ରାସ୍ତା କାମ କରୁଥିବା ଠିକାଦାରକୁ ଚାନ୍ଦା ମାଗିବା ଅଭିଯୋଗ
ହାଟଡିହି (ଓ୍ବାଇଏନଏସ): ଓରାଳି ଶାଳଣିଆଁ ରାସ୍ତା କାମ କରୁଥିବା ଠିକାଦାରକୁ ଚାନ୍ଦା ମାଗିବା ଓ ନଦେଲେ କାମ କରାଇ ଦେବୁ ନାହିଁ ବୋଲି ଧମକ ଦେବା ଅଭିଯୋଗ ହୋଇଛି। ଅଭିଯୋଗରୁ ଜଣା ଯାଇଛି କି ଓରାଳି ଶାଳଣିଆଁ ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ଲୋକେ ଯାତାୟାତ କ୍ଷେତ୍ରରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ସରକାରଙ୍କ ପକ୍ଷରୁ ପୂର୍ତ୍ତ ବିଭାଗ ଅଧିନରେ ରାସ୍ତା ନିର୍ମାଣ କାର୍ଯ୍ଯ ଆରମ୍ଭ ହୋଇଛି। ଟେଣ୍ଡର ହାତେଇଥିବା ଠିକାଦାର ଏବେ ରାସ୍ତାକାମ କରୁଥିବା ସମୟରେ କିଛି ବ୍ୟକ୍ତି ସେଠାରେ ପହଁଚି ୫ଲକ୍ଷ ଟଙ୍କା ଚାନ୍ଦା ଦେଲେ କାମ କରିବ ନଚେତ ପଳାଅ ବୋଲି ଧମକ ଦେଇଥିଲେ। ଫଳରେ କାମ କରୁଥିବା ଶ୍ରମିକ, ସୂପରଭାଇଜର ଭୟଭୀତ ହୋଇ ଘଟଣାସ୍ଥଳ ଛାଡି ପଳାଇ ଆସିଥିଲେ। ଏନେଇ ଠିକାଦାର କୁ ଜଣାଇବା ପରେ ଠିକାଦାର ନନ୍ଦିପଦା ଥାନାରେ ପହଞ୍ଚି କିଛି ବ୍ୟକ୍ତିଙ୍କ ନାମରେ ଅଭିଯୋଗ କରିଥିଲେ। ପୋଲିସ୍ ଏନେଇ ସଂପୃକ୍ତ ବ୍ୟକ୍ତି ମାନଙ୍କୁ ଡ଼କାଇ ଚେତାବନୀ ଦେଇଥିବା ଜଣାପଡିଛି। ଉପଯୁକ୍ତ ରାସ୍ତା ନିର୍ମାଣ ଉପରେ ଗୁରୁତ୍ବ ନଦେଇ ଚାନ୍ଦା ଆଦାୟ ନାମରେ ଧମକ ଚମକ ଦେବା ଘଟଣାକୁ ସ୍ଥାନୀୟ ଲୋକମାନେ ନା ପସନ୍ଦ କରିଛନ୍ତି।