ଢେଙ୍କାରେ ଚାଲିଥିବା ବେଆଇନ ବିଦେଶୀ ମଦ ଦୋକାନ ଉପରେ ପୁଲିସ ଚଢ଼ାଉ, ଜଣେ ଗିରଫ
ହାଟଡିହି,(ଓ୍ବାଇଏନଏସ) : ହାଟଡିହି ବ୍ଲକ ଢେଙ୍କା ବଜାରରେ ଚୋରାରେ ବେଆଇନ ଭାବେ ଚାଲିଥିବା ଏକ ବିଦେଶୀ ଦୋକାନ ଉପରେ ପୁଲିସ ଚଢ଼ାଉ କରି ବିପୁଳ ବିଦେଶୀ ମଦ ଜବଦ କରିଥିବା ଜଣା ଯାଇଛି। ସୂଚନା ଅନୁଯାୟୀ ପ୍ରଭାକର ମହାନ୍ତିଙ୍କ ଘରେ ଅନେକ ଦିନ ହେଲା ବିଦେଶୀ ମଦ ବିକ୍ରୀ ହେଉଥିବା ନେଇ ଅଭିଯୋଗ ହେଉଥିଲା। ଅନେକ ଥର ଅବକାରୀ ବିଭାଗ ଚଢ଼ାଉ କରିବାକୁ ଯାଇ ନିରାଶରେ ଫେରୁଥିଲା। ପ୍ରଭାକର ଅବକାରୀ ବିଭାଗକୁ ଦେଖି ପୋଷା କୁକୁରକୁ ଫିଟାଇ ଦିଅନ୍ତି। ଫଳରେ ଅବକାରୀ ବିଭାଗ ନିରାଶରେ ଫେରି ଆସୁଥିଲେ। ଗତକାଲି ସୋସୋ ଥାନା ପୁଲିସ ଚଢ଼ଉ ପ୍ରଭାକରଙ୍କ ଦୋକାନ ରେ ଚଢ଼ାଉ କରି ୧୧ପେଟିରୁ ଉର୍ଦ୍ଧ ବିଦେଶୀ ମଦ (୧୪୫ ଲିଟର) ଜବତ କରିବା ସହ ପ୍ରଭାକରଙ୍କୁ ଗିରଫ କରିଛି। ପ୍ରଭାକର ଦୀର୍ଘଦିନ ହେଲା ବିଦେଶୀ ମଦ ବିକ୍ରି କରୁଥିଲେ ମଧ୍ୟ ସୋସୋ ପୋଲିସ ପୂର୍ବରୁ କାହିଁକି ଚଢ଼ାଉ କରୁନଥିଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ମଦ ବିକ୍ରି ହେଉଥିବା ଦୋକାନ ଠାରୁ ଢେଙ୍କା ହାଇସ୍କୁଲ ମାତ୍ର ୨୫/୩୦ ମିଟର ନିକଟରେ ଥିବାରୁ ଅନେକ ସମୟରେ ମଦ୍ୟପଙ୍କ ଅସାମାଜିଜ କାର୍ଯ୍ୟକଳାପ ଯୋଗୁଁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଉଥିଲା। ଖାଲି ଏହି ଗୋଟିଏ ଦୋକାନ ନୁଁହ ସ୍କୁଲ ନିକଟରେ ଆହୁରି କିଛି ଲୋକ ଖୁଲାମ ଖୁଲା ମଦ ବ୍ୟବସାୟ କରୁଛନ୍ତି। ଏହି କିଛି ମଦ ଦୋକାନ ପାଇଁ ଅନେକ ସମୟରେ ଅପ୍ରିତିକାର ପରିସ୍ଥିତି ସୃଷ୍ଟି ହେଉଛି। ପୋଲିସ ଓ ଅବକାରୀ ବିଭାଗ ଦୃଢ ପଦକ୍ଷେପ ନେଲେ ଏହି ମଦ ବ୍ୟବସାୟକୁ ବନ୍ଦ କରି ପାରନ୍ତା ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି। ସୋସୋ ଥାନାଧିକାରୀ ଶିବପ୍ରକାଶ ଆଲଦାଙ୍କ କହିବାନୁଯାୟୀ ବେଆଇନ ଚୋରା ବିଦେଶୀ ମଦ ବିକ୍ରି ସୂଚନା ମିଳିବା ପରେ ଏହି ଚଢ଼ଉ କରାଯାଇଥିଲା। ଥାନା କେଶ ନମ୍ବର ୨୨୧୬ / ୨୦୨୫ ରେ ମାମଲା ରୁଜୁ କରାଯାଇ ପ୍ରଭାକରକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତ କାରୀ ଅଧିକାରୀ ନରସିଂହ ତନ୍ତୀ ସୂଚନା ଦେଇଛନ୍ତି।