ସ୍ୱାଧୀନ ମତବାଦ ଅଧିକାର
କଂଗ୍ରେସ ସାଂସଦ ଇମ୍ରାନ ପ୍ରତାପ ପୁଡିିଙ୍କ ବିରୁଦ୍ଧରେ ଦାୟର ମାମଲାକୁ ସୁପ୍ରିମକୋର୍ଟ ରଦ୍ଦ କରିଦେବା ଏକ ବିସ୍ମୟ ନୁହେଁ। କିନ୍ତୁ ମାମଲାଟି ସୁପ୍ରିମକୋର୍ଟରେ ପହଁଚିବା ହେଉଛି ପ୍ରକୃତ ବିସ୍ମୟ। ମାମଲାକୁ ରଦ୍ଦ କରିବା ଅବସରରେ ସୁପ୍ରିମକୋର୍ଟ ଯାହା କହିଛନ୍ତି, ତାହା ଅତ୍ୟନ୍ତ ଗୁରୁତ୍ୱ ବହନ କରେ। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଆମର ସାଧାରଣତନ୍ତ୍ର ୭୫ବର୍ଷ ବର୍ଷରେ ପହଁଚି ଥିବାବେଳେ ଆମେ ଆମର ମୌଳିକ ତତ୍ୱ ଦୁର୍ବଳ ବା ଅସ୍ଥିର ହେବା ଆମେ ଦେଖିନାହୁଁ, ସେହିପରି ଦେଶର ଜନସାଧାରଣଙ୍କୁ ସମ୍ବିଧାନ ପ୍ରଦତ ସ୍ୱାଧୀନ ମତବାଦ ଅଧିକାର ମଧ୍ୟ ଆଲୋଚନାର ପ୍ରସଙ୍ଗ ନୁହେଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ସ୍ୱାଧୀନ ମତବାଦ କଳା, କବିତା କିମ୍ବା କବିତା ମାଧ୍ୟମରେ ହେଉ କ୍ରିଏଟିଭ ଏକ୍ସପ୍ରେସନ୍ ଗୋଟିଏ ଅପରାଧ ନୁହେଁ ବୋଲି ଦର୍ଶାଇ ଗୁଜରାଟ ପୋଲିସ ପ୍ରତାପ ଗୁଡିଙ୍କ ବିରୁଦ୍ଧରେ ଦାୟର କରିଥିବା ମାମଲାକୁ ରଦ୍ଦ କରି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସାଂସଦ ପ୍ରତାପ ଗୁଡିଙ୍କ କବିତା ଧାର୍ମିକ ଶତୃତା, ଜାତୀୟ ସଂହତି ପ୍ରତି ବିପଦ, ଧାର୍ମିକ ଘୃଣାଭାବ ସୃଷ୍ଟି ଆଦି ଅଭିଯୋଗ କରି ମାମଲା ରୁଜୁ କରିଥିଲା। ନିମ୍ନ ଅଦାଲତ ଦାୟର ଏତଲାକୁ କାଏମ ରଖିଥିବା ବେଳେ ଗୁଜରାଟ ହାଇକୋର୍ଟ ମଧ୍ୟ କାଏମ ରଖିଥିଲେ। ହାଇକୋର୍ଟ ରାୟକୁ ଚ୍ୟାଲେଞ୍ଜ କରି ସାଂସଦ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। କହିବା ବାହୁଲ୍ୟ ଯେ, ସମ୍ବିଧାନର ଧାରା ୧୯ ଓ ୨୧ରେ ପ୍ରଦତ ନାଗରିକମାନଙ୍କ ସ୍ୱାଧୀନ ମତବାଦ ଉପରେ ସର୍ବୋଚ୍ଚ ଅଦାଲତ ଦଶନ୍ଧି ଦଶନ୍ଧି ଧରି ସୁରକ୍ଷା ଦେଇ ଆସୁଛନ୍ତି। ସୁପ୍ରିମକୋର୍ଟ ଦେଇଥିବା ରାୟର ପାଂଚଟି ପଏଂଟ ଉପରେ ହାଇକୋର୍ଟ ଓ ପୋଲିସ ଧ୍ୟାନ ଦେବା ଜରୁରୀ। ପ୍ରଥମତଃ ଯେଉଁମାନେ ସମାଲୋଚନାକୁ ନିଜର କ୍ଷମତା ଓ ପଦବୀ ପ୍ରତି ବିପଦ ଭାବେ ମନେ କରନ୍ତି, ସେମାନେ କେବେହେଲେ ସ୍ୱାଧୀନ ମତବାଦ’ର ମାନ ନେଇ ନିଷ୍ପତି କରି ପାରିବେ ନାହିଁ। ଦ୍ୱିତୀୟତଃ ଯେଉଁମାନେ ସମାଲୋଚନା ବା ସ୍ୱାଧୀନ କଥା କହିବାର ଅଧିକାରକୁ ଆପତିଜନକ ଭାବେ ଯଦି ଦେଖନ୍ତି, ତେବେ ସେମାନେ ପ୍ରତିବାଦ କରିବା ଉଚିତ। ତାହାକୁ ପୋଲିସ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଦମନ କରିବା ଉଚିତ ନୁହେଁ। ତୃତୀୟତଃ ସମ୍ବିଧାନ ଧାରା ୧୯(୧)ରେ ନିଶ୍ଚିତ କରିଥିବା ଗ୍ୟାରେଂଟିକୁ କଟକଣା ଦ୍ୱାରା ଦବାଇ ଦିଆଯାଇପାରିବ ନାହିଁ। ଚତୁର୍ଥତଃ ସମସ୍ତ ବିଚାରପତିମାନେ ସମ୍ବିଧାନ ପ୍ରଦତ ବ୍ୟକ୍ତିର ମୌଳିକ ଅଧିକାରକୁ ସୁରକ୍ଷା ଦେବା ଜରୁରୀ। ସେମାନେ ନିଜର ମତ ଦ୍ୱାରା ସମ୍ବିଧାନର ମୂଳତତ୍ୱକୁ ବିକୃତ କରିପାରିବେ ନାହିଁ। ଶେଷରେ କଳା, କବିତା, କମେଡି, ବ୍ୟଙ୍ଗ ଜୀବନକୁ ଅଧିକ ଅର୍ଥପୂର୍ଣ୍ଣ କରିଥାଏ। ଏହା ନିସନ୍ଦେହ ଯେ, ସୁପ୍ରିମକୋର୍ଟଙ୍କ ଏହି ପାଂଚଟି ପଏଂଟ ସାମ୍ପ୍ରତିକ ସମୟରେ ଅତ୍ୟନ୍ତ ଗୁରୁତ୍ୱ ବହନ କରେ। ଏବେ ପ୍ରତିପକ୍ଷଙ୍କୁ ଦମନ କରିବା ପାଇଁ ସେମାନଙ୍କ ସମାଲୋଚନା, ବ୍ୟଙ୍ଗ, କମେଡି ଉପରେ କଥା କଥାକେ ଏତାଲା ବା ମାମଲା ଦାଏର କରିବା ଏକ ପରମ୍ପରାରେ ପରିଣତ ହୋଇଗଲାଣି ବୋଲି କହିଲେ ଅତିରଂଜିତ ହେବ ନାହିଁ। କେବଳ ଗୋଟିଏ ମାମଲା ନୁହେଁ, ବିଭିନ୍ନ ସ୍ଥାନରେ ଏକାଧିକ ମାମଲା ରୁଜୁ କରାଯାଉଥିବା ଦେଖାଯାଏ। ଏହା କେବଳ ନିଜର ବସଙ୍କୁ ଖୁସି କରାଇବା ଏବଂ ପ୍ରତିପକ୍ଷଙ୍କୁ ହାରାଶ କରିବା ପାଇଁ ଉଦ୍ଦିଷ୍ଟ। ଉଲ୍ଲେଖଯୋଗ୍ୟ ଯେ, ଗତ ଦଶନ୍ଧି ମଧ୍ୟରେ ଏହିଭଳି ବହୁ ମାମଲା ଦେଶର ବହୁ ନିମ୍ନ ଅଦାଲତଠାରୁ ଆରମ୍ଭ କରି ହାଇକୋର୍ଟ, ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି। ଏହା ନିସନ୍ଦେହ ଯେ, ସୁପ୍ରିମକୋର୍ଟଙ୍କ ଏହି ରାୟ ପୋଲିସ, ନିମ୍ନ ଅଦାଲତ ଏବଂ ହାଇକୋର୍ଟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଗାଇଡଲାଇନ, ଯାହାକି ସ୍ୱାଗତଯୋଗ୍ୟ। ପୋଲିସକୁ ନିର୍ଦ୍ଦେଶ ଦେଇ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ପ୍ରଥମେ ସେମାନେ ସମ୍ବିଧାନ ପ୍ରଦତ ସ୍ୱାଧୀନ ମତବାଦ ଅଧିକାର, ଯାହା ଦେଶର ସମସ୍ତ ନାଗରିକଙ୍କୁ ଦିଆଯାଇଛି, ସମ୍ନାନ ଦେବା ପ୍ରଥମ କର୍ତବ୍ୟ। ନୂତନ ଅପରାଧିକ ପ୍ରୋସିଜୁୟୋର କୋର୍ଡ ବିଏନଏନଏସ’ରେ ଏହାକୁ ସୁରକ୍ଷା ଦିଆଯାଇଛି। କହିବା ବା ଲିଖିତ ଘଟଣାରେ ପୋଲିସ ଏତଲା ଦାୟର କରିବା ପୂର୍ବରୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଆବଶ୍ୟକ। କହିବା ବାହୁଲ୍ୟ ଯେ, ସାଂସଦ ପ୍ରତାପ ଗୁଡିଙ୍କ କବିତା ଦେଶର ଏକତା, ସଂହତି, ଧର୍ମ, ଜାତି, ବର୍ଗ, ଭାଷା ଓ ସମ୍ପ୍ରଦାୟ ପ୍ରତି କିପରି ବିପଦର କାରଣ ହୋଇଥିଲା, ସେ ନେଇ ଗୁଜରାଟ ପୋଲିସ ଏବଂ ହାଇକୋର୍ଟ କେବଳ ଉତର ଦେଇପାରିବେ। ସାଂସଦ କେବଳ ନିଜ ପାଇଁ ନୁହେଁ, ଦେଶର ନାଗରିକମାନଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ତଳ କୋର୍ଟରୁ ସର୍ବୋଚ୍ଚ ଅଦାଲତ ପର୍ଯ୍ୟନ୍ତ ଲଢେଇ କରି ନ୍ୟାୟା ପାଇଛନ୍ତି। ଯାହାକି କେବଳ ନିଜ ପାଇଁ ନୁହେଁ, ଦେଶର ସମସ୍ତ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଇପାରିବ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା),
ସମ୍ମାନ ଭବନ,
ପ୍ଲଟ ନଂ-୫୮/୩୫୮୧, ଗାଙ୍ଗୋତ୍ରୀ ନଗର,
ରୋଡ ନଂ-୩, ଶିଶୁପାଳଗଡ,-୭୫୧୦୦୨
ମୋବାଇଲ ନଂ-୭୯୭୮୬୬୬୪୦୩