ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଛୁଟି ଦିବସରେ ମରାମତି
ନାଉଗାଁ,(ଓ୍ବାଇଏନଏସ): ଗ୍ରାମ୍ୟ ଉନ୍ନୟନ ବିଭାଗ ଜଗତସିଂହପୁର ବିଭାଜନ ପକ୍ଷରୁ ନାଉଗାଁ ବ୍ଳକରେ ହେଉଥିବା ଉନ୍ନତୀକରଣ ରାସ୍ତାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। କେଉଁଠି ରାସ୍ତା ଉନ୍ନତୀକରଣର ବର୍ଷ ପରେ ବର୍ଷ ବିତିଯାଇଥିଲେ ବି ରାସ୍ତା କାର୍ୟ୍ୟ ସମ୍ପୂର୍ଣ ହୋଇପାରୁ ନଥିବା ବେଳେ ଆଉ କେଉଁଠି ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହେବାର ବର୍ଷ କେତେଟାରେ ରାସ୍ତା ବିପର୍ୟ୍ୟସ୍ତ ହୋଇପଡିଛି। ଏହା ଉପରେ ଠା କୁ ଠା ପଟି ପକାଇ ବିଭାଗ କାର୍ୟ୍ୟ ସମ୍ପୂର୍ଣ୍ଣ କରିଦେଉଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା କାର୍ୟ୍ୟସ୍ଥଳରେ ଯନ୍ତ୍ରୀଙ୍କ ଅନୁପସ୍ଥିତର ସୁଯୋଗ ନେଇ ଠିକାଦାରମାନେ ନିମ୍ନମାନର କାର୍ୟ୍ୟ କରୁଛନ୍ତି। ଫଳରେ କାର୍ୟ୍ୟ ହେବାର ଦିନେ କି ଦୁଇ ଦିନ ମଧ୍ୟରେ ପିଚୁ ରାସ୍ତାରୁ ଗୋଡ଼ି ଉଠି ରାସ୍ତାରେ ଗଡୁଛି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଡେରିକି (ବାଲିଚନ୍ଦ୍ରପୁର) ଗ୍ରାମ ନିକଟରୁ ଭଟଣା ଗ୍ରାମ ଦେଇ ଓଷକଣା ଦେବୀନଦୀ ବନ୍ଧକୁ ସଂଯୋଗ କରୁଥିବା ରାସ୍ତାରେ। ସୂଚନା ଅନୁଯାୟୀ, ବିଭାଗ ପକ୍ଷରୁ ପ୍ରାୟ ୧୫ଦିନ ହେବ ଓଷକଣା ଦେବୀନଦୀ ବନ୍ଧରୁ ପିଚୁ ନିର୍ମିତ ରାସ୍ତାର ପିଚୁ କାର୍ୟ୍ୟ ଆରମ୍ଭ ହୋଇଥିଲା। ରାସ୍ତା କାର୍ୟ୍ୟ ନିମ୍ନମାନର ହେଉଥିବାରୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିବାରୁ ରାସ୍ତା କାର୍ୟ୍ୟ ବନ୍ଦ ରହିଥିଲା। ସଂପୃକ୍ତ ଠିକାଦାର ଶନିବାର ଛୁଟି ଦିବସ ଥିବା ବେଳେ ଅବଶିଷ୍ଟାଂଶ କାର୍ୟ୍ୟ ଶେଷ କରି ଦେଇଛନ୍ତି। ଉକ୍ତ କାର୍ୟ୍ୟକୁ ସଂଧ୍ୟା ସମୟରେ କରାଯାଇଥିବା ବେଳେ କାର୍ୟ୍ୟସ୍ଥଳରେ ଯନ୍ତ୍ରୀ ଅନୁପସ୍ଥିତ ଥିଲେ। ଏହି କାର୍ୟ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ରାସ୍ତା କାର୍ୟ୍ୟ ହେବାର ଦିନକ ପରେ ରାସ୍ତାରେ ପିଚୁରୁ ଗୋଡ଼ି ବାହାରି ରାସ୍ତାରେ ଗଡୁଥିବାର ଦେଖିବାକୁ ମିଳୁଥିଲା। ରାସ୍ତାରେ ଗୋଡ଼ି ଗଡୁ ଥିବା ସଂପୃକ୍ତ ଠିକାଦାର ଦେଖି ରାସ୍ତାକୁ ଝାଡୁ ମାରି ଗୋଡ଼ିକୁ ସଫା କରିଥିବା ଅଭିଯୋଗ ହେଉଛି। ଯାହାକି ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି। ଏହି ରାସ୍ତା ଉପରେ ଭଟଣା, ଡେରିକି (ବାଲିଚନ୍ଦ୍ରପୁର), ଓଷକଣା, ନୟାସିଙ୍ଗଡା, ପୂର୍ବ ଓଷକଣା, ପୁରୀ ଜିଲ୍ଲାର ଭଣ୍ଡିସାହି, ମୁତୁଣିଆ ଆଦି ଗ୍ରାମର ଶହ ଶହ ଲୋକ ନିର୍ଭର କରିଥାନ୍ତି ଜ୍ଝ ଅଥଚ ରାସ୍ତା ନିର୍ମାଣର ୨ ଦିନ ନ ପୁରୁଣୁ ନିର୍ମିତ ହୋଇଥିବା ରାସ୍ତାରୁ ପରସ୍ତ ପରସ୍ତ ଗୋଡ଼ି ଉଠି ଖାଲ ସୃଷ୍ଟି ହେଲାଣି। ରାସ୍ତାର ଏପରି ନିମ୍ନମାନର କାର୍ୟ୍ୟକୁ ନେଇ ଓଷକଣା ପଞ୍ଚାୟତ ସମିତି ସଭ୍ୟ ବୀରେନ୍ଦ୍ର ବିଶ୍ବାଳ, ସାମାଜିକ କର୍ମୀ ଗଣେଶ ଚନ୍ଦ୍ର ମୁଦୁଲି ପ୍ରମୁଖ ଅଭିଯୋଗ କରିଛନ୍ତି। ଏହି ସମସ୍ୟାକୁ ନେଇ ବିଭାଗୀୟ ସହକାରୀ ଯନ୍ତ୍ରୀ ରମାକାନ୍ତ ମିଶ୍ରଙ୍କୁ ପଚାରିବାରୁ ରାସ୍ତା କାର୍ୟ୍ୟକୁ ପୁନର୍ବାର କରାଯିବ ବୋଲି କହିଥିଲେ ।


