ଅବସରପ୍ରାପ୍ତ ଏନ୍ପିଏସ ଶିକ୍ଷକ ସଂଘର ବୈଠକ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଆଜି ବନ୍ତ ଠାରେ ଅବସରପ୍ରାପ୍ତ ଏନ୍.ପି.ଏସ ଶିକ୍ଷକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପଦ୍ମନାଭ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ନିରାକର ଜେନା, ସନାତନ ଦାସ, ବିଳାସିନୀ ସାହୁ, ହୃଷିକେଶ ଦାସ, ଲାଲ ମୋହନ ଜେନା, ନାରାୟଣ ଖୁଣ୍ଟିଆ, ମଣିଭଦ୍ର ବାରିକ, ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ସରକାରୀ କର୍ମଚାରୀ ମାନଙ୍କ ନିମନ୍ତେ ନିର୍ଦ୍ଧାରଣ କରାଯାଇଥିବା ଏନପିଏସ ଓ ୟୁପିଏସ ସମ୍ପର୍କରେ ଆଲୋଚନା ହୋଇଥିଲା । ଏନପିଏସରେ ଥିବା କର୍ମଚାରୀ ମାନଙ୍କ ୟୁପିଏସ ଚୟନ ପ୍ରକ୍ରିୟା ଆସନ୍ତା ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଦିଆଯାଇଥିବା ବେଳେ ତାର ଚୁଡାନ୍ତ ନିୟମାବଳୀ ଘୋଷଣା କରାଯାଇନାହିଁ । ଫଳରେ ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଦ୍ୱନ୍ଦରେ ରହିଛନ୍ତି । ସେହିପରି ଏନପିଏସ ଓ ୟୁପିଏସକୁ ବିରୋଧ କରି ଅବିକଳ ପୁରୁଣା ପେନସନ ଲାଗୁ କରିବା ପାଇଁ କର୍ମଚାରୀ ମାନେ ସରକାରଙ୍କ ପାଖରେ ଦାବୀ କରି ଆସୁଛନ୍ତି । ଦୀର୍ଘ ୨୦ ବର୍ଷ ଧରି ଶିକ୍ଷକ ମାନେ ବିଦ୍ୟାଳୟରେ ଶିକ୍ଷାଦାନ କରିବା ସହିତ ବିଭିନ୍ନ ସରକାରୀ କାର୍ଯ୍ୟ ସମ୍ପାଦନ କରି ଅବସର ନେବା ପରେ କୌଣସି ଆର୍ଥିକ ସହାୟତା ପାଇପାରୁନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁରୁଣା ପେନସନ କାର୍ଯ୍ୟକାରୀ କରିବା ପାଇଁ ସଂଘ ପକ୍ଷରୁ ନିବେଦନ କରାଯାଇଛି ।