ଏନ୍ବିସି କଲେଜ ପକ୍ଷରୁ ସଡକ ସୁରକ୍ଷା ସଚେତନତା ଅଭିଯାନ
ଆସିକା (ୱାଇଏନ୍ଏସ୍) : ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାକୁ ରୋକିବା ଓ ଟ୍ରାଫିକ୍ ନିୟମ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରିବା ଏବଂ ନାବାଳକଙ୍କ ଗାଡି ଚାଳନା ଉପରେ ଅଙ୍କୁଶ ଲଗାଇବା ସକାଶେ ସଚେତନ ହୁଅନ୍ତୁ ଓ ନିରାପଦ ରୁହନ୍ତୁର ବାର୍ତ୍ତା ନେଇ ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ପକ୍ଷରୁ ଗୁରବାର ସଡକ ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଯୁବ ରେଡକ୍ରସ, ଜାତୀୟ ସେବା ଯୋଜନା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଭାରତ ସ୍କାଉଟସ୍ ଓ ଗାଇଡସ୍ ଏବଂ ଭଂଜନଗର ଆଞ୍ଚଳିକ ପରିବହନ ବିଭାଗ କାର୍ଯ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ସଡକ ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀ, ଭଞ୍ଜନଗର ଆଞ୍ଚଳିକ ପରିବହନ ବିଭାଗ କାର୍ଯ୍ୟାଳୟର କନିଷ୍ଠ ମୋଟର ଯାନ ନୀରିକ୍ଷକ ଶୁଭାଶିଷ୍ ମହାରଣା ଏବଂ ସହକାରୀ ଟ୍ରାଫିକ୍ ସବ୍ଇନିସପେକ୍ଟର ଏସ୍.ଏକ୍.ଅନ୍ସୁଦ୍ଦିନ୍, ଶିକ୍ଷାନୁଷ୍ଠାନର ଜାତୀୟ ସେବା ଯୋଜନାର ସଂଯୋଜକ ଅଧ୍ୟାପକ ସିଲୁ ସେଠୀ ପ୍ରମୁଖ ଯୋଗଦେଇ ସଡକ ସୁରକ୍ଷା ସଚେତନତା ଅଭିଯାନ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ନାବାଳକ ମାନଙ୍କ ଗାଡି ଚାଳନା ରୋକିବା ଉପରେ ଅଭିଭାବକ ମାନେ ଯତ୍ନବାନ୍ ହେବାକୁ ଆହ୍ନାନ କରିବା ଦୁଇଚକିଆ ଯାନ ଚଳାଇବା ସମୟରେ ହେଲ୍ମେଟ୍ ବ୍ୟବହାର କରିବା ଓ ଚାରିଚକିଆ ଯାନରେ ବସିବା ସମୟରେ ସିଟ୍ ବେଲ୍ଟ୍ ପରିଧାନ କରିବା, ମଦ୍ୟପାନ କରି ଗାଡି ନ ଚଳାଇବା, ଗାଡି ଚାଳନା ସମୟରେ ମୋବାଇଲରେ କଥା ନହେବା, ଦୁଇଚକିଆ ଯାନରେ ତିନିଜଣ ନ ବସିବା, ଦୃତ ଗତିରେ ଗାଡି ନ ଚଳାଇବା, ଓଭର୍ଟେକ୍ ନକରିବା ଆଦି ବିଷୟରେ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ନାଗରିକଙ୍କୁ ସଚେତନ କରିଥିବା ଳକ୍ଷ୍ୟ କରାଯାଇଥିଲା। ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ସଡକ ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନର ଜାତୀୟ ସେବା ଯୋଜନାର ସଂଯୋଜକ ଅଧ୍ୟାପକ ସିଲୁ ସେଠୀ, ଯୁବ ରେଡକ୍ରସର ସଂଯୋଜକ ଅଧ୍ୟାପକ ଡଃ କୁନା ସୁନା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଏସୋସିଏଟ୍ ଅଫିସର୍ ଅଧ୍ୟାପକ ବିକାଶ ଦିଗଲ୍, ଭାରତ ସ୍କାଉଟସ୍ ଓ ଗାଇଡସ୍ର ସଂଯୋଜକ ଅଧ୍ୟାପକ ଉପେନ୍ଦ୍ର ମାଝୀଙ୍କ ସମେତ ବହୁ ଅଧ୍ୟାପକ, ଅଧ୍ୟାପିକା ଓ ବିଦ୍ୟାର୍ଥୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା।


