ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲଦଣ୍ଡାଦେଶ

କେନ୍ଦ୍ରାପଡ଼ା,୯ା୭ : ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅପରାଧରେ କେନ୍ଦ୍ରାପଡା ଫାଷ୍ଟଟ୍ରାକ ଆଡହକ କୋର୍ଟର ଜଜ ତ୍ରୀବିକ୍ରମ କେଶରୀ ଚିନ୍ନାରା ଦୋଷୀକୁ ୧୦ବର୍ଷ ଜେଲଦଣ୍ଡାଦେଶ ସହିତ ୧୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ଏକମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ନିର୍ଦେଶରେ ଉଲ୍ଲେଖ କରିଛନ୍ତି। ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା ସଦର ଥାନା ଅଞ୍ଚଳର ଏକ ଗ୍ରାମରେ ଜନୈକ ଗରିବ ଲୋକଙ୍କ ଘରେ କେହି ନଥିବାର ସୁଯୋଗ ନେଇ ସେହି ଗ୍ରାମର ମାନସ କୁମାର ସାମଲ ଓରଫ କାହ୍ନା ଘରେ ପଶି ତାଙ୍କ ମାନସିକ ଭିନ୍ନକ୍ଷମ ଝିଅକୁ ଦୁଷ୍କର୍ମ କରିଥିଲା। ଏକଥା କାହା ଆଗରେ କହିଲେ ପରିବାର ସଦସ୍ୟଙ୍କୁ ଜୀବନରେ ମାରିଦେବ ବୋଲି ଧମକ ଦେଇଥିଲା। ପିଡିତାର ବାପା ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ସେ ସେଠାରୁ ଘରକୁ ଫେରିବା ପରେ ଝିଅର ଅସ୍ୱାଭାବିକ ପରିବର୍ତ୍ତନ ଲକ୍ଷ କରିଥିଲେ। ଏହାପରେ ଝିଅକୁ ଡାକ୍ତରୀ ପରୀକ୍ଷା କରିବା ପରେ ଝିଅ ୫ମାସର ଗର୍ଭବତୀ ଥିବା ଜଣାପଡିଥିଲା। ଏସମ୍ପର୍କରେ ବ୍ୟକ୍ତି ଜଣଙ୍କ ଝିଅକୁ ପଚାରିବାରେ ସେ କହିଥିଲା ଯେ ସେହି ଗ୍ରାମର ମାନସ କୁମାର ସାମଲ ଓରଫ କାହ୍ନା ତା ସହିତ ଦୁଷ୍କର୍ମ କରିବା ସହ ତାକୁ ଧମକ ଦେଇଥିବା କଥା ପ୍ରକାଶ କରିଥିଲା। ଏସମ୍ପର୍କରେ କେନ୍ଦ୍ରାପଡା ସଦର ଥାନାରେ ପିଡିତାଙ୍କ ଏତଲା ପରେ ପୋଲିସ ଥାନା କେଶ ନମ୍ ବର ୭୧୧/୨୦୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୋଲିସ କୋର୍ଟରେ ଚାର୍ଜସିଟ ଦାଖଲ କରିବା ପରେ ଜିଆର.କେଶ ନମ୍ବର -୨୬୦୨/୨୦୨୩ରେ କୋର୍ଟରେ ମାମଲାର ଶୁଣାଣି ଚାଲିଥିଲା। କେନ୍ଦ୍ରାପଡା ଫାଷ୍ଟଟ୍ରାକ ଆଡହକ ଅଦାଲତ ଏସଟି ନମ୍ବର- ୨୪୬/୨୦୨୩ରେ ମାମଲାର ବିଚାର କରି ଦୋଷୀ ମାନସ କୁମାର ସାମଲ ଓରଫ କାହ୍ନାକୁ ୧୦ବର୍ଷ କାରାଦଣ୍ଡାଦେଶ ସହିତ ୧୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ସଞ୍ଜୟ କୁମାର ଜେନା ମାମଲା କରିଚାଳନା କରୁଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ