ରେମୁଣା ବିଧାୟକଙ୍କ ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ
ବାଲେଶ୍ବର(ସରୋଜ ପଣ୍ଡା): ରେମୁଣା ବିଧାୟକ ତଥା ସରକାରୀ ଉପମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ଙ୍କ ଆବାହକତ୍ୱରେ ରେମୁଣା ବ୍ଲକ ସ୍ତରୀୟ ଏକ ବୈଠକ ରେମୁଣା ମନ୍ଦିର ଛକ ନିକଟସ୍ଥ ହନୁମାନ କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଥିଲା। ରେମୁଣା ବିଡ଼ିଓ ଉତ୍ତମ କୁମାର ଜେନା, ଏବିଡ଼ିଓ ଶୁଭସ୍ମିତା ସାହୁ, ଜିପିଓ ସତ୍ୟନାରାୟଣ ବିଶ୍ବାଳ, ଏଇଇ ମହେନ୍ଦ୍ର ସାମଲଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ରେମୁଣା ବ୍ଲକର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯିବା ସହିତ ବିଭିନ୍ନ କାର୍ଯ୍ୟର ତଦାରଖ କରାଯାଇଥିଲା। ଏ ସରକାର ଲୋକଙ୍କ ସରକାର ଏବଂ ଲୋକଙ୍କ ହିତ ପାଇଁ ସର୍ବଦା କାମ କରୁଥିବା ସରକାର । ଗରିବ ଲୋକ ମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ମାନ କରୁଛନ୍ତି। ମୋ ନିର୍ବାଚନ ମଣ୍ଡଳୀର କୌଣସି ଯୋଗ୍ୟ ହିତାଧିକାରୀ ସରକାରଙ୍କ ଯୋଜନାରୁ ବଞ୍ଚିତ ନ ହୁଅନ୍ତୁ ବୋଲି ବିଧାୟକ ଶ୍ରୀ ଦାସ କହିଥିଲେ। ଏଥି ସହିତ ଅନ୍ତୋଦୟ ଯୋଜନା, ରାସନ୍ କାର୍ଡ, ଭତ୍ତା ଆଦି ଯୋଜନାରେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ କେମିତି ଲାଭ ପାଇପାରିବେ ସେ ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ଅଧିକାରୀଙ୍କୁ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରେମୁଣା ବ୍ଲକର ସମସ୍ତ ପିଇଓ ଏବଂ ଏଡିବିଓ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ।