କେନ୍ଦୁଝରରେ ନିର୍ମାଣ ହେବ ରିଂ ରୋଡ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝରକୁ ବିକାଶ ପଥରେ ଆଗେଇ ନେବାକୁ ନୂଆ ସରକାର ସଂକଳ୍ପବଦ୍ଧ । ମୋହନ ସରକାର କେନ୍ଦୁଝର ସହରକୁ ଆଉ ଏକ ଭେଟି ଦେଇଛନ୍ତି । ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ କେନ୍ଦୁଝର ସହରର ଚାରିପାଖେ ରିଂ ରୋଡ ନିର୍ମାଣ ହେବ । ଏଥିପାଇଁ ବଜେଟରେ ପାଣ୍ଠି ବରାଦ ସହ ଶୁକ୍ରବାରଠାରୁ ସର୍ଭେ କାମ ଆରମ୍ଭ ହୋଇଛି । କେନ୍ଦୁଝର ପୂର୍ତ୍ତ ବିଭାଗ ଅଧିନରେ ଏହାର ନିର୍ମାଣ କାର୍ଯ୍ୟ ହେବାକୁ ଥିବାବେଳେ ଅଧିକ୍ଷଣ ଯନ୍ତ୍ରୀ ଓ ସର୍ଭେ ଟିମ୍ ପ୍ରସ୍ତାବିତ ରାସ୍ତାର କ୍ଷେତ୍ର ପରିଦର୍ଶନ କରିଛନ୍ତି । ଖଣି,ଖାଦାନ ଜିଲ୍ଲା ହୋଇଥିବାରୁ କେନ୍ଦୁଝରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଡ ସମସ୍ୟା ଭାବେ ମୁଣ୍ଡ ଟେକିଛି । ଜନସଂଖ୍ୟା ଦିନକୁ ଦିନ ବୃଦ୍ଧି ସହିତ ଯାନବାହାନ ଚଳାଚଳ ବଢି ଚାଲିଥିବାରୁ ଖଣିଜ ପଦାର୍ଥ ବୋଝେଇ ଗାଡି ପାଇଁ ସଡକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେନ୍ଦୁଝରରେ ଏକ ରିଂ ରୋଡ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ୨୦ନଂ ଜାତୀୟ ରାଜପଥ ନେଙ୍କଡାଘର ଠାରୁ ଡିମ୍ବୋ,ନେଲୁଙ୍ଗ ଦେଇ ଏହି ରିଂ ରୋଡ ଝାରବେଲଦାଠାରେ ଜାତୀୟ ରାଜପଥ ୪୯ ସହିତ ସଂଯୋଗ ହେବ । ଏହାଫଳରେ ସହର ମଧ୍ୟରେ ଟ୍ରାଫିକ୍ ସମସ୍ୟା ନିୟନ୍ତ୍ରଣ ହୋଇପାରିବ । ଏହି ରିଂ ରୋଡ୍ ନିର୍ମାଣ ପାଇଁ ରାଜ୍ୟ ସରକାର ବଜେଟରେ ୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ରାଜ୍ୟ ସରକାରଙ୍କ ମଞ୍ଜୁରୀ ପରେ ସର୍ଭେ କାର୍ଯ୍ୟ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ସର୍ଭେ ଟିମ୍ ସହିତ ଅଧିକ୍ଷଣ ଯନ୍ତ୍ରୀ ପରିଦର୍ଶନ କରିଛନ୍ତି । ଚଳିତବର୍ଷ ଖରିଫ୍ ଧାନ କଟା ପରେ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବ । ରିଂ ରୋଡ ନିର୍ମାଣ ପରେ ଡିମ୍ବୋ ଓ ନେଲୁଙ୍ଗ ଅଂଚଳର ମଧ୍ୟ ଗୁରୁତ୍ୱ ବଢିଯିବ । ପୂର୍ବରୁ ସହର ମଧ୍ୟ ଦେଇ ଯାଇଥିବା ଝାରବେଲଦାଠାରୁ ଜୁଡିଆ ପର୍ଯ୍ୟନ୍ତ ରାଜପଥ ବାଇପାସ୍ ଦେଇ ଯିବା ପରେ ସହର ମଧ୍ୟରେ ଭାରୀଯାନ ଚଳାଚଳ ବନ୍ଦ ହୋଇଯାଇଛି । ଉକ୍ତ ରାଜପଥକୁ ମଧ୍ୟ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି । ମୁମ୍ବାଇ-କଲିକତା ଯିବା ପାଇଁ ଆଉ କେନ୍ଦୁଝର ସହର ଦେଇ ଯିବା ବଦଳରେ ବାଇପାସରେ ଯାନବାହାନ ଯାତାୟତ ଯୋଗୁଁ ସହର ମଧ୍ୟରେ ଦୁର୍ଘଟଣା ଅନେକ ମାତ୍ରାରେ ନିୟନ୍ତ୍ରଣ ହୋଇପାରିଛି । ଏବେ ନେଙ୍କଡାଘରଠାରୁ ରିଂ ରୋଡରେ ୪୯ନଂ ଜାତୀୟ ରାଜପଥକୁ ସଂଯୋଗ ଯୋଗୁଁ ବିପର୍ଯ୍ୟସ୍ତ ଟ୍ରାଫିକ୍ ସମସ୍ୟା ଅନେକ ପରିମାଣରେ ହ୍ରାସ ପାଇବା ସହିତ ଅଳ୍ପ ସମୟ ମଧ୍ୟରେ ଲୋକ ନିଜର ଗନ୍ତବ୍ୟ ପଥରେ ପହଞ୍ଚି ପାରିବେ । ସର୍ଭେ କାମ ପରେ ଡିସେମ୍ବର ମାସଠାରୁ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବା ପରେ ଟେଣ୍ଡର କରାଯିବ । ମାର୍ଚ୍ଚ ମାସ ଠାରୁ ରିଂ ରୋଡ କାମ ଆରମ୍ଭ ହେବ ବୋଲି ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି । ରିଂ ରୋଡ ହେବା ଫଳରେ ସହରରେ ଟ୍ରାଫିକ୍ ନିୟନ୍ତ୍ରଣ ହୋଇପାରିବ ବୋଲି ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ