ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା
କଟକ, (ଓ୍ବାଇଏନଏସ): କଟକ ଟାଙ୍ଗୀ ଚୌଦ୍ବାର ବ୍ଲକ ମହିସାଲଣ୍ଡା ଗ୍ରାମ ପଞ୍ଚାୟତ ମାଛପଙ୍ଗି ଗହଣ୍ଡା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶରତ କୁମାର ଷଢ଼ଙ୍ଗୀ ଅବସର ଗ୍ରହଣ କରିଛନ୍ତି । ଏଥିପାଇଁ ବିଦ୍ୟାଳୟ ପରିଚାଳନା କମିଟି, ଗ୍ରାମବାସୀ ଓ ପ୍ରଧାନ ଶିକ୍ଷୟତ୍ରୀଙ୍କ ତତଫରୁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ସଭାରେ ପ୍ରଧାନ ଶିକ୍ଷୟତ୍ରୀ ଶଶି କାନ୍ତୀ ଦେହୁରୀ ସଭାପତିତ୍ବ କରିଥିବା ବେଳେ, ଶିକ୍ଷକ ଗୋପୀନାଥ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ସରପଞ୍ଚ କଲ୍ୟାଣୀ ରାଉତ, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ଦେବୀ ପ୍ରସାଦ ସ୍ବାଇଁ, ପୂର୍ବତନ ଶିକ୍ଷକ ବନମାଳୀ ପ୍ରଧାନ, ସାମ୍ବାଦିକ ହେମନ୍ତ କୁମାର ରାଉତ ଯୋଗ ଦେଇଥିଲେ । ସର୍ବ ପ୍ରଥମେ ଶରତ ସାରଙ୍କୁ ପୁଷ୍ପଗୁଚ୍ଛ,ଉପଢୌକନ ଓ ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥିମାନେ ବିଦାୟୀ ଶିକ୍ଷକ ଶରତ ଷଡ଼ଙ୍ଗୀଙ୍କ ଅମାୟିକ ବ୍ୟକ୍ତିତ୍ଵ, ଶିକ୍ଷା ଦାନର ଶୈଳୀ ଓ ସମୟାନୁ ବର୍ତ୍ତିତାର ପ୍ରଶଂସା କରିଥିଲେ । ତାଙ୍କର ପ୍ରିୟ ଶିକ୍ଷକ ବିଦାୟ ନେଉଥିବା ବେଳେ ଉପସ୍ଥିତ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଭାବ ବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା । ବରିଷ୍ଟ ଶିକ୍ଷକ ଶୁଭକାନ୍ତ ନାୟକ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦିନଟିକୁ ସ୍ମରଣୀୟ କରିବା ପାଇଁ ଗ୍ରାମବାସୀଙ୍କ ଉଦ୍ୟମରେ ଏକ ଭୋଜିର ଆୟୋଜନ କରାଯାଇଥିଲା।