ଦେବୀଦୋଳ-ଅଙ୍ଗେଶ୍ୱରପଡା ନଦୀବନ୍ଧ ରାସ୍ତାରୁ ସାମାନ୍ୟ ବର୍ଷାରେ ନଦୀବନ୍ଧରୁ ଧୋଇ ଗଲାଣି ବାଲି-ମୋରମ: ଯାତାୟାତରେ ବାଧା
ନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଦେବୀଦୋଳ ଠାରୁ ଅଙ୍ଗେଶ୍ୱରପଡା ପର୍ଯ୍ୟନ୍ତ ଦେବୀନଦୀର ବାମ ପାଶ୍ୱର୍ ବନ୍ଧର ଉନ୍ନତିକରଣ କାର୍ଯ୍ୟ ୨୦୨୩ ଡିସେମ୍ବର ୨୮ରୁ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟ ଶେଷର ଅବଧି ୨୦୨୪ ସେପ୍ଟମ୍ବର ୨୭ ରହିଥିବା ବେଳେ ଏପର୍ଯ୍ୟନ୍ତ ନଦୀ ବନ୍ଧର ୫୦ ପ୍ରତିଶତ କାର୍ଯ୍ୟ ହୋଇ ନଥିବା ଜଣାଯାଇଛି। ଏହି କାର୍ଯ୍ୟଟି ଜଗତସିଂହପୁର ଜଳସେଚନ ବିଭାଜନର ଆଳିପିଙ୍ଗଳ ଓ ଅଲଣାହାଟ ସେକ୍ସନ ଅଧିନରେ ରହିଛି। ବିଭାଗ ପକ୍ଷରୁ ଟେଣ୍ଡର ମାଧ୍ୟମରେ କାର୍ଯ୍ୟଟିକୁ ଗୌରବ କନଷ୍ଟ୍ରକସନକୁ ପ୍ରଦାନ କରାଯାଇଛି। ପାଖାପାଖି ୧୧ କି.ମି ନଦୀ ବନ୍ଧ କାର୍ଯ୍ୟ ପାଇଁ ଠିକାସଂସ୍ଥା ପକ୍ଷରୁ ବିଭାଗ ସହିତ ୬କୋଟି ୮୬ ଲକ୍ଷ ଟଙ୍କାର ଚୁକ୍ତି କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନଦୀ ବନ୍ଧରେ ଠିକାସଂସ୍ଥା ନାମକୁ ମାତ୍ର ବାଲି-ମୋରମ ପକାଇ ଥିବା ଜଣାଯାଇଛି। ଯାହାଫଳରେ ସାମାନ୍ୟ ବର୍ଷାରେ ଉକ୍ତ ମୋରମ ଓ ବାଲି ଧୋଇ ଯାଇ ବନ୍ଧରେ ବଡ ବଡ ଖାଲ ସୃଷ୍ଟି ହୋଇଛି। ଏପରିକି କେତେକ ସ୍ଥାନରେ ବନ୍ଧ ତଳୁ ମାଟି ଅତଡା ମଧ୍ୟ ଖସି ଥିବାର ଦେଖିବାକୁ ମିଳିଛି। ବନ୍ଧରେ ଖାଲ ସୃଷ୍ଟି ହେବା ଫଳରେ ଉକ୍ତ ବାଟ ଦେଇ ଯିବା ଆସିବା କଷ୍ଟ ସାଧ୍ୟ ହୋଇ ପଡିଛି। ଉକ୍ତ ନଦୀ ବନ୍ଧ କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଖବର ପ୍ରକାଶିତ ହେବା ପରେ ଏହି ବନ୍ଧ କାର୍ଯ୍ୟ ବନ୍ଦ ରଖିବାକୁ ସଂପୃକ୍ତ ଠିକାଦାରଙ୍କୁ ଯନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସୂଚନା ପ୍ରଦାନ କରିଥିଲେ। କିନ୍ତୁ ସଂପୃକ୍ତ ଠିକାଦାର ଯନ୍ତ୍ରୀଙ୍କ ନିର୍ଦ୍ଦେଶକୁ ନ ମାନି ରାସ୍ତାରେ ଶତକଡା ୯୦ଭାଗ ବାଲିରେ ୧୦ ଭାଗ ମୋରମ ନାମକୁ ମାତ୍ର ମିଶାଇ ପକାଇ କାର୍ଯ୍ୟ କରିଥିଲେ। ସେହି ସମୟରେ ସାମାନ୍ୟ ପବନରେ ଉକ୍ତ ବାଲି ମୋରମ ନଦୀ ବନ୍ଧରୁ ଉଡୁଥିବାର ଦେଖିବାକୁ ମିଳିଥିଲା। ସେହିପରି ନଦୀପଠାରୁ ମାଟି ତାଡିବାର ନିୟମ ରହି ନଥିବା ବେଳେ ସଂପୃକ୍ତ ଠିକାଦାର ପଠାରୁ ମାଟି ତାଡି ବନ୍ଧର ଉଭୟ ପାଶ୍ୱର୍ରେ ପକାଇଥିଲେ। ନିମ୍ନମାନର କାର୍ଯ୍ୟ ଯୋଗୁ କାର୍ଯ୍ୟ କରିବାର ୬ମାସ ନ ହେଉଣୁ ନଦୀ ବନ୍ଧ ସାରା ଖାଲ ଦେଖିବାକୁ ମିଳିଛି। ବର୍ତମାନ ବର୍ଷା ଦିନ ଚାଲୁ ରହିଥିବା ବେଳେ ଆଗକୁ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଅଧିକ ବର୍ଷା ହେଲେ ବନ୍ଧର ଖାଲ ଗୁଡିକ ବୃଦ୍ଧି ହୋଇ ନଦୀ ବନ୍ଧ ପ୍ରତି ବିପଦ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏସଂପର୍କରେ ଆଳିପିଙ୍ଗଳ ଏସଡିଓ ଶୁକ୍ରଜିତ ମହାନ୍ତିଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ।