ସେନାରେ ନିୟମିତ କ୍ୟାଡର ନିଯୁକ୍ତି ପାଇଁ ପଞ୍ଜୀକରଣ ଆରମ୍ଭ
କଟକ, (ଓ୍ବାଇଏନଏସ): ଭାରତୀୟ ସେନାରେ ‘ଅଗ୍ନିପଥ ଯୋଜନା’ ଏବଂ ନିୟମିତ କ୍ୟାଡରରେ ନିଯୁକ୍ତି ପାଇଁ ୨୦୨୬-୨୭ନିଯୁକ୍ତି ବର୍ଷ ନିମନ୍ତେ ଅନଲାଇନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ ୦୧ ତାରିଖ ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ, କଟକ ଓ ସେନା ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଆଶାୟୀମାନେ ଭାରତୀୟ ସେନାର ଅଫିସିଆଲ ୱେବସାଇଟ ମାଧ୍ୟମରେ ପଞ୍ଜିକରଣ କରିପାରିବେ । ଏହି ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ସମ୍ପର୍କରେ ବୁଝିବା ପାଇଁ ୱେବସାଇଟରେ ଏକ ଭିଡ଼ିଓ ମଧ୍ୟ ଉପଲବ୍ଧ ରହିଛି । ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀମାନଙ୍କୁ ଏକ ଅନଲାଇନ ସାଧାରଣ ପ୍ରବେଶିକା ପରୀକ୍ଷା ଦେବାକୁ ପଡିବ, ଯାହା ଏକ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ହେବ । ଏହି ପରୀକ୍ଷା ପାଇଁ ପ୍ରତ୍ୟେକ ଆଶାୟୀଙ୍କୁ ୨୫୦ଟଙ୍କା ପରୀକ୍ଷା ଦେୟ ଜମା କରିବାକୁ ପଡିବ । ଏହି ଅନଲାଇନ ପରୀକ୍ଷା ଆସନ୍ତା ଜୁନ୍ ମାସରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ପରୀକ୍ଷାର ସ୍ଥିରୀକୃତ ତାରିଖ ପରବର୍ତ୍ତୀ ସମୟରେ ୱେବସାଇଟ ମାଧ୍ୟମରେ ଘୋଷଣା କରାଯିବ । ରାଜ୍ୟର ସମସ୍ତ ଜିଲ୍ଲାର ଆଶାୟୀମାନେ ଏହି ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହୋଇପାରିବେ । ଏ ସମ୍ବନ୍ଧରେ ଅଧିକ ତଥ୍ୟ ପାଇଁ ପ୍ରାର୍ଥୀ କଟକସ୍ଥିତ ଆର୍ମି ରିକୃଟିଙ୍ଗ ଅଫିସ୍ କିମ୍ବା ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ, କଟକର ଲ୍ୟାଣ୍ଡଲାଇନ୍ ନମ୍ବର ୦୬୭୧- ୨୩୬୦୦୭୭ରେ ଯୋଗାଯୋଗ କରିପାରିବେ ।


