ବିଶ୍ଵବିଦ୍ୟାଳୟରେ ରାଗିଂ ସଚେତନତା ସପ୍ତାହ ଉଦଘାଟିତ
ଖଲ୍ଲିକୋଟ (ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ରାଗିଂ ନିରୋଧି ସେଲ୍ ଓ ଆଇ.କ୍ୟୁ.ଏ.ସି. ର ମିଳିତ ଆନୁକୂଲ୍ୟରେ ରାଗିଂ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ମନୋଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସପ୍ତାହ ବ୍ୟାପୀ ରାଗିଂ ନିରୋଧ କାର୍ଯ୍ୟକ୍ରମର ଆଜି ପ୍ରଥମ ଦିବସ ଥିଲା। ଅଗଷ୍ଟ ମାସ ୧୨ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ରାଗିଂ ନିରୋଧ ସପ୍ତାହରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଆଇ.କ୍ୟୁ.ଏ.ସି. ର ସଂଯୋଜକ ଡ. ଗୌତମ ସାବତଙ୍କ ତତ୍ତ୍ଵାବଧାନରେ ବିଭିନ୍ନ ପ୍ରକାର ପ୍ରତିଯୋଗିତାର ଆୟୋଜନ କରାଯାଇଛି। ରାଗିଂ ନିରୋଧ ସପ୍ତାହର ଶେଷ ଦିବସରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବାର ବ୍ୟବସ୍ଥା ରହିଛି। ଏହି ଉପଲକ୍ଷେ ଆୟୋଜିତ ଉଦଘାଟନ ସଭାରେ ଡ. ଗୌତମ ସାବତ ଏହି ଦିବସ ପାଳନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ମନୋଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଛାତ୍ରକଲ୍ୟାଣ ଅଧିକାରୀ ତଥା ଆଇ.କ୍ୟୁ.ଏ.ସି. ର ଅଧ୍ୟକ୍ଷା ଡ. ଉଷାରାଣୀ ରଥ , ଡେପୁଟି ରେଜିଷ୍ଟ୍ରାର ପ୍ରଶାନ୍ତ କୁମାର ନରେନ୍ଦ୍ର ପ୍ରମୁଖ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ।