥିବା ଦେଖିବାକୁ ମିଳିଛି। ନବକଳେବର ସମୟରୁ ଲଗାଯାଇଥିବା ଏହି ଷ୍ଟ୍ରିଟ ଲାଇଟ୍ କେବଳ ଇକୋ ରିଟ୍ରେଟ ସମୟରେ ଜଳୁଥିବା ବେଳେ ବାକି ଅନ୍ୟ ସମୟରେ ଅନ୍ଧକାରରେ ରହୁଛି।ଏହି ବିଦ୍ୟୁତ ଖୁଣ୍ଟରେ ତାର , ଲାଇଟ୍ର ରହିଥିଲେ ମଧ୍ୟ ଆଲୁଅ ଜଳୁ ନଥିବାରେ ସ୍ଥାନୀୟ ବାସିନ୍ଦାଙ୍କ ସମେତ ପର୍ଯ୍ୟଟକ ମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ସେହିପରି ଅଭୟାରଣ୍ୟ ପାର୍ଶ୍ଵରେ ଯାଇଥିବା ଏହି ରାସ୍ତା ଅନ୍ଧକାର ଯୋଗୁଁ ବନ୍ୟଜନ୍ତୁ ମାନେ ରାସ୍ତା ଅତିକ୍ରମ କରିବା ସମୟରେ ଦୁର୍ଘଟଣାର ଶିକାର ହୋଇ ଅକାରଣରେ ମୃତ୍ୟୁବରଣ କରୁଅଛନ୍ତି।ବାରମ୍ବାର ଖବର ପ୍ରସାରଣ ପରେବି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉନଥିବା ବେଳେ ଇକୋ ରିଟ୍ରେଟ ସମୟରେ କେବଳ ଆଲୋକି କରଣ କରାଯାଇଥିବା ଜଣାପଡିଛି। ଇକୋ ରିଟ୍ରେଟ ସରିବା ପରେ ପୁଣି ଥରେ ଏହି ବେଳାମାର୍ଗ ରାସ୍ତା ଅନ୍ଧକାରରେ ରହିଥିବା ଦେଖିବାକୁ ମିଳିଛି। ଇକୋ ରିଟ୍ରେଟ ସମୟରେ ଭି ଆଇ ପି ମାନେ ଆସୁଥିବାରୁ ପ୍ରଶାସନ ପକ୍ଷରୁ ଆଲୋକ ବ୍ୟବସ୍ଥା କରାଯାଉଥିବା ବେଳେ ଅନ୍ୟ ସମୟରେ ସାଧାରଣ ଲୋକ ଯିବାଆସିବା ବେଳେ ଏହି ମାର୍ଗ ଅନ୍ଧାରରେ ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭି ଆଇ ପି ଙ୍କ ଜୀବନ ମୂଲ୍ୟବାନ ହୋଇଥିବା ବେଳେ ସାଧାରଣ ଲୋକର ଜୀବନ କଣ ପ୍ରଶାସନ ପାଇଁ ମୂଲ୍ୟହୀନ ବୋଲି ବୁଦ୍ଧଜୀବୀ ମାନଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଠି କରିଛି। ଏହି ସମୟରେ ଚନ୍ଦ୍ରଭାଗା ଠାରୁ ରାମଚଣ୍ଡୀ ପର୍ଯ୍ୟନ୍ତ ରାସ୍ତାପାର୍ଶ୍ଵରେ ଆଲୋକି କରଣ ହେଇଥିବା ବେଳେ ଅନ୍ୟ ସମୟରେ ଚନ୍ଦ୍ରଭାଗା ଠାରୁ ଇକୋ ରିଟ୍ରେଟ ପର୍ଯ୍ୟନ୍ତ ବେଳାମାର୍ଗ ଅନ୍ଧାରରେ ରଖାଯିବାର କାରଣ କଣ ବୁଝା ପଡ଼ୁନି। ରାସ୍ତା ପାର୍ଶ୍ଵରେ ବିଦ୍ୟୁତ୍ ଖୁଣ୍ଟ ସମେତ ତାର, ଲାଇଟ୍ ଲାଗି ରହିଥିବା ବେଳେ କଣ ପାଇଁ ଜଳୁ ନାହିଁ ତାର ଉତ୍ତର କାହା ପାଖରେ ନାହିଁ। ଦୈନିକ ହଜାର ହଜାର ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ଲୋକ ଏହି ରାସ୍ତା ଦେଇ ପୁରୀ ଯା ଆସ କରିଥାନ୍ତି। ଆଗକୁ ପବିତ୍ର ରଥଯାତ୍ରା ହୋଇଥିବା ବେଳେ ଏହି ରାସ୍ତାରେ ପର୍ଯ୍ୟଟକ ମାନେ ଯିବାଆସିବା କରିବାକୁ ଥିବା ବେଳେ ରାସ୍ତା ପୁରା ଅନ୍ଧକାର ମୟ ହୋଇଛି । ଏଣୁ ତୁରନ୍ତ ଏହି ରାସ୍ତାକୁ ଆଲୋକ ବ୍ୟବସ୍ଥା କରାଯିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।