ସଡକ ସୁରକ୍ଷା ବୈଠକ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ସ୍ଥାନୀୟ ଦରବାର ହଲଠାରେ ସଂସଦୀୟ କ୍ଷେତ୍ର ସ୍ତରୀୟ ସଡକ ସୁରକ୍ଷା ବୈଠକ ଜିଲ୍ଲାପାଳଙ୍କ ମିନି କନଫରେନ୍ସ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଆଶିଷ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଂସଦ ଅନନ୍ତ ନାୟକ,ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର,ଡିଏଫ୍ଓ ଧନରାଜ ଏଚଡି,ଅତିରିକ୍ତ ଜିଳ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ,ଆଂଚଳିକ ପରିବହନ ଅଧିକାରୀ ଇଂ ଗୋପାଳ କୃଷ୍ଣ ଦାସ,ଚମ୍ପୁଆ ବିଧାୟକଙ୍କ ପ୍ରତିନିଧି ସଞ୍ଜିବ ବେହେରା,ଯୋଡା ଖଣି ଉପନିଦେ୍ର୍ଦଶକ ଦିନେଶ ଅଗ୍ରୱାଲ,କେନ୍ଦୁଝର ଖଣି ଉପ ନିଦେ୍ର୍ଦଶକ ବିଷ୍ଣୁପଦ ରାଉତ,ଆନନ୍ଦପୁର ଉପ ଜିଲ୍ଲାପାଳ ନୀଳମାଧବ ସୁନା,ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ ସମ୍ବିତ ମହାନ୍ତି,ଏନ୍ଏଚ୍ଏଆଇ ପ୍ରକଳ୍ପ ନିଦେ୍ର୍ଦଶକ ମହେଶ ଗାମି,ଏନ୍ଏଚ୍ ର ଅଧିକ୍ଷଣ ଯନ୍ତ୍ରୀ ରଜନୀକାନ୍ତ ମୀନା,ଅବକାରୀ ଅଧିକ୍ଷକ ଦିବ୍ୟରଞ୍ଜନ ଦୀପ,ଏନ୍ଏଚ୍-୨୦ ଆରଇ ଲକ୍ଷ୍ମୀଧର ନାୟକ,ଏନ୍ଏଚ୍ ୪୯ ଏବଂ ୫୨୦ କନସଲଟାନ୍ସି ସତ୍ୟରଞ୍ଜନ ରାଉତ,ଜୁନିୟର ଏମ୍ଭିଆଇ ରାଜେଶ କୁମାର ସେଠୀ,ଜୁନିୟର ଏମ୍ଭିଆଇ ଅରୁଣ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ସଡକ ସୁରକ୍ଷା କାର୍ଯ୍ୟକ୍ରମ ଉପରେ ୪-ଇ ଯଥା ଏଜୁକେସନ,ଏନଫୋର୍ସମେଂଟ,ଏମରଜେନ୍ସି କେୟାର ଏବଂ ଇଞ୍ଜନିୟରିଂ ଉପରେ ଗୁରୁତ୍ୱରୋପ କରାଯାଇଥିଲା । ବିଶେଷ କରି ରାସ୍ତା ଦୁର୍ଘଟଣାର କାରଣ ଖୋଜିବା ସହ ଏହା ନିରାକରଣ ପାଇଁ ରାସ୍ତା ସୁରକ୍ଷା କିପରି ପାଳନ ହେଉଛି ତାହା ଉପରେ ଆଲୋଚନା ହୋଇଥିଲା । ସେହିପରି ଜିଲ୍ଲାରେ ରାସ୍ତା ସୁରକ୍ଷା ଆକ୍ସନ ପ୍ଲାନ ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବା ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଦୁର୍ଘଟଣାର ତଥ୍ୟ ବିଶ୍ଲେଷଣ ସହ ଏନଫୋର୍ସମେଂଟ କାର୍ଯ୍ୟକଳାପର ସମୀକ୍ଷା କରାଯାଇଥିଲା । ଦୁର୍ଘଟଣାର କାରଣ ନେଇ ଆଲୋଚନା ହେବା ସହ ଚିହ୍ନଟ ହୋଇଥିବା ୯ଟି ବ୍ଲାକ ସ୍ପଟର ସଂଶୋଧନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ସଡକ ସୁରକ୍ଷା ମାନଦଣ୍ଡର କାର୍ଯ୍ୟକାରୀତାକୁ ସୁନିଶ୍ଚିତ କରିବା ଓ ଦୁର୍ଘଟଣା ବା ମୃତୁ୍ୟ ହ୍ରାସ ପାଇଁ ନିଦ୍ଦିଷ୍ଟ ଲକ୍ଷ୍ୟ ସହିତ ଜିଲ୍ଲା ପାଇଁ ସଡକ ସୁରକ୍ଷା ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରୀ କରିବା ଉପରେ ସାଂସଦ ଅନନ୍ତ ନାୟକ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାରେ ମୁଖ୍ୟ ରାସ୍ତାକୁ ସିଧାସଳଖ ପ୍ରବେଶପଥ ଥିବା ୩୪୫ଟି ବିଦ୍ୟାଳୟ ଏବଂ କଲେଜ ଗୁଡିକର ଫାଟକ ଗୁଡିକର ସ୍ଥାନାନ୍ତରଣ ବା ଦିଗ ପରିବର୍ତ୍ତନ ଉପରେ ଆଲୋଚନା କରାଯାଇଥିଲା । ରାସ୍ତା ପାଶ୍ୱର୍ରେ ଢାବା ଗୁଡିକରେ ମଦ ବିକ୍ରୟ ଯୋଗୁଁ ବାରମ୍ବାର ଦୁର୍ଘଟଣା ଏବଂ ଅପରାଧ ଘଟୁଥିବାରୁ ସେଗୁଡିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଆଶିଷ ସିଂ ନିଦେ୍ର୍ଦଶ ଦେଇଥିଲେ । ଭଦ୍ରାସାହିରୁ ବଡବିଲ ପୂର୍ତ୍ତ ବିଭାଗର ରାସ୍ତାରେ କ୍ରସ ବେରିୟର ସ୍ଥାପନ ଏବଂ କାଞ୍ଜିପାଣି ଘାଟି ଅଂଚଳରେ ଟ୍ରାଫିକ ସିଗନାଲ ସହିତ କ୍ରସ ବାରିୟର ସ୍ଥାପନ କରିବାର ସ୍ଥିତି ଉପରେ ଆଲୋଚନା ହୋଇଥିଲା । ଯୋଡା ଫ୍ଲାଏ ଓଭର ପୋଲ ନିକଟରେ ସିସିଟିଭି ଏବଂ ସ୍ପିଡି ସେନସରିଂ କ୍ୟାମେରା ଲଗାଯିବା ଉପରେ ଗୁରୁତ୍ୱରୋପ କରାଯାଇଥିଲା । କେନ୍ଦୁଝର ଜିଲ୍ଲାରେ ୧୫ଟି ପେଟ୍ରୋଲ ପମ୍ପ ଜାତୀୟ ରାଜପଥ ପ୍ରାଧିକରଣଠାରୁ ଅନୁମତି ନ ନେଇ ବ୍ୟବସାୟ ଚଳାଇଛନ୍ତି । ଏହି ପେଟ୍ରୋଲ ପମ୍ପଗୁଡିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଆଲୋଚନା ହୋଇଥିଲା ।