ବୁଗୁଡ଼ା ଓ ବାଲିପଦର ଅଞ୍ଚଳରେ ରଥଯାତ୍ରା ଉତ୍ସବ
ବୁଗୁଡା,(ଅନୀଲ କୁମାର ମହାରଣା) : ଚଳିତ ବର୍ଷ ବୁଗୁଡ଼ା ଓ ବାଲିପଦର ଏବଂ ଆଖପାଖ ଅଞ୍ଚଳରେ ପବିତ୍ର ରଥଯାତ୍ରା ଉତ୍ସବ ପାଳିତ ହୋଇଯାଇଛି। ବୁଗୁଡ଼ାରେ ୨୭ ତାରିଖ ଅପରାହ୍ନରେ ପୁରୋହିତଙ୍କ ଦ୍ବାରା ରଥ ପ୍ରତିଷ୍ଠା କାର୍ଯ୍ୟ ସଂପାଦନ ହୋଇଥିଲା । ଏହା ପରେ ବଳଦେବ, ସୁଭଦ୍ରା ଓ ଜଗନ୍ନାଥ ତିନି ଠାକୁରଙ୍କର ଆଳତି କରାଯାଇ ପହଣ୍ଡି ବିଜେ କରି ରଥାରୁଢ କରାଯାଇଥିଲା । ରଥ ଉପରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଓ ଆଳତି କରାଯିବା ସହ ବିରଞ୍ଚିନାରାୟଣ ମନ୍ଦିର ମହନ୍ତ ଭକ୍ତରାମ ଦାସଙ୍କ ଦ୍ବାରା ଛେରା ପହଁରା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଛେରା ପହଁରା କାର୍ଯ୍ୟ ସମ୍ପାଦନ ପରେ ଶ୍ରଦ୍ଧାଳୁମାନେ ଉତ୍ସାହର ସହ ଠାକୁରଙ୍କ ରଥ ଟାଣି ମାଉସୀ ମାଆ ମନ୍ଦିର ନିକଟରେ ପହଞ୍ଚାଇଥିଲେ । ମନ୍ଦିର ପରିଚାଳନା କମିଟିର ସଂପାଦକ ଶରତ ଚନ୍ଦ୍ର ମହାରଣାଙ୍କ ସମେତ ଅନ୍ୟାନ୍ୟ ସଦସ୍ୟବୃନ୍ଦ , ମନ୍ଦିରର ପୂଜକ ଗୋଷ୍ଠୀ ଓ ପୋଲିସ ବାହିନୀ ରଥଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ବାଲିପଦରରେ ମଧ୍ୟ ପ୍ରଭୁ ଦଧିବାମନଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଠାକୁରଙ୍କ ପହଣ୍ଡି ବିଜେ ପରେ ମନ୍ଦିର ଟ୍ରଷ୍ଟି ଟିକିନା ଗୁରୁ ଛେରା ପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା। ସରପଞ୍ଚଙ୍କ ପ୍ରତିନିଧି ପ୍ରଶାନ୍ତ କୁମାର ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପରିଚାଳନା ଦାୟିତ୍ବ ତୁଲାଇଥିଲେ। ସେହିପରି ଗୋଲିଆ, କାଦପଡା, କତକଲା, ବୀରଧନଞ୍ଜୟପୁର, ହରିଶରଣପୁର, ଆଦିପୁର, ଅନ୍ତରପଡା, ସଦାଶିବପୁର, ରାମଗଡ ଆଦି ଗ୍ରାମରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି ।