ଶାନ୍ତି ଶୃଂଖଳାର ସହ ରଥଯାତ୍ରା ପାଳିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକସ୍ଥିତ ଶ୍ରୀ ଜଗନ୍ନାଥ ଜୀଉଙ୍କର ରଥଯାତ୍ରା ଶାନ୍ତି ଶୃଖଳାର ସହ ପାଳିତ ହୋଇଯାଇଛି । ପୂର୍ବରୁ ଗୋଟିଏ ରଥରେ ତିନି ଠାକୁର ବସୁଥିବା ବେଳେ ଚଳିତ ବର୍ଷ ତିନି ଠାକୁରଙ୍କ ଲାଗି ୩ ରଥ ନିର୍ମାଣ କରାଯାଇଥିଲା । ସକାଳୁ ସମସ୍ତ ରୀତିନୀତି ଅନୁଯାୟୀ ପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ମା’ ସୁଭଦ୍ରା ତିନି ଦିଅଙ୍କ ମଙ୍ଗଳ ଆଳତୀ, ମଇଲମ, ଅବକାଶ ନୀତି, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା, ବେଶପୂଜା, ମଙ୍ଗଳାର୍ପଣ ପରେ ଛେରାପହଁରା କାର୍ଯ୍ୟ କରାଯାଇ ତିନି ଠାକୁରଙ୍କୁ ରଥାରୂଢ କରାଯାଇଥିଲା। ଜମିଦାର ଅମଳରୁ ଈଶ୍ୱର ଚନ୍ଦ୍ର ପ୍ରଧାନ ଛେରା ପହଁରା କରୁଥିବାରୁ ତାଙ୍କ ନାତିଙ୍କ ଦ୍ୱାରା ଛେରା ପହଁରା କରାଯାଇଥିଲା । ଅପରାହ୍ନରେ ରଥ ଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ସେବାୟତ ହରେକୃଷ୍ଣ ଦାଶ, ନାରାୟଣ ଦାଶ, ବିଷ୍ଣୁ ମୋହନ ଦାଶ, ଭଗବାନ ଦାଶଙ୍କ ସମେତ ସେମାନଙ୍କ ପୁତ୍ର ମାନେ ଠାକୁରଙ୍କ ସେବାରେ ନିୟୋଜିତ ଥିଲେ । ପ୍ରାଣବନ୍ଧୁ ସୂତାରଙ୍କ ଦ୍ୱାରା ତିନି ରଥ ନିର୍ମାଣ କାର୍ଯ୍ୟ ସମ୍ପାଦନ ହୋଇଥିଲା । ବନ୍ତ ପୋଲିସ ଶାନ୍ତି ଶୃଂଖଳା ଦାୟୀତ୍ୱରେ ଥିବା ବେଳେ ରଥା ଟଣା କାର୍ଯ୍ୟରେ ଶତାଧିକ ଭକ୍ତ ସାମିଲ ଥିଲେ । ମ୍ୟାନେଜିଂ ମୌରସୀନ୍ୟାସୀ ଭଗବାନ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ