ପୂର୍ବ ଶତୃତାକୁ କେନ୍ଦ୍ର କରି ଗଣ୍ଡଗୋଳ, ଥାନାରେ ପୃଥକ ଭାବେ ଲିଖିତ ଅଭିଯୋଗ
ନାଉଗାଁ (ଓ୍ବାଇଏନଏସ): ନାଉଗାଁ ଥାନା ଅନ୍ତର୍ଗତ କୋରୁଅ ପଂଚାୟତର ଡାହାଣିଖିଆ (ଗାରୋଇ) ଗ୍ରାମରେ ପୂର୍ବ ଶତୃତା ଓ ବଲ ଖେଳକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଦୁଇ ଅଭିଯୋଗକାରୀ ମଧ୍ୟରେ ଜଣେ ପପୁରଂଜନ ମଲ୍ଲିକ ହୋଇଥିବା ବେଳେ ଅନ୍ୟ ଜଣେ ହେଉଛନ୍ତି ଲକ୍ଷ୍ମୂୀପ୍ରିୟା ପରିଡା। ପପୁରଂଜନ ହେଉଛନ୍ତି କୋରୁଅ ପଂଚାୟତର ସମିତି ସଭ୍ୟ ହୋଇଥିବା ବେଳେ ଜଣେ ଦଳିତ ଶ୍ରେଣୀର ଅଟନ୍ତି। ପପୁରଂଜନଙ୍କ ଅଭିଯୋଗ ମୁତାବକ ପୂର୍ବ ଶତୃତାକୁ କେନ୍ଦ୍ର କରି ଆମ ଘର ନିକଟରେ ଥିବା କାହ୍ନୁ ଚରଣ ପରିଡା, ରୁଦ୍ର ପରିଡା, ମାମୁନି ପରିଡା ଆଦି ମୋତେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏପରିକି ମୋତେ ଜାତିଆଣ ଆକ୍ଷେପ କରିବା ସହିତ ଜୀବନରେ ମାରି ଦେବାକୁ ଉଦ୍ୟମ କରୁଥିବା ବେଳେ ମୋର ଖୁଡି କଳ୍ପନା ଓ ଭଉଣୀ ମନୋରମା ପହଂଚି ମୋତେ ଉଦ୍ଧାର କରିଥିଲେ। ଉଦ୍ଧାର କରିବା ସମୟରେ ସେମାନେ ମୋତେ ଛାଡି ମୋର ଖୁଡି ଓ ଭଉଣୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗରେ ଦର୍ଶାଯାଇଛି। ଅପରପକ୍ଷେ ଲକ୍ଷ୍ମୀପ୍ରିୟା ପରିଡା ଓ ମାମିନା ପରିଡାଙ୍କ ଅଭିଯୋଗ ମୁତାବକ ପପୁରଂଜନ ଜଣେ ଜନପ୍ରତିନିଧି ଅଟନ୍ତି। ସେ ଦଳିତ ପରିବାରର ହୋଇଥିବାରୁ ଆମକୁ ସର୍ବଦା ଭୟ ଦେଖାଇଥାନ୍ତି। ଏପରିକି ଖରାଦିନେ କୌଣସି ଫସଲ ନ ଥାଇ ଯଦି ଗୋରୁ,ଛେଳି ଫିଟିଲେ ତେବେ ଆମକୁ ଅଶ୍ରାବ୍ୟ ଭାଷାରେ ଗାଲିଗୁଲଜ କରନ୍ତି। ଉକ୍ତ ଦିନ ପିଲାମାନେ ବଲ ଖେଳୁଥିବା ସମୟରେ ତାଙ୍କ ବାଡିରେ ବଲ ପଡି ଯିବାରୁ ସେ ଆମକୁ ମରଣାତ୍ମକ ଆକ୍ରମଣ କରିଛନ୍ତି। ମୋର ହାତ ଖଣ୍ଡିଆ ହୋଇଥିବା ବେଳେ ମୋ ଭଉଣୀ ମାମୁନି ମଧ୍ୟ ଖଣ୍ଡିଆ ଖାବରା ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। ପପୁ ରଂଜନଙ୍କ ଅଭିଯୋଗକୁ ଭିତିକରି ଥାନା ପକ୍ଷରୁ ୧୨୯/୨୫ ଓ ଲକ୍ଷ୍ମୀପ୍ରିୟାଙ୍କ ଅଭିଯୋଗକୁ ଭିତିକରି ୧୩୧/୨୫ରେ ମାମଲା ରୁଜୁ କରାଯିବା ସହ ତଦନ୍ତ ଜାରି ରହିଥିବା ଥାନାଧିକାରୀ ପ୍ରଦୀପ୍ତ କାନୁନଗୋ ପ୍ରକାଶ କରିଛନ୍ତି।