ପ୍ରଧାନ ଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା
ହାଟଡିହି (ଓ୍ବାଇଏନଏସ) ହାଟଡିହି ବ୍ଲକ ସରମଙ୍ଗା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ବେହେରାଙ୍କୁ ଅବସର ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ପୂର୍ବତନ ଏବିଇଓ ନୃସିଂହ ଚରଣ ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ଘଷିପୁରା ବିଡ଼ିଓ ବିବିତା ବିଜୟିନୀ,ଜିଲ୍ଲା ପରିଷଦ ବିମ୍ବାଧର ବିଶ୍ୱାଳ, ଶିକ୍ଷାବିତ୍ ବାସୁଦେବ ନାୟକ, ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇ, ସମାଜସେବୀ ରତ୍ନାକର ବିଶ୍ଵାଳ, ପୁର୍ବତନ ଏବିଇଓ ସୁରେଶ କୁମାର ଜେନା, ସିଆରସିସି ବିଜୟ କୁମାର ସା, ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ଲେଙ୍କା, ଯୁଧିଷ୍ଠିର ପାତ୍ର, ଏସ.ଏମ୍.ସି ଚେୟାରମ୍ୟାନ ଲକ୍ଷ୍ମୀଧର ଘଡେଇ ପ୍ରମୁଖ ଯୋଗଦେଇ ଅକ୍ଷୟ କୁମାର ବେହେରାଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ। ସେ ଜଣେ ସୁନାମଧନ୍ୟ ଶିକ୍ଷକ, ଦକ୍ଷ ସଂଗଠକ ଓ ସାମାଜିକ କର୍ମୀ ଭାବେ ପରିଚିତ ଥିଲେ। ଏଥିପାଇଁ ତାଙ୍କୁ ତାଙ୍କ ନିଜ ଗାଁ ସଡଙ୍ଗରୁ ଏକ ବିରାଟ ପଟୁଆରରେ ସ୍କୁଲ ନିକଟକୁ ପାଛୋଟି ଅଣାଯାଇ ଥିଲା। ପରେ ବିଦ୍ୟାଳୟ ପରିସରରେ ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରଯାଇଥିଲା। ପଣ୍ଡିତ ଏହି ଅବସରରେ ବିଦ୍ୟାଳୟ, ସହକର୍ମୀ, ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ପକ୍ଷରୁ ମାନପତ୍ର ସହିତ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରଯାଇଥିଲା। ଶେଷରେ ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ପକ୍ଷରୁ ତାଙ୍କୁ ଭାବ ବିହ୍ୱଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା କମିଟି ଓ ଆଖ ପାଖ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇଥିଲେ। ଏହି ଅବସରରେ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ବେହେରାଙ୍କ ଉଦ୍ଦେଶ୍ୟରେ ‘ଅନାସକ୍ତ ଅକ୍ଷୟ’ ପୁସ୍ତକକୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ସହକାରୀ ଶିକ୍ଷକ ଉତ୍ତମ କୁମାର ସ୍ୱାଇଁ, ଦେବଦତ୍ତ ନାୟକ, ଗୋଲଖ ଚନ୍ଦ୍ର ଘଡେ଼ଇ, ଶୁଭଶ୍ରୀ ପ୍ରିୟଦର୍ଶନୀ ବିଶ୍ଵାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।