ଡକାୟତି ମାମଲା: ଦୁଇ ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ
ଦିଗପହଣ୍ଡି, (ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅନ୍ତର୍ଗତ ତେଣ୍ଟୁଆପଡା ଗ୍ରାମରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାରେ କେ. ନୂଆଗାଁ ଥାନା ପୁଲିସ ଜଣେ ଅଭିଯୁକ୍ତ ବିଜୟ ଓରଫ ବିଦ୍ୟାଧର ପ୍ରଧାନଙ୍କୁ ଗିରଫ କରିବାରେ ସଫଳ ହୋଇଛି।ଗତ ୨୩/୧୦/୨୩ ରେ ଘଟଣା ପରଠାରୁ ସେ ଫେରାର ଥିଲେ। ବିଦ୍ୟାଧର ପ୍ରଧାନଙ୍କ ଘର ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତର କୁମରଡା ଗ୍ରାମରେ । ରବିବାର ଅଭିଯୁକ୍ତଙ୍କୁ ଦିଗପହଣ୍ଡି କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ବିଦ୍ୟାଧରଙ୍କ ଜାମିନ ଆବେଦନ ଖାରଜ ହୋଇ ଯିବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି। ସୂଚନା ପ୍ରକାରେ ଘଟଣା ଦିନ ରାତିରେ ତେଣ୍ଟୁଆପଡା ଗ୍ରାମର ପୀତାମ୍ବର ନାଇକ ଓ ପରିବାରର ଅନ୍ୟ ସଦସ୍ୟମାନେ ରାତ୍ରି ଭୋଜନ କରୁଥିବା ବେଳେ ବିଦ୍ୟାଧର ଓ ତାଙ୍କ ସହଯୋଗୀ ମାନେ ମିଶି ପିସ୍ତଲ, ଖଣ୍ଡା ଆଦି ମାରଣାସ୍ତ୍ର ଧରି ଘରେ ପଶିବା ସହ ପୀତାମ୍ବରଙ୍କୁ ଘରୁ ଘୋଷାରି ଆଣି ମରଣାନ୍ତକ ଆକ୍ରମଣ କରି ନଗଦ ୧୦ ହଜାର ଟଙ୍କା ଲୁଟି ନେଇଥିଲେ।ପରେ ବିଳମ୍ବିତ ରାତିରେ କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିନ ଚାନ୍ଦପୁର ଗ୍ରାମର ନାନା ପଣ୍ଡା ଙ୍କୁ ଅପହରଣ କରି ମାଡ଼ ମାରିବା ସହ ତାଙ୍କ ନିକଟରୁ ୨୩ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ।ପରେ ପୁଲିସ ମକଦ୍ଦମା ରୁଜୁ କରି ପୂର୍ବରୁ ୧୦ ରୁ ଉର୍ଦ୍ଧ୍ବ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।ବିଦ୍ୟାଧର ଙ୍କୁ ଗଞ୍ଜେଇ ଚୋରା ଚାଲାଣ ମାମଲା ରେ ମହାରାଷ୍ଟ୍ର ର ମୁମ୍ବାଇ ପୁଲିସ ଗିରଫ କରିଥିଲେ।ସେଠାରୁ ସେ ଜେଲ ରୁ ଜାମିନରେ ମୁକୁଳି ଗାଁ କୁ ଫେରିଥିଲେ।ଡକାୟତି ଘଟଣାର ମାଷ୍ଟର ମାଇଣ୍ଡ ଲକ୍ଷ୍ମୀକାନ୍ତ ପ୍ରଧାନ ଶନିବାର ଜେଲ ରୁ ମୁକୁଳିବା ପରେ ତାଙ୍କୁ ଦେଖା କରିବାକୁ ବିଦ୍ୟାଧର ଦିଗପହଣ୍ଡି ଯାଇଥିଲେ।କେ.ନୂଆଗାଁ ଥାନା ଆଇଆଇସି କିଶୋର କୁମାର ସାମଲ ଖବରପାଇ ବିଦ୍ୟାଧର ଙ୍କୁ ଗିରଫ ପାଇଁ ତଦନ୍ତକାରୀ ଅଧିକାରୀ ଏସ.ଆଇ ଜୟନାଥ ପ୍ରଧାନ ଙ୍କୁ ଜଣାଇବା ପରେ ପୁଲିସ ଟିମ୍ ତାଙ୍କୁ ଶନିବାର ରାତିରେ ଦିଗପହଣ୍ଡି ରୁ ପିଛା କରି ଦେଓଖାଳି ଗାଁ ଛକ ରେ ମାଡିବସି ଥାନା କୁ ଉଠାଇ ନେଇଥିଲେ।ରବିବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଅଭିଯୁକ୍ତ ବିଦ୍ୟାଧର ଙ୍କ ନାଁ ରେ ଦିଗପହଣ୍ଡି ଓ କେ.ନୂଆଗାଁ ଥାନାରେ ଏକାଧିକ ସଙ୍ଗୀନ ମାମଲା ରହିଥିବା ଆଇଆଇସି କହିଛନ୍ତି।


