ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ ଶୀର୍ଷକରେ ପଥପ୍ରାନ୍ତ ସଭା

ବାଲେଶ୍ୱର, (ସରୋଜ ପଣ୍ଡା): ‘ଯୁଦ୍ଧ ନୁହେଁ ଶାନ୍ତି ଚାହୁ, ମୃତ୍ୟୁ ନୁହେଁ ଜୀବନ ଚାହୁଁ’ ଶୀର୍ଷକରେ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ବିଚାରଗଞ୍ଜ ଛକ ପାଖରେ ଏକ ପଥପ୍ରାନ୍ତ ସଭା ହୋଇଯାଇଛି। ଇରାନ୍ ଉପରେ ଆମେରିକା ଓ ଇସ୍ରାଏଲ୍‌ର ସାମରିକ ଆକ୍ରମଣକୁ ସଭାରେ ଦୃଢ଼ ନିନ୍ଦା କରି ବାମପନ୍ଥୀ ଓ ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ନେତୃମଣ୍ଡଳୀ ବକ୍ତବ୍ୟ ଦେଇଥିଲେ। ସିପିଆଇର ଜିଲ୍ଲା ସଂପାଦକ ଭାଗବତ ପ୍ରତିହାରୀ, ସିପିଆଇ (ଏମ୍‌)ର ଜିଲ୍ଲା ସଂପାଦକ ଶିଶିର ହୁଇ ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ଅନ୍ୟତମ ଆବାହକ ଆଇନଜୀବୀ ମହମ୍ମଦ ଇସଲାମଙ୍କ ସମେତ ନିର୍ମଳ ନାୟକ, ଶ୍ୟାମସୁନ୍ଦର ଜେନା, ପ୍ରେମ ରଂଜନ ପାତ୍ର, ଜତିନ୍ ପାତ୍ର ପ୍ରମୁଖ ଏହି ଯୁଦ୍ଧ ଫଳରେ ଭାରତବର୍ଷ କିପରି ପ୍ରଭାବିତ ହେବ ଓ ପେଟ୍ରୋଲିୟମ୍‌ଯାତ ସାମଗ୍ରୀ ଓ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦରବୃଦ୍ଧି ଘଟିବ ବୋଲି ସେମାନେ କହିଥିଲେ। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇସ୍ରାଏଲ୍ ଇରାନ୍ ଉପରେ କରାଯାଇଥିବା ଯୋଜନାବଦ୍ଧ ଏକତରଫା ଆକ୍ରମଣ ଘଟଣା ଆନ୍ତର୍ଜାତୀୟ ଆଇନ ଓ ଜାତିସଂଘ ସମ୍ବିଧାନର ମୌଳିକ ନୀତିକୁ ଗୁରୁତର ଉଲଙ୍ଘନ କରୁଛି ଏବଂ ଏହି ଯୁଦ୍ଧ ଫଳରେ ବହୁ ବେସାମରିକ ଲୋକଙ୍କ ମୃତ୍ୟୁ ଘଟଣାକୁ ସେମାନେ ଦୃଢ଼ ନିନ୍ଦା କରିଛନ୍ତି। ବିଶ୍ୱର ସମସ୍ତ ତୈଳ ସମ୍ପଦର ମାଲିକ ହେବାକୁ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍ ଯେଉଁଭଳି ଉଦ୍ୟମ କରୁଛନ୍ତି ତାହା ତୃତୀୟ ବିଶ୍ୱଯୁଦ୍ଧ ପାଇଁ ପରିସ୍ଥିତି ସୃଷ୍ଟି କରୁଛି। ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ୍ ଗସ୍ତ କରିବାର ମାତ୍ର କିଛି ଘଣ୍ଟା ପରେ ଇସ୍ରାଏଲ୍ ଏହି ଆକ୍ରମଣ କରିଥିବାରୁ ଭାରତ ସରକାରଙ୍କର ଉକ୍ତ ଯୁଦ୍ଧ ପ୍ରତି ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ଓ ନୀତି ଘୋଷଣା କରିବା ଉଚିତ। ବିଦେଶରେ ରହୁଥିବା ଭାରତୀୟମାନଙ୍କ ସୁରକ୍ଷା ଦିଗରେ ସରକାରୀ କାର୍ଯ୍ୟାନୁଷ୍ଠାନ ତୁରନ୍ତ ଘୋଷଣା ହେବା ଉଚିତ ବୋଲି ବକ୍ତାମାନେ ମତ ଦେଇଥିଲେ। ଏହି ପଥପ୍ରାନ୍ତ ସଭାରେ ବରିଷ୍ଠ ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବାବେଳେ ବନ୍ଦନା ବିଶ୍ୱାସ ଧନ୍ୟବାଦ ଦେଇଥିଲେ। ଷ୍ଟାଲିନ୍ ମିଶ୍ର ସ୍ୱରଚିତ କବିତା ‘ଟ୍ରମ୍ପ୍ ହୁଅ ହୁସିଆର’ ଶୀର୍ଷକ କବିତା ପାଠ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ