ସଂରକ୍ଷିତ ବର୍ଗର ପ୍ରାର୍ଥୀ ଅଣସଂରକ୍ଷିତ ବର୍ଗରେ ଥିବା ବୟସ ସୀମା ସୁବିଧା ପାଇପାରିବେ ନାହିଁ : ହାଇକୋର୍ଟ

କଟକ, (ଓ୍ବାଇଏନଏସ): ସଂରକ୍ଷିତ ବର୍ଗର ପ୍ରାର୍ଥୀ ଅଣସଂରକ୍ଷିତ ବର୍ଗରେ ଥିବା ବୟସ ସୀମା କୋହଳ ସୁବିଧା ପାଇପାରିବେ ନାହିଁ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ସଂରକ୍ଷିତ ବର୍ଗର ପ୍ରାର୍ଥୀ ଅଣସଂରକ୍ଷିତ ପଦରେ ନିଯୁକ୍ତି ପାଇବାକୁ ହେଲେ ବା ସେହି ପଦରେ କୌଣସି ସୁବିଧା ନେବାକୁ ହେଲେ ଏଥିପାଇଁ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ ଉଲ୍ଲେଖ ହୋଇଥିବା ଆବଶ୍ୟକ । ନଚେତ୍‌ ଏହି ସୁବିଧା ଜଣେ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ମିଳିପାରିବ ନାହିଁ ବୋଲି ହାଇକୋର୍ଟ ଆବେଦନକାରୀଙ୍କ ପିଟିସନ୍‌କୁ ଖାରଜ କରିବା ଅବସରରେ ସ୍ପଷ୍ଟ କରିଛନ୍ତି । ନିତାଶ କୁମାର ଦାସଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌.କେ. ପାଣିଗ୍ରାହୀ ଏହି ରାୟ ଦେଇଛନ୍ତି । ଆବେଦନକାରୀ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍‌ ଲିମିଟେଡ୍‌ (ଓଏଚ୍‌ପିସି)ର ପ୍ରକାଶିତ ବିଜ୍ଞାପନ ଅନୁସାରେ “ମ୍ୟାନେଜମେଣ୍ଟ ଟ୍ରେନି (ଏଚ୍‌ଆର୍‌)’ ପଦ ପାଇଁ ଆବେଦନ କରିଥିଲେ । ଉକ୍ତ ବିଜ୍ଞାପନରେ ଅସଂରକ୍ଷଣ ଓ ଏସ୍‌ଟି ବର୍ଗରେ ନିଯୁକ୍ତି ପାଇଁ ପଦ ରହିଥିଲା । କିନ୍ତୁ ଏସ୍‌ଇବିସି ବର୍ଗ ପାଇଁ କୌଣସି ପଦ ନିର୍ଦ୍ଧାରିତ ହୋଇନଥିଲା । ବିଜ୍ଞାପନ ଅନୁଯାୟୀ ଅଣସଂରକ୍ଷିତ ପଦ ପାଇଁ ସର୍ବାଧିକ ବୟସ ସୀମା ୩୨ ବର୍ଷ ଧାର୍ଯ୍ୟ ହୋଇଥିଲା । ଏହି ବର୍ଗ ପାଇଁ ବୟସ ସୀମା କୋହଳ ସୁବିଧା ନ ଥିଲା । ଆବେଦନକାରୀଙ୍କ ବୟସ ନିର୍ଦ୍ଧାରିତ କଟ୍‌ ଅଫ୍‌ ତାରିଖରେ ପ୍ରାୟ ୩୫ ବର୍ଷରୁ ଅଧିକ ଥିଲା । କିନ୍ତୁ ଏସ୍‌ଇବିସିରେ କୌଣସି ପଦନଥିବାରୁ ସେ ଅସଂରକ୍ଷିତ ବର୍ଗରେ ନିଯୁକ୍ତି ପାଇଁ ଆବେଦନ କରିଥିଲେ । ପ୍ରଥମେ ତାଙ୍କ ଆବେଦନ ଗ୍ରହଣ ହୋଇ ଏକ ପଞ୍ଜୀକରଣ ନମ୍ବର ଆସିଥିଲା । କିନ୍ତୁ ଅସଂରକ୍ଷିତ ବର୍ଗରେ ତାଙ୍କ ବୟସ ସୀମା ଅଧିକ ଥିବାରୁ ପରେ ସେହି ଆବେଦନ ଖାରଜ ହୋଇଯାଇଥିଲା । ଫଳରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନକାରୀ ଏସ୍‌ଇବିସି ପ୍ରାର୍ଥୀ ହୋଇଥିବାରୁ ଅସଂରକ୍ଷିତ ବର୍ଗରେ ବୟସ କୋହଳ ସୁବିଧା ପାଇପାରିବେ ବୋଲି ଦାବି କରିଥିଲେ । ତେଣୁ ଓଏଚ୍‌ପିସି ନିର୍ଦ୍ଦେଶକୁ ରଦ୍ଦ କରାଯାଇ ତାଙ୍କ ଆବେଦନକୁ ଗ୍ରହଣ ପାଇଁ ସେ ପ୍ରାର୍ଥନା କରିଥିଲେ । ହାଇକୋର୍ଟ ଉଭୟ ପକ୍ଷଙ୍କୁ ଶୁଣିବା ପରେ ରାୟରେ କହିଛନ୍ତି ଯେ, ଜଣେ ସଂରକ୍ଷିତ ବର୍ଗର ପ୍ରାର୍ଥୀ ଅଣସଂରକ୍ଷିତ ବର୍ଗକୁ ସେତେବେଳେ ଯାଇପାରିବେ, ଯେତେବେଳେ ସେ କୌଣସି ପ୍ରକାରର କୋହଳ ସୁବିଧା ନେଇ ନ ଥିବେ । ଯଦି ସେ ଥରେ ବୟସ କୋହଳ ସୁବିଧା ନିଅନ୍ତି, ତେବେ ସେ କେବଳ ସଂରକ୍ଷିତ ବର୍ଗର ପଦ ପାଇଁ ହିଁ ବିବେଚିତ ହେବେ । ଏହି ଆଧାରରେ ହାଇକୋର୍ଟ ଆବେଦନକାରୀଙ୍କ ପିଟିସନ୍‌କୁ ଖାରଜ କରାଇଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ