ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

ଛତ୍ରପୁର, ୫/୨: ଓଡିଶା ସରକାର ଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ  ରବି ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବିଭାଗୀୟ ସମୀକ୍ଷା ବୈଠକ ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି  ।  ଏହି ବୈଠକରେ ଗଂଜାମ ଜିଲ୍ଲାରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ), ଅନ୍ତୋଦୟ ଗୃହ ଯୋଜନା, ବିକଶିତ ଗାଁ ବିକଶିତ ଓଡିଶା, ପ୍ରଧାନମନ୍ତ୍ରୀ ଜନମନ, ସ୍ୱଚ୍ଛ ଭାରତ ମିଶନ – ଗ୍ରାମୀଣ (ଏସ୍‌ବିଏମ୍ – ଜି) ଅନ୍ତର୍ଗତ ବାହ୍ୟ ମଳମୁକ୍ତ ଗ୍ରାମ, ରାସ୍ତା, ପୋଲ, ପାନୀୟ ଜଳ ପ୍ରକଳ୍ପ ଓ ଅନ୍ୟାନ୍ୟ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମନ୍ତ୍ରୀ ଶ୍ରୀ ନାଏକ ସମୀକ୍ଷା କରିଥିଲେ । ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଂକଳ୍ପ ବଦ୍ଧ । ଗଂଜାମ ଜିଲ୍ଲାରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ଓ ପ୍ରକଳ୍ପର ଅଗ୍ରଗତି ନେଇ ମନ୍ତ୍ରୀ ଶ୍ରୀ ନାଏକ ସନ୍ତୋଷ ବ୍ୟକ୍ତ କରିବା ସହିତ ଲବଣ।କ୍ତ ଜଳ ଯୋଗୁଁ  ଜିଲ୍ଲାରେ ପାନୀୟ ଜଳ ଏକ ପ୍ରମୁଖ ସମସ୍ୟା ହୋଇଥିବାରୁ ସୁବଳ, ସୁନାପୁର ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ପାନୀୟ ଜଳ ପ୍ରକଳ୍ପଗୁଡିକୁ ୨/୩ ମାସ ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ସାରିବା ପାଇଁ ସମ୍ପୃକ୍ତ ଏଜେନ୍ସି ମାନଙ୍କୁ ନିର୍ଦ୍ଦେଶ ଦେବା ସହ ଏଥିରେ ବ୍ୟତିକ୍ରମ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସମ୍ପୃକ୍ତ ଏଜେନ୍ସି ମାନଙ୍କୁ ଚେତାବନୀ ଦେଇଛନ୍ତି।  ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ବାହ୍ୟ ମଳମୁକ୍ତ ଗ୍ରାମ ସମ୍ପର୍କରେ ସମୀକ୍ଷା କରି ସେ ସନ୍ତୁଷ୍ଟି ପ୍ରକାଶ କରିବା ସହିତ ଗାଁ ଗୁଡିକୁ କିପରି ପଲିଥିନ ମୁକ୍ତ କରାଯାଇପାରିବ ସେ ନେଇ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଭଳି ପ୍ରୟାସ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି  । ଖୁବ ଶୀଘ୍ର ଏକ ଦଳ ସୁନ୍ଦରଗଡ ଜିଲ୍ଲା ଗସ୍ତ କରି ସେ ସମ୍ପର୍କିତ ପଦକ୍ଷେପ ବିଷୟରେ ଅବଗତ ହେବେ । ସେହିପରି ଗ୍ରାମୀଣ ଆବାସ ଯୋଜନା ଉପରେ ଆଲୋକପାତ କରି ମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ପକ୍କା ଘର ଯୋଗାଇଦେବାକୁ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ଗଞ୍ଜାମ ଜିଲ୍ଲାର ୧୫୦ ଜନସଂଖ୍ୟା ବିଶିଷ୍ଟ ୧୬ଟି ଦୂରବର୍ତ୍ତୀ ଗାଁକୁ ଆସନ୍ତା ବର୍ଷ ସୁଦ୍ଧା ରାସ୍ତା ପହଂଚିବ । ଏହାର ଡିପିଆର ପ୍ରସ୍ତୁତ ଚାଲିଛି। ଖୁବଶୀଘ୍ର ରାସ୍ତା ନିର୍ମାଣ ହେବ ଏବଂ ଜନସାଧାରଣ ଉପକୃତ ହେବେ। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧୀନରେ କିପରି ଅଧିକରୁ ଅଧିକ ଲୋକ କାମ କରିବେ  ଓ ଶ୍ରମିକ କାର୍ଡ ନବୀକରଣ ଉପରେ ପ୍ରାଧାନ୍ୟ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଜ଼ିଲ୍ଲାପାଳ ଭି କୀର୍ତି ଭାସନ, ଗଞ୍ଜାମ ଜିଲ୍ଲା ପରିଷଦ ର ଭାରପ୍ରାପ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ କୁମାର ବେହେରା, ବରିଷ୍ଠ ବିଭାଗୀୟ ଅଧିକାରୀ ଓ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଯୋଗ ଦେଇଥିଲେ  ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ