ଆନ୍ଧ୍ରରେ ଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ : ୩ ଦିନ ପରେ ଗାଁ କୁ ଫେରିଲା ମୃତଦେହ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଆନ୍ଧ୍ରପ୍ରଦେଶ ଚିତ୍ତୋର ଅଞ୍ଚଳର ଏକ ଘରୋଇ ପଥରଖଣି ରେ କାମ କରୁଥିବା ଜଣେ ଓଡିଆ ଶ୍ରମିକ କୈବଲ୍ୟ ନାୟକଙ୍କ ଗତ ସୋମବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ପରିବାର ଲୋକେ ତାଙ୍କ ଆକସ୍ମିକ ମୃତ୍ୟୁକୁ ସହଜରେ ବିଶ୍ୱାସ କରିପାରୁନଥିବା ଜଣାପଡିଛି । ଏପରିକି ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ସନ୍ଦେହ କରୁଥିବା ଜଣାପଡ଼ିଛି । ବୁଧବାର ତାଙ୍କ ମରଶରୀର ଦିଗପହଣ୍ଡି ବ୍ଳକ ବି . ତୁରୁବୁଡି ପଞ୍ଚାୟତ ପୈତୃକ ଗ୍ରାମ ଦଶିପୁର ଗ୍ରାମରେ ପହଞ୍ଚିବା ପରେ ଗ୍ରାମରେ ଉତ୍ତେଜନା ଦେଖାଦେବା ସହ ଦୀର୍ଘ ସମୟ ଧରି ଗ୍ରାମବାସୀ ଆମ୍ବୁଲାନ୍ସକୁ ଅଟକ ରଖି ରାସ୍ତା ଅବରୋଧ କରିଥିଲେ । କୈବଲ୍ୟ ପେଟପାଟଣା ନିମନ୍ତେ ଗତ ୬ ମାସ ପୂର୍ବେ ଏହି ପଥରଖଣି ରେ ଶ୍ରମିକ ଭାବେ କାମ କରି ଆସୁଥିଲେ । ସୋମବାର ମଧ୍ୟାହ୍ନରେ ସେ ନିଜ ସ୍ତ୍ରୀଙ୍କ ସହ ମୋବାଇଲ ରେ କଥା ହୋଇଥିବା ବେଳେ ଅପରାହ୍ନ ପ୍ରାୟ ୩ ଟାରେ କୈବଲ୍ୟଙ୍କ ମୃତଦେହ କମ୍ପାନୀ ନିକଟସ୍ଥ ରାସ୍ତାରେ ପଡ଼ିଥିବା ନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ଏନେଇ ଦୁଃଖରେ ଭାଙ୍ଗି ପଡିଥିବା ପରିବାର ଲୋକେ ସାନଖେମୁଣ୍ଡି ବ୍ଳକ କଂସାମାରୀ ଗ୍ରାମର ଠିକାଦାର ଜିତୁ ଦୋରାଙ୍କ ସହ ଆଲୋଚନା ପରେ ତାଙ୍କ ମୃତଦେହ ଆମ୍ବୁଲାନ୍ସ ଯୋଗେ ଗ୍ରାମକୁ ଅଣାଯାଇଥିଲା । ତେବେ ତାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିବା ସହ ଆମ୍ବୁଲାନ୍ସ ରୁ ମୃତଦେହ ନିଆଯାଇନଥିଲା । ଖବରପାଇ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ ଏବଂ ଥାନା ଆଇଆଇସି ତଥା ଡିଏସପି ପ୍ରଶାନ୍ତ ପାତ୍ର ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ପରବର୍ତ୍ତୀ ସମୟରେ ଗଞ୍ଜାମ ଜିଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଜିଲା ରେଡକ୍ରସ ତରଫରୁ ମୃତକଙ୍କ ପରିବାରକୁ ୩୦ ହଜାର ଟଙ୍କା ଅନୁକମ୍ପା ମୂଳକ ଅର୍ଥରାଶି ଦିଆଯାଇଛି । ଶେଷରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ମୃତଦେହ ର ଅନ୍ତିମ ସତ୍କାର କରାଯାଇଥିବା ଜଣାପଡିଛି ।