ଗଛ କାଟିବା ନେଇ ସୂଚନା ଅଧିକାର କର୍ମୀଙ୍କ ସ୍ବୀକାରୋକ୍ତି
ପୋଲସରା (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ଠାରୁ ପ୍ରାୟ ୧୨ କିଲୋମିଟର ଦୂରରେ ଅବସ୍ଥିତ ଧନେଇ ଜଳଭଣ୍ଡାରର ଗଛ କଟା ଯାଇଥିବା ନେଇ ସୂଚନା ଅଧିକାର କର୍ମୀ ଶଙ୍କର୍ଷଣ ପ୍ରଧାନ ତାଙ୍କ ଫେସବୁକ ଆକାଉଣ୍ଟରେ ସ୍ବୀକାରୋକ୍ତି ଜଣାପଡିଛି। ଗତ ବର୍ଷ ଅଗଷ୍ଟ ମାସରେ ଧନେଇ ଜଳଭଣ୍ଡାର ହିଡ ଉପରୁ ମୂଲ୍ୟବାନ ୪ ଗୋଟି ଗଛ କାଟି ନିଆଯାଇଥିଲା। ଏହି ବିଷୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହି ବିଷୟ ନେଇ ସେତେବେଳେ ସାମାଜିକ ଗଣମାଧ୍ୟମରେ ମଧ୍ୟ ବ୍ୟାପକ ଚର୍ଚ୍ଚା ହୋଇଥିଲା। ଧନେଇ ଜଳଭଣ୍ଡାର ବଙ୍ଗଳାର ଅତି ନିକଟରୁ ଗୋଟିଏ ଶୁଖିଲା ଗଛ ସହିତ ତିନୋଟି ବୃହତ ଜିଅନ୍ତା ଗଛକୁ କାଟି ନେଇଯିବା ସମସ୍ତଙ୍କୁ ବିସ୍ମିତ କରିଥିଲା। ସେହି କାଠ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାରେ ବିକା ଯାଇଥିବା ଚର୍ଚ୍ଚା ହେଉଥିବା ବେଳେ ଜଳଭଣ୍ଡାରର କନିଷ୍ଠ ଓ ସହକାରୀ ଯନ୍ତ୍ରୀ ଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିଥିଲା। ମାତ୍ର ଯନ୍ତ୍ରୀ ଜନସାଧାରଣଙ୍କ ଭୟରେ ନିଜ ଇଛା ବିରୁଦ୍ଧରେ ପୋଲସରା ଥାନାରେ ଏତଲା ଦେଇଥିଲେ। ମାତ୍ର ଯନ୍ତ୍ରୀ ଏତଲା ଦେବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପ୍ରତି ଆଗ୍ରହ ପ୍ରକାଶ କରିନଥିଲେ। ଗଛ କାଟିଥିବା ଅଭିଯୁକ୍ତ ବୃନ୍ଦଙ୍କ ମଧ୍ୟରେ ସୂଚନା ଅଧିକାର କର୍ମୀ ଶଙ୍କର୍ଷଣ ପ୍ରଧାନ ରହିଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା। ସେତେବେଳେ ଶଙ୍କର୍ଷଣ ଏହି ଘଟଣାକୁ ଅସ୍ବୀକାର କରିଥିଲେ। ମାତ୍ର ବର୍ତ୍ତମାନ ନିଜର ଫେସବୁକ୍ ଆକାଉଣ୍ଟରେ ସ୍ବୀକାର କରି ତାହା ମନ୍ଦିର କାର୍ଯ୍ୟ ପାଇଁ ଶୁଖିଲା ଗଛ କାଟିଥିବା ନିଜ କଣ୍ଠରେ କହିଛନ୍ତି। ଶଙ୍କର୍ଷଣଙ୍କ ଏହି ଭିଡିଓଟି ସାମାଜିକ ଗଣମାଧ୍ୟମରେ ବ୍ୟାପକ ଭାବେ ଭାଇରାଲ ହେଉଛି। ଯଦି ଭାଇରାଲ ଭିଡିଓ ସତ୍ୟ, ତେବେ ଶଙ୍କର୍ଷଣ ପ୍ରଧାନ ଙ୍କ ସ୍ୱୀକାରୋକ୍ତି ଯୋଗୁଁ ଗଛକଟା ମାମଲା ରେ ତାଙ୍କ ସହିତ ଥିବା ଅନ୍ୟମାନଙ୍କ ବିରୁଦ୍ଧରେ ପୋଲିସ ଓ ଜଙ୍ଗଲ ବିଭାଗ ପକ୍ଷରୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପରିବେଶବିତ୍ ଓ ଅଞ୍ଚଳବାସୀ ଆଶା ପ୍ରକଟ କରିଛନ୍ତି।