ସମୁଦ୍ରରୁ ମାଛ ଧରିବା ଉପରେ କଟକଣା। :୬୧ଦିନ ସମୁଦ୍ରରେ ମାଛ ଧରିବା ବନ୍ଦ

କାକଟପୁର/ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ ):-ସମୁଦ୍ରରୁ ମାଛ ମାରିବା ଉପରେ କଟକଣା ଲାଗିଛି। ଏପ୍ରିଲ ୧୫ରୁ ୧୪ ଜୁନ ୬୧ଦିନ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ମାରିବା ବନ୍ଦ। ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗ ପକ୍ଷରୁ ଏହି କଟକଣା ଜାରି କରାଯାଇଛି। ବିଭିନ୍ନ ଜେଟି ଆଉ ମୁହାଣରେ ବୁଲିଛି ମତ୍ସ୍ୟ ବିଭାଗର ଡାକବାଜି ଯନ୍ତ୍ର। ମାଛଙ୍କ ପ୍ରଜନନ ଋତୁରେ ସମୁଦ୍ରରୁ ମାଛ ମାରିବାକୁ ବାରଣ କରାଯାଇଛି। ମତ୍ସ୍ୟ ବିଭାଗର ଏହି ନିର୍ଦେଶ ଏବେ ଶହ ଶହ ମତ୍ସ୍ୟଜୀବୀଙ୍କୁ ହାତବାନ୍ଧି ବସିବାକୁ ବାଧ୍ୟ କରିଛି। ମାଛ ମାରିବାକୁ ଗଲେ ଯାହାର ଚୁଲି ଜଳୁଥିଲା ଏବେ ସେ ଖାଇବେ କ’ଣ, ଚଳିବ କେମିତି ବୋଲି ଚିନ୍ତାରେ ପଡ଼ିଛନ୍ତି। ଗୋଟିଏ ପଟେ ମାଛଙ୍କ ବଂଶ ବୃଦ୍ଧି ପାଇଁ ସରକାରଙ୍କ କଟକଣା ଆଉ ଗୋଟିଏ ପଟେ ପରିବାର ଚଳାଇବା ଚିନ୍ତା ମତ୍ସ୍ୟଜୀବୀଙ୍କ ଉପରେ ଭାରି ପଡ଼ିଛି।ପ୍ରତିବର୍ଷ ଆମ ଜୀବନ ଜୀବିକା ଉପରେ କଟକଣା ଲଗାଇ ହଇରାଣ କରାଯାଉଥିବା ମତ୍ସ୍ୟଜୀବୀ ଅଭିଯୋଗ କରିଛନ୍ତି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ନୂଆଗଡ ଅଞ୍ଚଳରେ ମାଛଧରା ଜେଟି। ଭୁଟୁଭୁଟି, ଟ୍ରଲର ଓ ଲଞ୍ଚଠାରୁ ଆରମ୍ଭକରି ନୂଆଗଡ଼ ଜେଟି ଅଞ୍ଚଳରେ ରହିଛି ଶହ ଶହ ବୋଟ। ସମୁଦ୍ରରୁ ମାଛ ମାରି ମତ୍ସ୍ୟଜୀବୀ ବର୍ଷସାରା ଚଳନ୍ତି। ତା’ସହିତ ବୋଟ ମାଲିକ, ମାଛ ଓଜନ, ଲୋଡିଂ ଅନଲୋଡିଂ, ମାଛ ବାହକ, ବିକ୍ରେତା, ଜାଲ କାରିଗର ଠାରୁ ଆରମ୍ଭକରି ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ହଜାର ହଜାର ପରିବାର ନିର୍ଭର କରି ଚଳନ୍ତି। ମାଛ ଉପରେ ଯିଏ ଯେମିତି ଦୁଇପଇସା ରୋଜଗାର କରି ପରିବାର ଚଳାନ୍ତି। ପ୍ରଜନନ ଋତୁରେ ସରକାରଙ୍କ ମାଛ ଧରା କଟକଣା ମତ୍ସ୍ୟଜୀବୀଙ୍କ ଉପରେ ଭାରି ପଡ଼ିଛି। ନିୟମ ନ ମାନିଲେ; ବୋଟ ସହିତ ମାଛଧରା ଉପକରଣକୁ ଜବତ କରାଯିବା ସହ ଜୋରିମାନା ମଧ୍ୟ ଭୋଗିବାକୁ ପଡ଼ିବ ବୋଲି ମତ୍ସ୍ୟ ବିଭାଗର ନିୟମ କହୁଛି। ଏହି ନିୟମ ଅନୁସାରେ ମାଛ ମାରିବାକୁ ଯାଇଥିବା ବୋଟ ଗୁଡିକ ଏବେ କୂଳକୁ ଫେରୁଛନ୍ତି। ଆଉ କେତେକ ବୋଟ ସମୁଦ୍ରରୁ ଫେରୁଥିବା ସୂଚନା ମିଳିଛି।ଏଥର କିଛି ମାସ ମାଛ ମାରିବା ପରେ ସରକାରଙ୍କ ନିର୍ଦ୍ଧାରିତ (ଷ୍ଟାଣ୍ଡିଂ) ନିୟମ ଲାଗୁ ହୋଇଛି। ମାଛ ମାରିବା ବନ୍ଦ ରହୁଥିବାରୁ ମତ୍ସ୍ୟଜୀବୀଙ୍କ ସହ ବୋଟ ମାଲିକ ଚିନ୍ତାରେ ପଡ଼ିଛନ୍ତି। ବୋଟ କୂଳକୁ କିଛି ଫେରିଆସିଛନ୍ତି, ବାକି ଫେରିବା ବାଟରେ ରହିଛନ୍ତି ବୋଲି ଜଣାପଡିଛି। ମତ୍ସ୍ୟଜୀବୀଙ୍କ ସହ ମାଲିକଙ୍କ କହିବା କଥା, ସରକାରଙ୍କ ନିୟମକୁ ଆମେ ସମ୍ମାନ ଦେଉଛୁ, ହେଲେ ମାଛଧରା ବନ୍ଦ ସମୟରେ ସରକାରଙ୍କ ଯେଉଁ ନିୟମ ରହିଛି ତାହାକୁ କଡ଼ାକଡ଼ି ଭାବେ ପାଳନ କରାଯାଉନି ବୋଲି ସଂଘ ଅଭିଯୋଗ କରିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ