ଦିଗପହଣ୍ଡିରେ ବର୍ଷା ବିତ୍ପାତ : ବ୍ଲକ କାର୍ଯ୍ୟାଳୟରେ ପଶିଲା ପାଣି
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ରେ ଲଗାତାର ପ୍ରଚଣ୍ଡ ଘଡଘଡି ସାଙ୍ଗକୁ ତୁହାକୁ ତୁହା ପ୍ରବଳ ବର୍ଷା ହୋଇଥିଲା। ଦିଗପହଣ୍ଡି – ଆସିକା ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ଠାରୁ ପାଖାପାଖି ୧୦୦ ମିଟର ଯାଏଁ ରାସ୍ତାରେ ୨ ଫୁଟ ଉଚ୍ଚତାରେ ପାଣି ଜମି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ସେହିପରି ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ପରିସରରେ ମଧ୍ୟ ବର୍ଷା ପାଣି ପଶିଥିଲା । ଅପରାହ୍ନ ପ୍ରାୟ ସାଢେ ୩ ଟା ସମୟରେ ଆକାଶରେ କଳାମେଘ ଘୋଟି ଆସି ପାଖାପାଖି ୧ ଘଣ୍ଟା ଧରି ପ୍ରବଳ ବର୍ଷା ଲାଗି ରହିଥିଲା । ପୂର୍ବରୁ ପୁଞ୍ଜିକୟା ଛକ ନିକଟ ଆସିକା ରାସ୍ତାରେ ସାମାନ୍ୟ ବର୍ଷା ହେଲେ ଘରେ ପାଣି ଆସୁଥିଲା । ଯାହାଫଳରେ ସ୍ଥାନୀୟ ଲୋକମାନେ ସେଠାରେ ଏକ କଲଭର୍ଟ ନିର୍ମାଣ କରିବା ପାଇଁ ଆନ୍ଦୋଳନ କରିଥିଲେ । ତେବେ ଦୀର୍ଘଦିନ ଧରି କଲଭର୍ଟ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିବା ଫଳରେ ବୁଧବାର ବର୍ଷାରେ ରାସ୍ତାରେ ଏଭଳି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି । ରାସ୍ତା ଉପରେ ଦୀର୍ଘ ସମୟ ଧରି ବର୍ଷା ଓ ନର୍ଦ୍ଦମା ପାଣି ଜମି ରହିବାରୁ ରାସ୍ତାରେ ଗମନାଗମନ କରିବା ଯାତ୍ରୀଙ୍କ ପକ୍ଷେ କଷ୍ଟକର ହୋଇବା ସହ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ସେହିପରି ବ୍ଳକ କାର୍ଯ୍ୟାଳୟ ରେ ପାଣି ପଶିବାରୁ କର୍ମଚାରୀ ବୃନ୍ଦ ଏବଂ ବିଭିନ୍ନ କାମ ପାଇଁ କାର୍ଯ୍ୟାଳୟକୁ ଆସିଥିବା ଜନସାଧାରଣ ଙ୍କୁ ଅବସ୍ଥା ଭୋଗିବାକୁ ପଡିଥିଲା ।