ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ପାଇଁ ରାଜସ୍ଵ ବିଭାଗର ଆନ୍ତରିକତା ନାହିଁ, ଅନୁଦାନ ମିଳିଥିଲେ ବି ଦେଉ ନାହିଁ ଜମି
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକକୁ ଜିଲ୍ଳାର ସର୍ବ ବୃହତ ବ୍ଲକ ଭାବେ ବିବେଚନା କରାଯାଉଥିବା ବେଳେ ପ୍ରଶାସନିକ ଉଦାସୀନତା ଯୋଗୁଁ ବ୍ଲକ ଟି ସବୁଦୃଷ୍ଟିରୁ ପଛୁଆ ହୋଇ ପଡିଛି। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉଦ୍ୟାନ ବିଭାଗ ମାଧ୍ୟମରେ। ହାଟଡିହିରେ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଖୋଲିବା ପାଇଁ କେହି ଆନ୍ତରିକତା ଦେଖାଉ ନାହାନ୍ତି। ଦୀର୍ଘ ୧୧ବର୍ଷ ବର୍ଷ ପୂର୍ବରୁ ୨୦୧୪ ମସିହାରେ ସରକାର କାର୍ଯ୍ୟଳୟ ଗୃହ ନିର୍ମାଣ ପାଇଁ ୧୫ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଥିଲେବି ରାଜସ୍ଵ ବିଭାଗ ଜମି ଦେଉ ନଥିବାରୁ ନିର୍ମାଣ ହୋଇ ପାରୁନି ଉଦ୍ୟାନ ବିଭାଗ କାର୍ଯ୍ୟାଳୟ । ହାଟଡିହି ବ୍ଲକରେ ସହକାରୀ ଉଦ୍ୟାନ ବିଭାଗର ଅଫିସ କାର୍ଯ୍ୟକାରୀ ହେଉ ଥିଲେବି ତାହା କେବଳ କାଗଜ କଲମରେ ଚାଲୁଛି। ଯେଉଁ ଅଧିକାରୀ ଏଠାରେ ନିଯୁକ୍ତି ପାଇଛନ୍ତି ସେ କେବଳ ମିଟିଂ ଦିନ ବ୍ଲକ କୁ ଆସନ୍ତି। ଅନ୍ୟ ଦିନ ମାନଙ୍କରେ ସେ ଆନନ୍ଦପୁର ଉଦ୍ୟାନ ବିଭାଗ ପରିସରରେ ଥିବା ଆତ୍ମା କାର୍ଯ୍ୟାଳୟରେ ବସି ଅଫିସ୍ କରନ୍ତି। ବର୍ତ୍ତମାନ ସମୟରେ ଉଦ୍ୟାନ ବିଭାଗ ଅଧିନରେ ସରକାର ଉଦ୍ୟାନ ଚାଷ ପାଇଁ କୋଟି କୋଟି ଟଙ୍କା ଯୋଗାଇ ଦେଉଛନ୍ତି। କିନ୍ତୁ ଏଠାରେ କାର୍ଯ୍ୟଳୟ ନଥିଵାରୁ ଲୋକେ ଯୋଜନା ସମ୍ପର୍କରେ କିଛି ବି ଜାଣିପାରୁ ନାହାନ୍ତି। ଏନେଇ ଅନେକଥର ପଞ୍ଚାୟତ ସମିତି ବୈଠକରେ ଆଲୋଚନା ହୋଇ ଜମି ଚିହ୍ନଟ ପାଇଁ ରାଜସ୍ବ ବିଭାଗ କୁ କୁହାଯାଇଥିଲେ ବି ଜଣେ ପରେ ଜଣେ ତହସିଲଦାର ବଦଳି ଯାଉଥିବାରୁ ଏହାର ଅଗ୍ରଗତି ହୋଇପାରୁନି। ଅନ୍ୟ ପକ୍ଷରେ ରାଜ ନେତାମାନେ କି ସରକାରୀ ବାବୁ ମାନେ ଏନେଇ ଆନ୍ତରିକତା ଦେଖାଉ ନଥିବାରୁ ହାଟଡିହି ରେ ଉଦ୍ୟାନ ବିଭାଗ ର କାର୍ଯ୍ୟଳୟ ଖୋଲି ପାରୁନି। ଏପରିକି ବ୍ଲକର ଏକ ପ୍ରକୋଷ୍ଠରେ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଖୋଲିବାକୁ ପଞ୍ଚାୟତ ସମିତି ବୈଠକରେ ହୋଇଥିବା ନିଷ୍ପତ୍ତି ଘୋଷଣାରେ ଅଟକି ଯାଇଛି। ଏ ସମ୍ପର୍କରେ ଉଦ୍ୟାନ ବିଭାଗ ଉପ ନିର୍ଦେଶକ ସୁରେନ୍ଦ୍ର ଡେଲକି ଙ୍କୁ ପଚାରିବାରେ ସେ କହିଛନ୍ତି ଯେ ପ୍ରତିବର୍ଷ ଏନେଇ ମୁଁ ଅନେକ ଥର ତହସିଲକୁ ଯାଇ ଫାଇଲ ପ୍ରସ୍ତୁତ କରି ଦେଉଛି, କିନ୍ତୁ କିଛି ଫଳ ମିଲୁନି ବୋଲି କହିଛନ୍ତି। କେନ୍ଦୁଝର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।