ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ଅଟକିଗଲା ରୋବୋଟିକ୍ ସର୍ଜରି

କଟକ‌, (ଓ୍ବାଇଏନଏସ): ରାଜ୍ୟର ଏକମାତ୍ର ସରକାରୀ କର୍କଟ ମେଡ଼ିକାଲ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ୨୦୨୫ରେ ୧ ଲକ୍ଷ ୫୫ ହଜାର ୫୫୯ ଜଣ କର୍କଟ ରୋଗୀ ଚିିକିତ୍ସିତ ହୋଇଛନ୍ତି। ମଡ୍ୟୁଲାର୍‌ ଓଟିର ଆବଶ୍ୟକତା ଥିବା ବେଳେ ପୁରୁଣା କାଳିଆ ଓଟିରେ ଏବେ ଅପରେସନ୍ ହେଉଛି।ଯାହାଫଳରେ ଅତ୍ୟାଧୁନିକ ରୋବୋଟିକ୍ ସର୍ଜରି, ଲାପାରୋସ୍କୋପି ସର୍ଜରି ମାଧ୍ୟମରେ ଉନ୍ନତ ମାନର ଅସ୍ତ୍ରୋପଚାର କରାଯାଇପାରୁ ନାହିଁ। ଏ ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଉନି। ଏଭଳି କାରଣରୁ ପେଲଭିସରେ ହେଉଥିବା କ୍ୟାନ୍ସର ସର୍ଜରି ସମ୍ଭବ ହେଉନାହିଁ। ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଓପିଡିକୁ ଦୈନିକ ୬୦୦ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ଶଯ୍ୟା ସଂଖ୍ୟା ମାତ୍ର ୫୦୭ ରହିଛି। ଅଧିକ ୫୦୦ ଶଯ୍ୟା ଆବଶ୍ୟକତା ଥିବା ବେଳେ ଏଥିପାଇଁ ଏସ୍‌ସିବି ଉନ୍ନୟନ ଯୋଜନା ସମୟରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ସର୍ଜିକାଲ୍ ବିଭାଗରେ ଆବଶ୍ୟକତା ଅନୁଯାୟୀ ଡାକ୍ତର ଥିଲେ ବି ଓଟି ବ୍ୟବସ୍ଥା ଭଲ ନାହିଁ। ଏବେ ୬ଟି ପୁରୁଣା ଓଟିରେ ଅସ୍ତ୍ରୋପଚାର କରାଯାଉଛି। ୨୦୧୩ରେ ଏହି ଓଟି ନିର୍ମାଣ ହୋଇଥିଲା। ଆହୁରି ୧୨ଟି ମଡ୍ୟୁଲାର ଓଟିର ଆବଶ୍ୟକତା ରହିଛି। ଏ ସଂକ୍ରାନ୍ତରେ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ତିନି ବର୍ଷ ତଳେ ଦିଆଯାଇଥିଲା। ଆନେସ୍ଥେସିଆ ବିଭାଗ ଅଧୀନରେ ଥିବା ପାଲିଏଟିଭ୍ ମେଡିସିନ୍‌ ୟୁନିଟ ତିନି ବର୍ଷ ତଳେ ସ୍ବତନ୍ତ୍ର ବିଭାଗ ରୂପ ନେଲା। ଏହି ବିଭାଗ ପାଇଁ ଜଣେ ପ୍ରଫେସର, ଜଣେ ଆସୋସିଏଟ୍‌ ପ୍ରଫେସର, ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଓ ଦୁଇ ଜଣ ଏସ୍‌ଆର୍‌ ପଦବି ସୃଷ୍ଟି କରାଗଲା। ଇନ୍‌ଡୋରରେ ୧୨ଟି ଶଯ୍ୟା ରହିଛି। କିନ୍ତୁ ଡାକ୍ତର ଅଭାବରୁ ଆନାସ୍ଥେସିଆ ଡାକ୍ତର ପାଲିଏଟିଭି ବିଭାଗରେ ଚିକିତ୍ସା କରୁଛନ୍ତି। ଯେତେବେଳେ ଜଣେ କର୍କଟ ରୋଗୀ ଶେଷ ପର୍ଯ୍ୟାୟରେ ପହଞ୍ଚିଥାନ୍ତି ଏବଂ ରୋଗ ଭଲ ହେବାର ଆଉ କୌଣସି ସମ୍ଭାବନା ନ ଥାଏ, ସେତେବେଳେ ଏହି ବିଭାଗକୁ ରୋଗୀଙ୍କୁ ପଠାଯାଇଥାଏ। ଏବେ ପାଲିଏଟିଭ ଓପିଡିରେ ଦୈନିକ ହାରାହାରି ୩୦ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ମୋଟ ୫୦୭ ଶଯ୍ୟାରୁ ସର୍ଜିକାଲ ବିଭାଗ ଅଧୀନରେ ଥିବା ହ୍ୟାଣ୍ଡ ଆଣ୍ଡ ନେକ୍, ଗାଇନିକ୍‌ ଅଙ୍କୋଲୋଜି ଓ ସର୍ଜିକାଲ୍ ଅଙ୍କୋଲୋଜିରେ ୧୧୭ଟି ଶଯ୍ୟା ରହିଛି। ଅବଶିଷ୍ଟ ବେଡ୍ ମେଡିସିନ ଓ ଜରୁରିକାଳୀନ ବିଭାଗ ପାଇଁ ରହିଛି। କେବଳ ସର୍ଜିକାଲ୍ ବିଭାଗରେ ଅଧିକ ୫୦୦ ଶଯ୍ୟା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ