ବର୍ଷା ଉଜାଡିଦେଲା ମୁଗଚାଷ, ଚାଷୀ ମୁଣ୍ଡରେ ଚଡକ

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ ):-ମୁଗ ବିଲରେ ଅଦିନିଆଁ ବର୍ଷାର ତାଣ୍ଡବ। ମୁଗ ଫସଲରେ ଫୁଲ ଧରି ଆସୁଥିବା ବେଳେ ପାଣି ଜମି ରହିବା ଯୋଗୁଁ ଚାଷ ନଷ୍ଟ ହେବାକୁ ଆରମ୍ଭ କଲାଣି। ଯଦି ଆଗକୁ ବର୍ଷା ଲାଗି ରହେ ତା ‘ହେଲେ ମୁଗ ବିଲରେ କୀଟନାଶକ ଔଷଧ ଛିଞ୍ଚନ କରିବା ମଧ୍ୟ କଷ୍ଟକର ହୋଇପଡିବ। ସେଥିରେ ପୁଣି ଯଅଁରା ପୋକଙ୍କ ଆତଙ୍କ। ମୁଗଗଛ ମୂଳରୁ ଫୁଲ ଯାଏଁ ପୋକ ଚରିଯିବେ ଯେ, ଫସଲ ବଞ୍ଚାଇବା ସହଜ ହେବ ନାହିଁ। ମୁଗ ଫସଲ ଉଧେଇବନି। ଅସମୟରେ ଲଗାଣ ବର୍ଷା ଯୋଗୁଁ ଉତ୍ପାଦନ ହେବାକୁ ଥିବା ଲକ୍ଷାଧିକ ଟଙ୍କାର ମୁଗ ଫସଲ ଉଜୁଡିଯିବାକୁ ବସିଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ୧୫ଗୋଟି ପଂଚାୟତ ର ବିଭିନ୍ନ ଅଂଚଳରେ ବର୍ଷା ଯୋଗୁଁ ବ୍ୟାପକ ମୁଗ ଫସଲର ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରୁଛନ୍ତି। ଧାର କରଜ, ହାତ ଉଧାରି ହେଉ ଅବା ଋଣ ଆଣି ଫସଲ କରିଥିବା ଚାଷୀ ଚିନ୍ତାରେ ପଡିଯାଇଛନ୍ତି।ଲାଭ କଥା ଦୂରରେ ଥାଉ, କେମିତି ଋଣ ସୁଜିବେ ସେ ଚିନ୍ତା ଚାଷୀଙ୍କୁ ଘାରିଲାଣି। ଜଣେ ଜଣେ ଚାଷୀ ୪ରୁ ୫ଏକର ପର୍ଯ୍ୟନ୍ତ ମୁଗ ଚାଷ କରିଛନ୍ତି।ଅସ୍ତରଙ୍ଗ କୃଷି ବିଭାଗ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ରବି ରେ ପ୍ରାୟ ୧୫ ଶହ ହେକ୍ଟର ରୁ ଉର୍ଦ୍ଧ ଜମିରେ ମୁଗ ଫସଲ ଚାଷ କରାଯାଇଛି। ଖରିଫ ଫସଲ ବାତ୍ୟା, ଲଗାଣ ବର୍ଷାରେ ବହୁଳ ଭାବେ ପ୍ରଭାବିତ ହେବା ପରେ ଚାଷୀ ଆଶା କରିଥିବା ରବି ଫସଲ କୁ ହୁଏ ତ କିଛି ଭରଣା କରିପାରିବ। ହେଲେ ଅଦିନିଆ ବୃଷ୍ଟିପାତ ଯୋଗୁଁ ଏବେ ରବି ଫସଲ ପ୍ରଭାବିତ ହେବାକୁ ବସିଲାଣି। ମୁଗ ଗଛ ଠିକ ଫୁଲ ଧରିବା ପୂର୍ବରୁ ବୁନ୍ଦାଏ ବି ବର୍ଷା ଛିଟା ଜମିରେ ପଡ଼ିନଥିଲା। ହେଲେ ଫୁଲ ଧରିବା ବେଳକୁ ମୁଗ ଫସଲରେ ପାଣି ପଶିଯିବାରୁ ଫସଲ ନଷ୍ଟ ହେବାକୁ ବସିଛି। ମୁଗ ବିଲରେ ଏବେ ଛିଡା ହୋଇଛି ବର୍ଷା ପାଣି। ପାଣି ରେ ବୁଡି ରହିବା ଯୋଗୁଁ ମୁଗ ଗଛ ପଚି ନଷ୍ଟ ହୋଇଯିବାକୁ ବସିଛି। ନିଜ ଆଖି ଆଗରେ ନିଜ ପରିଶ୍ରମର ଫଳ ଉଜୁଡି ଯାଉଥିବା ବେଳେ ଚାଷୀ ମୁଣ୍ଡରେ ସତେ ଯେମିତି ଚଡକ ପଡିଛି। ହଜାର ହଜାର ଚାଷୀ ଭାଗକୁ ନେଇ ମୁଗ ଚାଷ କରିଥିଲେ। ଯେହେତୁ ସରକାରୀ ରିହାତି ଦରରେ ବିହନ ମିଳି ନଥିଲା ସେଥିପାଇଁ ଚାଷୀ ସ୍ଥାନୀୟ ବଜାର ରୁ ସବୁଜ ଓ କଳା ରଙ୍ଗର ମୁଗ ବିହନ ଚଢା ଦରରେ କିଣିଥିଲେ। ହେଲେ ଅସମୟରେ ବର୍ଷା ହେବା କାରଣରୁ ମୁଗ ବିକ୍ରି କରି ଦି ‘ପଇସା ରୋଜଗାର କରିବାକୁ ଆଶା ରଖିଥିବା ଚାଷୀ ନିରାଶ ହୋଇଛି। କିଛିଦିନ ଆଗରୁ ପତ୍ର ପୋଡା ରୋଗ ହୋଇଥିବାରୁ ପୋକ ଲାଗି ଗଛର ପତ୍ର ଗୁଡିକ ନଷ୍ଟ ହୋଇଯାଇଥିଲା। ଏମିତିକି ଗଛର ପତ୍ର ହଳଦିଆ ପଡି ଗଛ ମରିଯାଉଥିବା ଦେଖିବାକୁ ମିଳିଥିଲା। ପୋକ ମାରିବାକୁ ଚାଷୀ ବଜାରରୁ ଯେଉଁ କୀଟନାଶକ କିଣି ବିଲରେ ପକାଇଥିଲେ ତାହା କାମ ଦେଇନଥିଲା। ଏଣେ ଫୁଲରେ ପାଣି ପଶିଯିବାରୁ ତାହା ଓଜନିଆ ହୋଇ ହେବାକୁ ବସି ଥିବା ବେଳେ ବର୍ଷା ଲାଗି ରହିଲେ ମୁଗ ମୂଳ ମଧ୍ୟ ନଷ୍ଟ ହୋଇଯିବ ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି। ଅଦିନିଆ ବର୍ଷା ଓ ରୋଗପୋକ ଦାଉରୁ କେମିତି ରକ୍ଷା କରିବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଅସ୍ତରଙ୍ଗ ବ୍ଲକ ଅଧୀନ ନଗର, ଆଳସାହି, ସରିପୁର, ଆଳଙ୍ଗପୁର, କୋରଣା, ଛୁରିଆନା ପ୍ରଭୂତି ଗ୍ରାମର ଚାଷୀ କହିବା କଥା ପ୍ରତି ଗୁଣ୍ଠ ପିଛା ୧୯କିଗ୍ରା ବିହନ ବୁଣାଯାଇଥାଏ। ଗୁଣ୍ଠ ପିଛା ହଳ, ସାର ଓ ପାଣି ମଡାଇବାକୁ ପ୍ରାୟ ୨୫୦ଟଙ୍କା ଖର୍ଚ୍ଚ ହୁଏ ଓ ଭଲ ଫସଲ ହେଲେ ୩୫୦ରୁ ୪୦୦ଟଙ୍କା ପର୍ଯ୍ୟନ୍ତ ମିଳେ। ମୁଗ ଫସଲ ରେ କମ୍ ସାର ମସଲା ତଥା କୀଟନାଶକ ପ୍ରଭୂତି ବ୍ୟବହାର ହେଉନଥିବାରୁ ଚାଷୀ ମାନଙ୍କୁ କମ୍ ଖର୍ଚ୍ଚରେ ଭଲ ଦି “ପଇସା ମିଳିଥାଏ। ଯଦି ଭଲ ଫଳ ହୁଏ ତେବେ ଚାଷୀ ମୁହଁରେ ହସ ଫୁଟି ଉଠେ। ଫସଲ ରେ ଏବେ ପାଣି ପଶି ନଷ୍ଟ କରିବାକୁ ବସିଛି। ଅସ୍ତରଙ୍ଗ ବ୍ଲକ କୃଷି ଅଧିକାରିଣୀ ବି. ଅର୍ପିତା କହିଛନ୍ତି ଚାଷୀ ମାନେ ନିଜ ଜମିରୁ ତୁରନ୍ତ ପାଣି ନିଷ୍କାସନ କରିବାକୁ। ଏହା ପରେ ରୋଗ ପୋକ ଦାଉରୁ ରକ୍ଷା କରିବାକୁ କୀଟନାଶକ ସିଞ୍ଚନ କରିବାକୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ