ଗାଁ ଗାଁ ପୂଜା ପାଉଛନ୍ତି ଦୋଳ ବିମାନରେ ରାଧା କୃଷ୍ଣ
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ ):-ଋତୁରାଜ ବସନ୍ତର ଆଗମନରେ ଫୁଲେଇ ଫଗୁଣ ଧରା ପୃଷ୍ଠକୁ ଅବତରଣ କରିଛି। ସବୁଜ ଗଛ ପତ୍ର ସହିତ ଶିମିଳିଫୁଲର ନାଲି ଓଢଣୀରେ ସଜେଇ ହୋଇଛି ପ୍ରକୃତି ରାଣୀ । ପ୍ରକୃତି କୁ ସ୍ବାଗତ କରିବା ପାଇଁ ଫଗୁଣ ନେଇ ଆସିଛି ରଙ୍ଗର ପର୍ବ ଦୋଳଯାତ୍ରା ଓ ହୋଲି । ବିମାନରେ ବସିଛନ୍ତି ଶ୍ରୀ ରାଧା, ଶ୍ରୀ କୃଷ୍ଣ । ଘରକୁ ଘର ବୁଲୁଛନ୍ତି ଠାକୁର ଓ ଭକ୍ତଙ୍କ ହାତକୁ ଭୋଗ ଖାଇ ଗାଁ ଓ ସାହି ପରିକ୍ରମା କରୁଛନ୍ତି ଯୁଗଳ କିଶୋର ରାଧା ମୋହନ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ତାଳଦା ପଂଚାୟତ ରିଶୋଲ ଅଞ୍ଚଳ ଦୋଳ ବିମାନ ଗାଁ ଗାଁ ବୁଲିବା ସହ ଦେବୀ ନଦୀ ପାର ହୋଇ ନଈଗୁଆଁ, ଖଣ୍ଡାସାହି ଗ୍ରାମରେ ପରିକ୍ରମା କରୁଛନ୍ତି। ସେହିପରି ବରାଙ୍ଗ, ନଗର, ଶିଶୁଅ, ଅସ୍ତରଙ୍ଗ, ଝାଡ଼ଲିଙ୍ଗ, ନୂଆଗଡ ଦୋଳ ବିମାନ ମଧ୍ୟ ଗାଁ ଗାଁ ବୁଲି ପୂଜା ପାଉଛନ୍ତି।କିଏ ଫଗୁ ରଙ୍ଗରେ ରଙ୍ଗୀନ ହୋଇଛି ତ ଆଉ କିଏ ପ୍ରସାଦ ବାଣ୍ଟି ପୁଣ୍ୟ ଅର୍ଜନ କରୁଛି। ଗାଁ ଗାଁରେ ସମସ୍ତେ ଶ୍ରୀରାଧା, ଶ୍ରୀକୃଷ୍ଣ ଙ୍କ ଭକ୍ତି ରସରେ ବୁଡି ଯାଇଛନ୍ତି । ପରମ୍ପରା ମୁତାବକ ଭୋଗପରେ ବିମାନରେ ବସୀ ଭକ୍ତକୁ ଦର୍ଶନ ଦେଉଛନ୍ତି ରାଧା ମାଧବ । ବର୍ଷକ ପରେ ମନ୍ଦିରରୁ ବାହାରପ୍ରାଙ୍ଗଣ କୁ ବାହାରି ଭକ୍ତଙ୍କ ପାଖକୁ ଆସିଛନ୍ତି ଠାକୁର । ଭକ୍ତ ପରିବାର ପକ୍ଷରୁ ପଇଡ଼,ଲିଆ,ଉଖୁଡା ପ୍ରଭୁତି ଠାକୁରଙ୍କୁ ଭୋଗ ଅର୍ପଣ କରାଯାଇଥାଏ । ଆଉ ଏହି ମହାମିଳନ ପର୍ବରେ ଭକ୍ତ ଆଉ ଭଗବାନ ଏକାକାର ହୋଇଯାଇଛନ୍ତି । ଦୋଳ ପାଇଁ ପ୍ରାଚୀ ଉପତ୍ୟକା ଏବେ ଚଳଚଞ୍ଚଳ ହୋଇ ଉଠିଛି । ଭାଇଚାରା ବାର୍ତ୍ତା ନେଇ ଗୋଷ୍ଟି ଗୋଷ୍ଟି ବା ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ କରିବା ପାଇଁ ଏହି ପର୍ବ ଗ୍ରାମର ପିଲା ଠାରୁ ବୁଢା ଯାଏଁ ସଭିଁଙ୍କ ମନରେ ଭରି ଦେଇଛି ଆନନ୍ଦ ଉଲ୍ଲାସ । ପ୍ରତି ଗାଁରେ ଜମାଣ ଠାରୁ ହରୀହର ଭେଟ ପର୍ଯ୍ୟନ୍ତ ୩ ଦିନ ଧରି ଗାଁ ମାନଙ୍କ ରେ ଉତ୍ସବ ପରିବେଶ ଲାଗି ରହିଥାଏ।ହରିବୋଲ,ହୁଳହୁଳି,ଶଙ୍ଖନାଦ, ଭଜନ କୀର୍ତ୍ତନରେ ଗାଁଦାଣ୍ଡ ଉଛୁଳି ପଡୁଥିବା ବେଳେ ଦୋଳ ବିମାନ କୁ କାନ୍ଧେଇ ଗାଁ ଗାଁ ବୁଲି ଦୋଳ ବିମାନ ପୂଜା ସହ ଦୋଳ ଉତ୍ସବ ପାଇଁ ସବୁ ଗାଁ ଏବେ ଉତ୍ସବମୁଖର ହୋଇଉଠିଛି ।


