ରଥଯାତ୍ରା-୨୦୨୫ ପାଳନ ପାଇଁ ପ୍ରସ୍ତୁତି ବୈଠକ
କଟକ (ଓ୍ଚାଇଏନଏସ):ଚଳିତ ବର୍ଷ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେଉଥିବା ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରଥର ସୁରକ୍ଷା ପାଇଁ ଏହାର ସୁରକ୍ଷା ପ୍ରମାଣପତ୍ର, ରଥ ଗତି କରୁଥିବା ପଥଗୁଡିକରୁ ବିଦ୍ୟୁତ ତାର ଅପସାରଣ ଏବଂ ଏଥିପାଇଁ ଟିପିସିଓଡିଏଲ ଠାରୁ ସୁରକ୍ଷା ପ୍ରମାଣପତ୍ର, ଓଡ୍ରାଫ ଓ ଏନଡିଆରଏଫ ମୁତୟନ କରିବାକୁ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଡାଇରିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଖାଦ୍ୟ ଷ୍ଟଲ ଗୁଡିକର ଯାଞ୍ଚ ଆଦି ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି। ଚଳିତ ବର୍ଷ କଟକରେ ରଥଯାତ୍ରା ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ୟ୍ୟାଳୟ ଦ୍ଵାରା ଆୟୋଜିତ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭଉସାହେବ ଶିନ୍ଦେ ଅଧ୍ୟକ୍ଷତା କରି ଏହିସବୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଐତିହ୍ୟ ସମ୍ପନ୍ନ କଟକ ସହରରେ ହରିପୁର-ଦୋଳମୁଣ୍ଡାଇ ଏବଂ ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିର, ରାଣୀହାଟସ୍ଥିତ ବଳଦେବଜୀଉ ମନ୍ଦିର, ତୁଳସୀପୁର, ପିଠାପୁର, ଯୋବ୍ରା ଆଦି ସ୍ଥାନମାନଙ୍କରେ ପରମ୍ପରା ଅନୁଯାୟୀ ଶ୍ରୀଜୀଉମାନଙ୍କ ରଥଯାତ୍ରା ଅନୁଷ୍ଠିତ ହେବ । ଅନୁଷ୍ଠିତ ହେବାକୁ ଥିବା ଏହି ରଥଯାତ୍ରାରେ ଧାର୍ମିକ ମନୋଭାବ ସହ କର୍ତ୍ତବ୍ୟ ପରାୟଣ ହୋଇ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ନିଜର କାର୍ୟ୍ୟ ସଂପାଦନ କରି ଚଳିତ ବର୍ଷ ରଥଯାତ୍ରାକୁ ସରସ ,ସୁନ୍ଦର ଓ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରଥ ନିର୍ମାଣ, ନୀତି ନିର୍ଘଣ୍ଟ, ପ୍ରସ୍ତୁତି ତଥା ଆବଶ୍ୟକୀୟ ପ୍ରଶାସନିକ ବ୍ୟବସ୍ଥା ସଂପର୍କରେ ବିଭିନ୍ନ ରଥଯାତ୍ରା ପରିଚାଳନା କମିଟିର କର୍ମକର୍ତ୍ତାମାନେ ଉପସ୍ଥାପନା କରିଥିବା ବେଳେ ,ରାସ୍ତାଘାଟର ମରାମତି, ପର୍ୟ୍ୟାପ୍ତ ପାନୀୟଜଳ ଯୋଗାଣ, ନୀରବଚ୍ଛିନ୍ନ ବିଦ୍ୟୁତସେବା, ଜଳସିଞ୍ଚନ, ଆଶୁ ଚିକିତ୍ସା ସେବା ଓ ରଥ ନିକଟରେ ଆମ୍ବୁଲାନ୍ସ ମୁତୟନ, କେବୁଲ ତାର ଅପସାରଣ, ରଥଯାତ୍ରା ସମୟରେ ସହରରେ ଦିବାରାତ୍ର ପରିମଳ ବ୍ୟବସ୍ଥା, ନାଳନର୍ଦମା ଗୁଡିକର ସଫେଇ ଓ ଜଳନିଷ୍କାସନ ,ଟ୍ରାଫିକ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ରକ୍ଷା, ସାଂସ୍କୃତିକ କାର୍ୟ୍ୟକ୍ରମ ଇତ୍ୟାଦି ବ୍ୟବସ୍ଥା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ବୈଠକରେ ଯୋଗଦେଇ କଟକ ମହାନଗର ପୂଜା କମିଟିର ସାଧାରଣ ସଂପାଦକ ତଥା ମାନ୍ୟବର ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ କୁମାର ତ୍ରିପାଠୀ କହିଲେ ଯେ, ରଥଯାତ୍ରା ସମ୍ବନ୍ଧିତ ସମସ୍ତ କାର୍ୟ୍ୟକ୍ରମକୁ ସଂପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ନିଷ୍ଠାର ସହିତ ସମନ୍ଵୟ ରକ୍ଷାପୂର୍ବକ ଅନୁପାଳନ କରିବାର ଆବଶ୍ୟକତା ରହିଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନିର୍ଦ୍ଧାରିତ ସମୟ ଅବଧି ପୂର୍ବରୁ ଆବଶ୍ୟକୀୟ କାର୍ୟ୍ୟମାନ ସମ୍ପାଦନ ହେବ ବୋଲି ଆଶା ପ୍ରକାଶ କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀ ଶିବ ଟପୋ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡଃ ଦିବ୍ୟଲୋଚନ ମହନ୍ତ, ଅତିରିକ୍ତ ଜିଲ୍ଲାପାଳ ଉନ୍ନୟନ ଡଃ ଈପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ କଟକ ସଦର ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ପ୍ରମୁଖ ବୈଠକରେ ନିଜ ନିଜର ସୁଚିନ୍ତିତ ମତାମତ ପ୍ରକାଶ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ଚଳିତ ବର୍ଷ ରଥଯାତ୍ରା ସହରରେ ଅନୁଷ୍ଠିତ ହେଉଥିବାରୁ ସମସ୍ତ ପ୍ରାକ ପ୍ରସ୍ତୁତି କାର୍ୟ୍ୟକ୍ରମ ସମ୍ବନ୍ଧରେ ଆଲୋକପାତ କରିବା ସହ ସଭାକାର୍ୟ୍ୟ ସଂଯୋଜନା କରିଥିଲେ । ବୈଠକରେ ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିର ରଥଯାତ୍ରା କମିଟି କାର୍ୟ୍ୟକାରୀ ସଭାପତି, ଶ୍ରୀ ଭିକାରି ଦାସ, ରାଣିହାଟ ବଲଦେବ ଜୀଉ ରଥଯାତ୍ରା କମିଟି ସଭାପତି, ଶ୍ରୀ ବିଜୟ କୁମାର ସାହୁ, ହରିପୁର ଦଳମୁଣ୍ଡାଇ ରଥଯାତ୍ରା କମିଟି ପକ୍ଷରୁ ଶ୍ରୀ ହରେକୃଷ୍ଣ ପ୍ରଧାନ, ତୁଳସୀପୁର ମଠସାହି ରଥଯାତ୍ରା କମିଟି ସଭାପତି,ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା, ପିଠାପୁର ରଥଯାତ୍ରା କମିଟି ସଭାପତି,ଶ୍ରୀ ସରୋଜ କୁମାର ଜେନା, ଯୋବ୍ରା ଶ୍ରୀ ଜଗନ୍ନାଥ ମନ୍ଦିର ରଥଯାତ୍ରା କମିଟି ସମ୍ପାଦକ, ଶ୍ରୀ ଅମ୍ବିକା ପ୍ରସାଦ ସାମଲ ତଥା ସଂପୃକ୍ତ ସ୍ୱାସ୍ଥ୍ୟ, ଜନସ୍ୱାସ୍ଥ୍ୟ, ଅଗ୍ନିଶମ, ଟିପିସିଓଡ଼ିଏଲ, କଟକ ମହାନଗର ନିଗମ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।