ଲୁଣାବନ୍ଧ ନିର୍ମାଣ ପାଇଁ ଶୁଭ ଦେଲେ ସଦର ବିଧାୟକ ମାନସ କୁମାର ଦତ୍ତ

ବାଲେଶ୍ବର(ଓ୍ବାଇଏନଏସ): ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଆଳୁମେଦା ପଂଚାୟତର ସମୁଦ୍ରକୂଳ ଅଂଚଳବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି । ବର୍ଷ ବର୍ଷ ଧରି ଲୁଣା ପାଣି ମାଡ଼ି ଯିବାର ଭୟ ମଧ୍ୟରେ କାଳାତିପାତ କରୁଥିବା ଜନସାଧାରଣଙ୍କ ଦାବିକୁ ଗୁରୁତ୍ୱ ଦେଇ ଅବହେଳିତ ଅବସ୍ଥାରେ ଥିବା ଲୁଣାବନ୍ଧର ପ୍ରଶସ୍ତି ଓ ସୁଦୃଢୀକରଣ ପ୍ରକଳ୍ପ ଆରମ୍ଭ ହେଉଛି । ଏହି ଲୁଣାବନ୍ଧର ପୁନଃନିର୍ମାଣ ନେଇ ଲୋକଙ୍କ ଦାବିକୁ ବାସ୍ତବତାର ରୂପ ଦେଇଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ । ଏହି ପରିପ୍ରେକ୍ଷୀରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଲୁଣାବନ୍ଧର ପ୍ରଶସ୍ତି ଓ ସୁଦୃଢୀକରଣ ପ୍ରକଳ୍ପ ପାଇଁ ଶୁଭ ଭିତ୍ତିପ୍ରସ୍ତର ପ୍ରଦାନ କରାଯାଇଛି । ଆଳୁମେଦା ଠାରୁ କାଳବଧି ପର୍ଯ୍ୟନ୍ତ ଏହି ଲୁଣାବନ୍ଧ ନିର୍ମାଣ ପାଇଁ ବିଧାୟକ ଶ୍ରୀ ଦତ୍ତ ଆନୁଷ୍ଠାନିକ ଭାବେ ଶୁଭ ଦେଇଛନ୍ତି । ରାଜ୍ୟର ଲୋକପ୍ରିୟ ତଥା ଲୋକଙ୍କ ସରକାର ଲୋକଙ୍କ ହିତ ପାଇଁ ସର୍ବଦା ପ୍ରୟାସରତ ଅଛନ୍ତି ବୋଲି ସେ ଏହି ଅବସରରେ ମତ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ଏହି ବନ୍ଧ ନିର୍ମାଣ ପାଇଁ ୯କୋଟି ୩୬ଲକ୍ଷ ୫୭ହଜାର ଟଙ୍କା ଖର୍ଚ୍ଚ ଅଟକଳ ହୋଇଥିବା ବେଳେ ୨୦୨୭ ମସିହା ଜୁନ ମାସ ସୁଦ୍ଧା ଏହା ଶେଷ ହେବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ଅଂଚଳବାସୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବରୁ ସୁରକ୍ଷା ମିଳିବା ସହିତ ଯାତାୟାତ ବ୍ୟବସ୍ଥା ଓ ସାମଗ୍ରିକ ଉନ୍ନତିରେ ନୂତନ ଦିଗ ଖୋଲିବ । ପଂଚାୟତର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ସଂକଳ୍ପବଦ୍ଧ । ଉତ୍ତମ ଗୁଣବତ୍ତା ଓ ସଠିକ୍ ମାନଦଣ୍ଡରେ ଏହି ବନ୍ଧର ନିର୍ମାଣ କାର୍ଯ୍ୟ ସାରିବାକୁ ବିଧାୟକ ଶ୍ରୀ ଦତ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଲୁଣା ଜୁଆରରୁ ରକ୍ଷା ଦେବାକୁ ସମୁଦ୍ର ଉପକୂଳରେ ବନ୍ଧକୁ ମରାମତି ଓ ସୁଦୃଢ କରିବା ନିର୍ମାଣ ପାଇଁ କାହିଁ କେତେ କାଳରୁ ଲୋକେ ଦାବି ଜଣାଉଥିଲେ । ପୂର୍ବତନ ବିଧାୟକ ସ୍ୱର୍ଗତଃ ମଦନ ମୋହନ ଦତ୍ତ ଆଳୁମେଦା ପଂଚାୟତବାସୀଙ୍କୁ ଏ ଦିଗରେ ପଦକ୍ଷେପ ନେବାର ପ୍ରତିଶୃତି ଦେଇଥିଲେ । ହେଲେ ତାଙ୍କ ଅକାଳ ବିୟୋଗ ପରେ ବନ୍ଧ ମରାମତି ପ୍ରକଳ୍ପ ଚିନ୍ତାରେ ଡୋରି ବନ୍ଧା ହୋଇଯାଇଥିଲା । ସେହି କ୍ରମରେ ରାଜ୍ୟରେ ନୂତନ ସରକାର ଗଠନ ହେବା ପରେ ଲୋକଙ୍କ ଦାବି ପୂରଣ ନେଇ ଉଚିତ ପଦକ୍ଷେପ ନେଇଥିଲେ ସଦର ବିଧାୟକ ଶ୍ରୀ ଦତ୍ତ । ଲୁଣାବନ୍ଧର ସୁଦୃଢୀକରଣ କରାଯିବାର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ସେ ରାଜ୍ୟରେ ଗଠିତ ନୂତନ ସରକାରଙ୍କ ନିକଟରେ ସଠିକ୍ ଢ଼ଙ୍ଗରେ ଉପସ୍ଥାପିତ କରିଥିଲେ । ବିଧାୟକ ଶ୍ରୀ ଦତ୍ତଙ୍କ ପ୍ରସ୍ତାବକୁ ଗ୍ରହଣ ପୂର୍ବକ ସରକାର ଏଥି ନିମନ୍ତେ ଆବଶ୍ୟକୀୟ ଅନୁଦାନ ମଞ୍ଜୁର ପରେ ଲୁଣାବନ୍ଧର ପ୍ରଶସ୍ତି ଓ ସୁଦୃଢୀକରଣ କାର୍ଯ୍ୟ ବାସ୍ତବ ରୂପ ନେବାର ସକ୍ଷମ ହୋଇପାରିଛ । ଏହାକୁ ନେଇ ସ୍ଥାନୀୟ ଅଂଚଳବାସୀ ବେଶ ଖୁସି ବ୍ୟକ୍ତ କରିଛନ୍ତି । ସେମାନଙ୍କ ଦୀର୍ଘ ଦିନର ଯନ୍ତ୍ରଣା ଲାଘବ ହେବ ବୋଲି ଲୋକେ ଆଶା ପ୍ରକାଶ କରିଛନ୍ତି । ପିତା ସ୍ୱର୍ଗତଃ ଦତ୍ତଙ୍କ ପ୍ରତିଶୃତି ରକ୍ଷା କରିବାକୁ ସୁପୁତ୍ର ବିଧାୟକ ମାନସ ଦତ୍ତଙ୍କ ପଦକ୍ଷେପକୁ ଲୋକେ ଭୂୟସୀ ପ୍ରଶଂସା କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ