ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲା ଅନୁସୂଚୀତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟ ସମୂହର ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷମାନେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ଦେଓଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି । ଏହି ଉପଲକ୍ଷେ ନରଣପୁର ଉଚ୍ଚ ବିଦ୍ୟାଳୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ କେନ୍ଦୁଝର ଜୋନ ର ଶିକ୍ଷା ମଣ୍ଡଳାଧିଶ ସଂଚିତା ବେହେରା ଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ଦେଓଙ୍କର ଗୁଣଗାନ ଓ ପ୍ରଶଂସା କରିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୟ କୁମାର ଧଳ ଓ ଚମ୍ପୁଆ ଉପଖଣ୍ଡର ସହକାରୀ ମଙ୍ଗଳ ଅଧିକାରୀ ଅକ୍ଷୟ କୁମାର ପିଙ୍ଗୁଆ ଯୋଗଦେଇ ଶ୍ରଯୁକ୍ତ ଦେଓଙ୍କର ଅବସରକାଳୀନ ସମୟ ସୁଖମୟ ହେବା ସହ ସେ ସୁସ୍ଥ ଓ ନିରୋଗ ରହିବାକୁ ମା’ ତାରିଣୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଭଗାମୁଣ୍ଡା ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ସରୋଜ କୁମାର ନନ୍ଦ ସ୍ୱାଗତ ଭାଷଣ ଦେବା ସହ ସଭା ପରିଚାଳନା କରିଥିଲେ । ରାଇଡିହା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିବାବେଳେ ନରଣପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ କିଶୋର ଚନ୍ଦ୍ର ରାଉତ ମାନପତ୍ର ପାଠ କରିଥିଲେ । ପ୍ରଧାନଶିକ୍ଷକ ଏବଂ ଅନ୍ୟ ଶିକ୍ଷକ,ଶିକ୍ଷୟିତ୍ରୀମାନେ ବିଦାୟୀ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଗୁଣଗାନ କରିବା ସଂଗେ ସଂଗେ ତାଙ୍କ କାର୍ଯ୍ୟକାଳ ସମୟରେ ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କ ବିଭିନ୍ନ ସମସ୍ୟା ସୁଚାରୁରୂପେ ସମାଧାନ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ବିଦାୟୀ ଅଧିକାରୀ ଶ୍ରୀଯୁକ୍ତ ଦେଓଙ୍କୁ ମାନପତ୍ର,ଉତ୍ତରୀୟ ଏବଂ ଉପଢୌକନ ଦେଇ ବିଦାୟ ଦିଆଯାଇଥିଲା । ଏହି ସଭାକୁ ପରିଚାଳନା କରିବାରେ ଶୁଆକାଟୀ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିକାଶ ଶତପଥି,କାଦକଳା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୋମନାଥ ଆଇଚ,ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ସାହୁ,ନରଣପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସୌମ୍ୟକାନ୍ତ ସାହୁ,ନରଣପୁର ଉଚ୍ଚ ବିଦ୍ୟାଳୟର ପଦ୍ମଲୋଚନ ମହାନ୍ତ ଏବଂ ଅନ୍ୟାନ୍ୟ ଶିକ୍ଷକ,ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।